ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନିଅନ୍ତୁ ଯୁବପିଢ଼ି : ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗର ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କୁ ସୀମିତ ଚିନ୍ତାଧାରାରୁ ବାହାରି ନୂଆ ସମ୍ଭାବନାର ସନ୍ଧାନ କରିବା ସହ ଦେଶର ଆହ୍ୱାନଗୁଡ଼ିକର ସମାଧାନରେ ଯୋଗଦାନ ଦେ
प्रधानमंत्री  शनिवार को पश्चिम बंगाल के आईआईटी खड़गपुर के प्लेटिनम जुबली समारोह को संबोधित कते हुए।


ପଶ୍ଚିମବଙ୍ଗର ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି

ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କୁ ସୀମିତ ଚିନ୍ତାଧାରାରୁ ବାହାରି ନୂଆ ସମ୍ଭାବନାର ସନ୍ଧାନ କରିବା ସହ ଦେଶର ଆହ୍ୱାନଗୁଡ଼ିକର ସମାଧାନରେ ଯୋଗଦାନ ଦେବାକୁ ଆହ୍ୱାନ କରିଛନ୍ତି। ଆଇଆଇଟି ଖଡ଼ଗପୁରର ୧୦୦ତମ ପ୍ରତିଷ୍ଠା ଦିବସ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପ ନେବା ଉଚିତ ବୋଲି ସେ କହିଛନ୍ତି। ଚିପ୍ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ସବୁକିଛି ଭାରତରେ ନିର୍ମାଣ ହେବ ଏବଂ ଏଥିରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ପ୍ରଧାନମନ୍ତ୍ରୀ ଶନିବାର ପଶ୍ଚିମବଙ୍ଗର ଆଇଆଇଟି ଖଡ଼ଗପୁରର ପ୍ଲାଟିନମ୍ ଜୁବିଲି ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଅନୁଷ୍ଠାନର ୭୫ ବର୍ଷ ପୂର୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି କରିଥିଲେ। ଏଥିସହ ୭୫ ଭଏସେସ୍ ଫର୍ ବିକଶିତ ଭାରତ' ପଦକ୍ଷେପ ଅନ୍ତର୍ଗତ ୭୫ ଜଣ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ପଶ୍ଚିମବଙ୍ଗର ରାଜ୍ୟପାଳ ଆରଏନ୍. ରବି, ମୁଖ୍ୟମନ୍ତ୍ରୀ ସୁବେନ୍ଦୁ ଅଧିକାରୀ ଏବଂ କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ।

ମୋଦୀ କହିଥିଲେ ଯେ, ଆଇଆଇଟି ଖଡ଼ଗପୁର ନିଜର ୭୫ ବର୍ଷର ଯାତ୍ରା ମଧ୍ୟରେ ଦେଶର ବିକାଶ ଏବଂ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି। ଏହି ସମୟ ମଧ୍ୟରେ ଭାରତ ବଳଦଗାଡ଼ିରୁ ବୁଲେଟ୍ ଟ୍ରେନ୍ ଏବଂ ଡାକ ଚିଠିରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଯାତ୍ରା କରିଛି। ପ୍ରତ୍ୟେକ ଯୁଗରେ ଏହି ଅନୁଷ୍ଠାନ ଦେଶର ବୈଜ୍ଞାନିକ, ବୈଷୟିକ ଏବଂ ଶିଳ୍ପ କ୍ଷମତାକୁ ଆଗକୁ ବଢ଼ାଇବାରେ ଯୋଗଦାନ ଦେଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଆଇଆଇଟି ଖଡ଼ଗପୁରର ସ୍ଥାପନା ହୋଇଥିଲା, ସେତେବେଳେ ଶିଳ୍ପ ଏବଂ ଭିତିଭୂମି ବିକାଶ ପାଇଁ ଦେଶକୁ ଇଞ୍ଜିନିୟରଙ୍କ ଆବଶ୍ୟକତା ଥିଲା। ପରବର୍ତୀ ସମୟରେ ଏଠାକାର ଛାତ୍ରଛାତ୍ରୀମାନେ ମହାକାଶ ଏବଂ ପରମାଣୁ ଶକ୍ତି କାର୍ଯ୍ୟକ୍ରମ ସହ ସୂଚନା ପ୍ରଯୁକ୍ତିବିଦ୍ୟା ଓ ସଫ୍ଟୱେର୍ ଶିଳ୍ପକୁ ଆଗକୁ ବଢ଼ାଇବାରେ ଯୋଗଦାନ ଦେଇଛନ୍ତି। ଏବେ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ଏହି ଅନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ସେ ଯୁବପିଢ଼ିଙ୍କୁ କହିଥିଲେ ଯେ, ସେମାନେ ନିଜର ପ୍ରତିଭା, ସ୍ୱପ୍ନ ଏବଂ ଦେଶର କ୍ଷମତାକୁ ସୀମିତ ରଖିବା ଉଚିତ ନୁହେଁ। ରାଷ୍ଟ୍ର ନିଜର କ୍ଷମତାକୁ ସେତେବେଳେ ଚିହ୍ନିପାରେ, ଯେତେବେଳେ ଏହା ଚିନ୍ତାଧାରାର ସୀମାକୁ ଭାଙ୍ଗିଥାଏ। ସେମିକଣ୍ଡକ୍ଟର କ୍ଷେତ୍ରର ଉଦାହରଣ ଦେଇ ସେ କହିଥିଲେ ଯେ, ପୂର୍ବରୁ ଭାରତରେ ଚିପ୍ ନିର୍ମାଣକୁ ନେଇ ପ୍ରଶ୍ନ ଉଠୁଥିଲା। କିନ୍ତୁ ଏବେ ଦେଶରେ ଅନେକ ସେମିକଣ୍ଡକ୍ଟର କାରଖାନା ଆରମ୍ଭ ହୋଇଛି ଏବଂ ଭାରତ ଚିପ୍ ରପ୍ତାନି ମଧ୍ୟ କରିବା ଆରମ୍ଭ କରିଛି। ଆଗାମୀ ଦିନରେ ଚିପ୍ଠାରୁ ଆରମ୍ଭ କରି ଜାହାଜ ପର୍ଯ୍ୟନ୍ତ ସବୁକିଛି ଦେଶରେ ନିର୍ମାଣ ହେବ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ପୂର୍ବରୁ ମହାକାଶ କ୍ଷେତ୍ରରେ ଯୁବପିଢ଼ିଙ୍କ ପାଇଁ ସୁଯୋଗ ସୀମିତ ଥିଲା, କିନ୍ତୁ ଏବେ ଏହି କ୍ଷେତ୍ରକୁ ସେମାନଙ୍କ ପାଇଁ ଖୋଲି ଦିଆଯାଇଛି। ଆଇଆଇଟି ଖଡ଼ଗପୁରର ପୂର୍ବତନ ଛାତ୍ର ପବନଙ୍କ ଦ୍ୱାରା ସ୍କାଏରୁଟ୍ ଏରୋସ୍ପେସ୍ ପ୍ରତିଷ୍ଠା ଏବଂ ଭାରତର ପ୍ରଥମ ଘରୋଇ ରକେଟ୍ ଉତ୍କ୍ଷେପଣରେ ତାଙ୍କର ଯୋଗଦାନ ଏହାର ଏକ ଉଦାହରଣ। ଦେଶର ଅନେକ ଷ୍ଟାର୍ଟଅପ୍ ମହାକାଶ କାର୍ଯ୍ୟକ୍ରମକୁ ନୂଆ ଗତି ଦେଉଛନ୍ତି ବୋଲି ସେ କହିଥିଲେ।

ବିଶ୍ୱବ୍ୟାଙ୍କର ରିପୋର୍ଟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗତ ୧୨-୧୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୫୦ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି। ସୀମିତ ଚିନ୍ତାଧାରାରୁ ବାହାରି ନୂଆ ନୀତି ଆପଣାଇବା ଏବଂ ଗରିବଙ୍କୁ ସଶକ୍ତ କରିବା ପାଇଁ କରାଯାଇଥିବା ପ୍ରୟାସ ଯୋଗୁଁ ଏହି ପରିବର୍ତନ ସମ୍ଭବ ହୋଇଛି।

ସେ କହିଥିଲେ ଯେ, ଆଇଆଇଟି ଖଡ଼ଗପୁର ଯେଉଁ ସ୍ଥାନରେ ନିର୍ମାଣ ହୋଇଛି, ସେଠାରେ ଏକଦା ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ଅଟକ କ୍ୟାମ୍ପ ଥିଲା। ବଙ୍ଗଳାର ମାଟି ଚିନ୍ତାଧାରା ଏବଂ ଜାତୀୟ ଆନ୍ଦୋଳନକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ସେହି ସମୟରେ ସ୍ୱାଧୀନତା ସଂଗ୍ରାମୀମାନେ ଏହି ସ୍ଥାନରେ ହିଁ ଦେଶର ସ୍ୱାଧୀନତା ପାଇଁ ସଂକଳ୍ପ ନେଇଥିଲେ। ଆଜି ଏହି ମାଟିରେ ପ୍ରସ୍ତୁତ ହେଉଥିବା ଯୁବପିଢ଼ି ନିଜର ନବସୃଜନ ଓ ଚିନ୍ତାଧାରା ମାଧ୍ୟମରେ ଭାରତକୁ ଆତ୍ମନିର୍ଭର କରିବାରେ ଯୋଗଦାନ ଦେଉଛନ୍ତି।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ର ପ୍ରଥମ ଭାବନା ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ସେ କହିଥିଲେ ଯେ, ଆଗାମୀ ଦୁଇ ଦଶନ୍ଧି ଯୁବପିଢ଼ିଙ୍କ ଜୀବନ ଏବଂ ଦେଶର ବିକାଶ ପାଇଁ ନିର୍ଣ୍ଣାୟକ ହେବ। ଯୁବପିଢ଼ି ନିଜକୁ ପ୍ରଶ୍ନ କରିବା ଉଚିତ ଯେ, ଦେଶର କେଉଁ ଆହ୍ୱାନର ସମାଧାନରେ ସେମାନେ ଯୋଗଦାନ ଦେଇପାରିବେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଇଆଇଟି ଖଡ଼ଗପୁରର ବର୍ତମାନର ଏବଂ ପୂର୍ବତନ ଛାତ୍ରଛାତ୍ରୀମାନେ ଏହି ସଂକଳ୍ପ ନେବା ଉଚିତ ଯେ, ଯେତେବେଳେ ଅନୁଷ୍ଠାନ ନିଜର ୧୦୦ତମ ବାର୍ଷିକୀ ପାଳନ କରିବ, ସେତେବେଳକୁ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହୋଇସାରିଥିବ।

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande