
୨ ଟ୍ରାକ୍ଟର ଜବତ, ୧ ଫେରାର; ୬୭ ହଜାରରୁ ଊର୍ଦ୍ଧ୍ୱ ଜରିମାନା
କେନ୍ଦ୍ରାପଡ଼ା , 17 ନଭେମ୍ବର (ହି.ସ.) - ଦୀର୍ଘ ବର୍ଷ ଧରି କରାଣ୍ଡିଆ ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ଚାଲିଥିବା ଅଭିଯୋଗ ପରେ ଶେଷରେ ଚଢ଼ାଉ କରିଛି ଖଣି ବିଭାଗ। ମାର୍ଶାଘାଇ ବ୍ଲକ କରିଲୋପାଟଣା ପଞ୍ଚାୟତ ଅନ୍ତର୍ଗତ ତଳଗାଁ କରାଣ୍ଡିଆ ନଦୀ ପୋଲ ନିକଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରିବାକୁ ଉଦ୍ୟମ କରାଯାଇଥିବା ବେଳେ ଗୋଟିଏ ଟ୍ରାକ୍ଟର ଖସି ପଳାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଖଣି ବିଭାଗ ପକ୍ଷରୁ ୬୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଜରିମାନା ଧାର୍ୟ୍ୟ ହୋଇଥିବା ଖଣି ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, କରାଣ୍ଡିଆ ନଦୀର ତଳଗାଁ ପୋଲର ପିଲର ମୂଳରୁ ବର୍ଷ ବର୍ଷ ଧରି ବେଆଇନ ଭାବେ ବାଲି ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ଏହାକୁ ନେଇ କରିଲୋପାଟଣା ପଞ୍ଚାୟତବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ବାଲି ବୋଝେଇ ଗାଡ଼ି ଯାତାୟାତ କରିବା ଫଳରେ ବସୁପୁର ସେତୁ ଉପରେ ବାଲି ଜମା ହୋଇ ରହୁଛି। ଫଳରେ ଯାତାୟାତ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସହ ପଥଚାରୀ ଓ ସାଧାରଣ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥିସହ ବିଭିନ୍ନ ଛକ ଓ ରାସ୍ତାକଡ଼ରେ ବେଆଇନ ଭାବେ ବାଲି ଗଚ୍ଛିତ ରଖାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ବାଲି ମାଫିଆମାନେ ରାତି ପ୍ରାୟ ୧୦ଟାରୁ ସକାଳ ୧୦ଟା ପର୍ୟ୍ୟନ୍ତ ଟ୍ରାକ୍ଟର ଯୋଗେ କରାଣ୍ଡିଆ ନଦୀ ପଠାରୁ ବାଲି ଉଠାଇ ଚୋରା ଚାଲାଣ କରୁଛନ୍ତି। କିଛି ଟ୍ରାକ୍ଟରରେ ନମ୍ବର ପ୍ଲେଟ୍ ନଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଅଞ୍ଚଳରୁ ପ୍ରାୟ ୨ କୋଟି ଟଙ୍କାର ବାଲି ଚୋରା ଚାଲାଣ ହୋଇଥିବା ଗ୍ରାମବାସୀ ଆକଳନ କରୁଛନ୍ତି। ତେଣୁ ବାଲି ଉତ୍ତୋଳନ ହୋଇଥିବା ସ୍ଥାନ, ବାଲିଘାଟକୁ ଯାଇଥିବା ରାସ୍ତା ଓ ଗଚ୍ଛିତ ବାଲିର ପରିମାଣ ମାପଚୁପ କରି ନିୟମ ଅନୁଯାୟୀ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହାସହ ବେଆଇନ ବାଲି କାରବାର ଯୋଗୁଁ ଅଞ୍ଚଳରେ ଅସାମାଜିକ କାର୍ୟ୍ୟକଳାପ ଓ ଚୋରି ରାହାଜାନି ବୃଦ୍ଧି ପାଉଥିବା ନେଇ ଲୋକେ ଚିନ୍ତା ପ୍ରକଟ କରିଛନ୍ତି।ତଳଗାଁ, ଜଟେଶ୍ୱର, ଜଳପେକ୍ଷ, ମେହେନ୍ଦିପୁର ଓ ଦିଆନପାଟଣା ଅଞ୍ଚଳରେ ବେଆଇନ ବାଲି କାରବାର ଚାଲିଥିବା ନେଇ କରିଲୋପାଟଣା ପଞ୍ଚାୟତବାସୀ ବାରମ୍ବାର ମାର୍ଶାଘାଇ ତହସିଲଦାର ଶ୍ରୀକାନ୍ତ ପରିଜା ଓ ଖଣି ଅଧିକାରୀ ଦିନେଶ ମହାପାତ୍ରଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତଥାପି ବାଲି ଚୋରା ଚାଲାଣ ବନ୍ଦ ନହେବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା।ଶେଷରେ ଆଜି ସକାଳେ ଖଣି ଅଧିକାରୀ ଦିନେଶ ମହାପାତ୍ରଙ୍କ ନେତୃତ୍ୱରେ ଅଚାନକ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଦୁଇଟି ଟ୍ରାକ୍ଟରକୁ ଧରିବାକୁ ଉଦ୍ୟମ ହୋଇଥିବା ବେଳେ ଗୋଟିଏ ଟ୍ରାକ୍ଟର ଫେରାର ହୋଇଯାଇଥିଲା ଏବଂ ଅନ୍ୟଟିକୁ ଅଧିକାରୀମାନେ କାବୁ କରିଥିଲେ। ଫେରାର ଟ୍ରାକ୍ଟରରେ ନମ୍ବର ପ୍ଲେଟ୍ ନଥିବାରୁ ତାହାକୁ ଚିହ୍ନଟ କରି ଖୁବ୍ଶୀଘ୍ର ଧରାଯିବ ବୋଲି ଖଣି ଅଧିକାରୀ କହିଛନ୍ତି।ତେବେ କେବଳ ନଦୀପଠାରୁ ବାଲି ଚୋରା ଚାଲାଣ କରୁଥିବା ଗାଡ଼ି ଉପରେ ଚଢ଼ାଉ କଲେ ଏହି ବେଆଇନ କାରବାର ବନ୍ଦ ହେବ ନାହିଁ। କରିଲୋପାଟଣା ହାଟ ପଡ଼ିଆ, ଦିଆନପାଟଣା, ମହାରାକୂଳ ଓ ମେହେନ୍ଦିପୁର ଆଦି ସ୍ଥାନରେ ଗଚ୍ଛିତ ରହିଥିବା ବାଲିର ଉତ୍ସ ଯାଞ୍ଚ କରିବା ସହ ବେଆଇନ ବାଲି ଜବତ ଓ ଜରିମାନା ଆଦାୟ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦୀର୍ଘଦିନର ଅଭିଯୋଗ ପରେ ଖଣି ବିଭାଗର ଏହି ଚଢ଼ାଉକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି। ଆଗକୁ ବେଆଇନ ବାଲି କାରବାର ଉପରେ ବିଭାଗ କେତେ ଦୃଢ଼ ଅଙ୍କୁଶ ଲଗାଉଛି, ତାହା ଦେଖିବାକୁ ବାକି ରହିଲା।
---------------
ହିନ୍ଦୁସ୍ଥାନ ସମାଚାର / ରବି