
ଇଟାନଗର, ୨୧ ନଭେମ୍ବର (ହି.ସ.)। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଶୁକ୍ରବାର ରାତିରେ ହୋଲୋଙ୍ଗୀସ୍ଥିତ ଡୋନି ପୋଲୋ ବିମାନବନ୍ଦରରେ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ଉଷ୍ମ ସ୍ୱାଗତ ଜଣାଇଛନ୍ତି। ଅମିତ ଶାହ ରାଜ୍ୟକୁ ତିନିଦିନିଆ ଗସ୍ତରେ ଆସିଛନ୍ତି।
ସ୍ୱାଗତ ବାର୍ତ୍ତା ସେୟାର କରି ମୁଖ୍ୟମନ୍ତ୍ରୀ ଅରୁଣାଚଳ ପ୍ରଦେଶରେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ସ୍ୱାଗତ କରି ଖୁସି ପ୍ରକାଶ କରିବା ସହ ଏହି ଗସ୍ତକୁ ସୀମାନ୍ତ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବୋଲି ଅଭିହିତ କରିଛନ୍ତି।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ସେ କହିଛନ୍ତି ଯେ, ରାଜ୍ୟରେ କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଅରୁଣାଚଳ ପ୍ରଦେଶର ବିକାଶ, ସୁରକ୍ଷା ଓ ପ୍ରଗତି ସହ ଜଡ଼ିତ ବିଷୟଗୁଡ଼ିକ ଉପରେ ତାଙ୍କର ମୂଲ୍ୟବାନ ମାର୍ଗଦର୍ଶନ ପାଇଁ ରାଜ୍ୟ ଅପେକ୍ଷା କରିଛି। ଉଷ୍ମ ସ୍ୱାଗତ ଜଣାଇ ସେ କହିଛନ୍ତି, “ଉଦୟମାନ ସୂର୍ଯ୍ୟଙ୍କ ଭୂମିକୁ ଶ୍ରୀ ଅମିତ ଶାହଙ୍କୁ ହାର୍ଦ୍ଦିକ ସ୍ୱାଗତ।”
ତିନିଦିନିଆ ଗସ୍ତ ସମୟରେ ଅମିତ ଶାହ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିମଧ୍ୟରେ ବନ୍ଦରଦେବାସ୍ଥିତ ପୋଲିସ ପ୍ରଶିକ୍ଷଣ କେନ୍ଦ୍ର (ପିଟିସି)ରେ ଅରୁଣାଚଳ ପ୍ରଦେଶ ପୋଲିସକୁ ‘ରାଷ୍ଟ୍ରପତିଙ୍କ ଧ୍ୱଜ’ ପ୍ରଦାନ କାର୍ଯ୍ୟକ୍ରମ ସହ ଇଟାନଗରରେ ବିକାଶମୂଳକ ପ୍ରକଳ୍ପ, ସମବାୟ କ୍ଷେତ୍ର ଏବଂ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସମୀକ୍ଷା ବୈଠକ ସାମିଲ ରହିଛି।
ଏହାସହ ୨୨ ନଭେମ୍ବରରେ ସେ ହୋଲୋଙ୍ଗୀଠାରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ୍)ର ଏକ ପରିସରକୁ ଉଦ୍ଘାଟନ କରିବେ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା