
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଔପଚାରିକ ଭାବେ ଅଭିଯୋଗ ନିର୍ଦ୍ଧାରଣ କରିବାକୁ ଆଦେଶ ଦେଇଛନ୍ତି। ଫାଷ୍ଟଟ୍ରାକ୍ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ ଗୁପ୍ତା ଅଭିଯୋଗ ନିର୍ଦ୍ଧାରଣ କରିବା ସହ ନଭେମ୍ବର ୨୫ରୁ ଏହି ମାମଲାର ଦୈନିକ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର ହୋଇଥିଲେ।
କୋର୍ଟ ଭାରତୀୟ ନ୍ୟାୟ ସଂହିତା, ଦୁର୍ନୀତି ନିବାରଣ ଆଇନ ଏବଂ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନ ଅନୁଯାୟୀ ଅଭିଯୋଗ ନିର୍ଦ୍ଧାରଣ କରିବାକୁ ଆଦେଶ ଦେଇଛନ୍ତି। ଯେଉଁ ୧୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ଔପଚାରିକ ଅଭିଯୋଗ ନିର୍ଦ୍ଧାରଣ କରାଯାଇଛି, ସେମାନେ ହେଲେ ଯଶ ଯାଦବ, ମାଙ୍ଗୀୱାଲ ବିୱାଲ, ଦିନେଶ ବିୱାଲ, ବିକାଶ ବିୱାଲ, ଶୁଭମ ଖୈରନାର, ଧନଞ୍ଜୟ ଲୋଖଣ୍ଡେ, ପ୍ରହ୍ଲାଦ କୁଲକର୍ଣ୍ଣୀ, ତେଜସ ହର୍ଷଦ କୁମାର, ଡ. ମନୋଜ ଶିରୁରେ, ଶିବରାଜ ରଘୁନାଥ ମୋଟେଗାଓଁକର, ମନୀଷା ୱାଘମାରେ, ମନୀଷା ମନ୍ଧାରେ, ମନୀଷା ସଞ୍ଜୟ ହାୱଲଦାର ଏବଂ ଶେଷରାଓ ବଜରଙ୍ଗ ସୂର୍ଯ୍ୟବଂଶୀ।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଅଭିଯୁକ୍ତମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୫(୫), ୩୧୮(୪), ୬୧(୨), ୨୩୮, ୩୦୩(୨), ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ଏ) ଏବଂ ସାର୍ବଜନୀନ ପରୀକ୍ଷା (ଅନୁଚିତ ଉପାୟ ନିବାରଣ) ଆଇନର ଧାରା ୧୦, ୩, ୪, ୫ ଓ ୧୧ ଅନୁଯାୟୀ ଏଫ୍ଆଇଆର୍ ରୁଜୁ କରିଥିଲା।
ଚାର୍ଜସିଟ୍ ଉପରେ ଶୁଣାଣି ସମୟରେ ସିବିଆଇ ପକ୍ଷରୁ କୁହାଯାଇଥିଲା ଯେ ଏହି ମାମଲାରେ ମେ’ ୧୨ ତାରିଖରେ ଏଫ୍ଆଇଆର୍ ରୁଜୁ କରାଯାଇଥିଲା। ଏହାର ତୁରନ୍ତ ପରେ ୭୨ ଜଣ ଅଧିକାରୀ ଏବଂ ୮ ଜଣ ସାଇବର ଫରେନ୍ସିକ୍ ବିଶେଷଜ୍ଞଙ୍କ ସହାୟତାରେ ତଦନ୍ତ ଆରମ୍ଭ ହୋଇଥିଲା। ସିବିଆଇ ମହାରାଷ୍ଟ୍ର, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଏବଂ ଅନ୍ୟ ରାଜ୍ୟର ୯୨ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହି ମାମଲାରେ ପ୍ରଥମ ଗିରଫଦାରୀ ମେ’ ୧୩ ତାରିଖରେ ହୋଇଥିଲା।
------------------
ହିନ୍ଦୁସ୍ଥାନ ସମାଚାର / ଗଗନ