ହରିଦ୍ଵାରର ନମାମି ଗଙ୍ଗେ ଘାଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ମା'ଙ୍କ ଅନ୍ତିମ ସଂସ୍କାର, ସାନ ପୁଅ ଦେଲେ ମୁଖାଗ୍ନି
ହରିଦ୍ଵାର, ୨୧ ନଭେମ୍ବର (ହି.ସ.)- ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କୁ ଶନିବାର ଦିନ ହରିଦ୍ୱାରର ନମାମି ଗଙ୍ଗେ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସାନ ଭାଇ ମହେନ୍ଦ୍ର ସିଂହ ବିଷ୍ଟ ମୁଖାଗ
ଅନ୍ତିମ ସଂସ୍କାର ସମୟରେ ଯୋଗୀ ଆଦିତ୍ୟନାଥଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି।


ଶବଦାହ ସମୟରେ ମାଆଙ୍କ ଶବ ସମ୍ମୁଖରେ ଯୋଗୀ ଆଦିତ୍ୟନାଥ


ହରିଦ୍ଵାର, ୨୧ ନଭେମ୍ବର (ହି.ସ.)- ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଆ ସାବିତ୍ରୀ ଦେବୀଙ୍କୁ ଶନିବାର ଦିନ ହରିଦ୍ୱାରର ନମାମି ଗଙ୍ଗେ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସାନ ଭାଇ ମହେନ୍ଦ୍ର ସିଂହ ବିଷ୍ଟ ମୁଖାଗ୍ନି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ମାଆଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସମୟରେ ଭାବବିହ୍ୱଳ ହୋଇ ପଡ଼ିଥିଲେ। ତାଙ୍କ ଆଖିରୁ ଲୁହ ଝରି ଆସୁଥିଲା ଏବଂ ସେ ବାରମ୍ବାର ଲୁହ ପୋଛି ଦେଉଥିବାର ଦେଖିବାକୁ ମିଳିଥିଲା।ସାବିତ୍ରୀ ଦେବୀଙ୍କ ଶବ ଶନିବାର ସକାଳେ ତାଙ୍କ ପୈତୃକ ଗ୍ରାମ ପଞ୍ଚୁରରୁ ହରିଦ୍ୱାରର ନମାମି ଗଙ୍ଗେ ଘାଟରେ ପହଞ୍ଚିଥିଲା। ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅନେକ ବଡ଼ ବଡ଼ ରାଜନୈତିକ ନେତା, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ସନ୍ଥମାନେ ଅନ୍ତିମ ଦର୍ଶନ କରିବା ପାଇଁ ଏଠାରେ ପହଞ୍ଚିଥିଲେ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ ସାବିତ୍ରୀ ଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ, ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ଏବଂ ବୈଦିକ ମନ୍ତ୍ରୋଚ୍ଚାରଣ ସହିତ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ସମୟରେ ଉକ୍ତ ସ୍ଥାନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଆସିଥିବା ଲୋକଙ୍କ ଭିଡ଼ ଯୋଗୁଁ ଘାଟ ଉପରେ ଚାପ ବୃଦ୍ଧି ପାଇଥିଲା। ପ୍ରବଳ ସୁରକ୍ଷା ବ୍ୟବସ୍ଥା ସତ୍ବେ ପୋଲିସ ଏବଂ ପ୍ରଶାସନ ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ବ୍ୟବସ୍ଥା ସମ୍ଭାଳିବାକୁ ଲୋକଙ୍କ ନିକଟରେ ପହଞ୍ଚିଥିଲେ। ସେ ଭିଡ଼କୁ ବ୍ୟବସ୍ଥିତ କରୁଥିବା ଦେଖିବାକୁ ମିଳିଥିଲା।ଅନ୍ତିମ ସଂସ୍କାରରେ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ, ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ସ୍ଵତନ୍ତ୍ର ଦେବ ସିଂହ, ଗୋରଖପୁର ସାଂସଦ ରବି କିଶନ, ଉତ୍ତରାଖଣ୍ଡ ବିଜେପିର ସହ-ପ୍ରଭାରୀ ବାଂସୁରୀ ସ୍ଵରାଜ, ଯୋଗ ଗୁରୁ ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣ, ଶ୍ରୀ ମହନ୍ତ ରବୀନ୍ଦ୍ର ପୁରୀ, ସ୍ୱାମୀ ଚିଦାନନ୍ଦ ମୁନି ମହାରାଜ ଏବଂ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶୁକ୍ରବାର ଦିନ ୯୧ ବର୍ଷ ବୟସରେ ସାବିତ୍ରୀ ଦେବୀଙ୍କ ପରଲୋକ ଘଟିଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ପଞ୍ଚୁର ଗ୍ରାମ ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ଅନ୍ତିମ ସଂସ୍କାର ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande