
ଗଂଜାମ, 21 ନଭେମ୍ବର (ହି.ସ.) ଆକବନ ବାତ୍ୟା ପ୍ରଭାବରେ ବ୍ରହ୍ମପୁର ସହରରେ ଶୁକ୍ରବାର ପାହାନ୍ତିଆରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇ ପ୍ରାୟ ଦିନ ଦଶଟା ଯାଏଁ ବର୍ଷା ଲାଗିରହିଥିଲା। ସହରର ଦୁଇ ପ୍ରମୁଖ ନାଳ ବାହାନା ନାଳ ଓ ସାପୁଆ ନାଳ ଫୁଲିଥିବା ବେଳେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତିର ସଫଳ ମୁକାବିଲା କରିବା ନିଗମ କର୍ତ୍ତୃପକ୍ଷଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା। ନିଗମର ନିଜସ୍ୱ ସେସପୁଲ ଗାଡି ଏବଂ ପମ୍ପ ସହ ଅଗ୍ନିଶମ ବାହିନୀଙ୍କ ପମ୍ପ ଯୋଗେ ଗାନ୍ଧୀ ନଗର, ଗଜପତି ନଗର, ସିଦ୍ଧାର୍ଥ ନଗର, ଅଶୋକ ନଗର, ପାଣିଗ୍ରାହୀ ନଗର, ଜ୍ୟୋତି ନଗର, କେସି ହାଇସ୍କୁଲ ପଡିଆ, ଶାନ୍ତି ନଗର,ରଘୁପତି ନଗର, କାଶୀ ନଗର ସାହି, ଲକ୍ଷ୍ମୀନୃସିଂହ ସାହି ,ମୁନିସିପାଲିଟି କଲୋନୀ, ଉମାନଗର, ତୋଟା ସାହି ଆଦି ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ କରାଯାଇଥିଲା। ଜଳବନ୍ଦୀ ପରିବାରଗୁଡିକୁ ତ୍ୱରିତ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ଯୋଗୁଁ ସେମାନେ ଆଶ୍ବସ୍ତି ଅନୁଭବ କରିଥିଲେ l
ତେବେ ଜଳେଶ୍ୱର ବିହାରର ଜଳବନ୍ଦୀ ପରିସ୍ଥିତି ଦୀର୍ଘ ସମୟ ଧରି ଲାଗିରହିଥିଲା ଏବଂ ବିଏମସିର ସିଟି ଇଞ୍ଜିନିୟର, ଏନଫୋର୍ସମେଣ୍ଟ ଟିମ ତଥା ସ୍ଥାନୀୟ ପୋଲିସଙ୍କ ଦ୍ୱାରା ଜାତୀୟ ରାଜପଥ କଡରୁ ଅବରୋଧ ହଟାଇବା ପରେ ଯାଇ ସେଠାରୁ ଜଳ ନିଷ୍କାସନ ଆରମ୍ଭ ହୋଇଥିଲା।
ଶୁକ୍ରବାର ସନ୍ଧ୍ୟାରେ ଏକ *ସାମ୍ବାଦିକ* *ସମ୍ମିଳନୀ* କରି କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ଆକବନ ବାତ୍ୟା ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l
ଗତ ଅର୍ଣ୍ଣବ ବାତ୍ୟା ସମୟରେ ଅକ୍ଟୋବର 29ତାରିଖ ଗୋଟିଏ ଦିନରେ ନିଗମର କଣ୍ଟ୍ରୋଲ ରୁମକୁ ସମୁଦାୟ 136ଟି ଅଭିଯୋଗ ମଧ୍ୟରୁ କୋବଳ ଜଳ ନିଷ୍କାସନ ସମ୍ପର୍କିତ 131ଟି ଅଭିଯୋଗ ଆସିଥିଲା। ତେବେ ଆକବନ ବାତ୍ୟାବେଳକୁ ଶୁକ୍ରବାର ନଭେମ୍ବର 20 ତାରିଖ ଦିନ କଣ୍ଟ୍ରୋଲ ରୁମରେ ହସ୍ତଗତ 42ଟି ଅଭିଯୋଗ ମଧ୍ୟରୁ ଜଳ ନିଷ୍କାସନ ବାବଦ ଅଭିଯୋଗ 36 ଥିଲା। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ବାତ୍ୟା ଅବା ପ୍ରବଳ ବର୍ଷା ବେଳେ ବ୍ରହ୍ମପୁର ସହରରେ ଜଳ ନିଷ୍କାସନ ଗୋଟିଏ ଆହ୍ୱାନ ଥିବା ବେଳେ ସତର୍କତା,ପୂର୍ଣ୍ଣ ପ୍ରସ୍ତୁତି, ସମନ୍ୱୟ ଏବଂ ପ୍ରତିଦିନ ସମୀକ୍ଷା ଦ୍ୱାରା ଜଳବନ୍ଦୀ ପରିସ୍ଥିତିର ମୁକାବିଲା କ୍ରମଶଃ ଦକ୍ଷତାବୃଦ୍ଧି ଘଟୁଅଛି ବୋଲି କମିଶନର ଗୁରୁତ୍ୱାରୋପ କରିଥିଲେ।
ପାଣିପାଗ ବିଭାଗ ତରଫରୁ ଆକବନ ବାତ୍ୟା ନେଇ ପୂର୍ବସୂଚନା ମିଳିବା ସାଙ୍ଗେ ସାଙ୍ଗେ ସହକର୍ମୀ , ଜନପ୍ରତିନିଧି ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଏଥର ବିପର୍ଯ୍ୟୟ ପରିଚାଳନାରେ ବେଶ ସହାୟକ ହେଲା ବୋଲି କମିଶନର କହିଥିଲେ।
ଡାକବାଜି ଯନ୍ତ୍ର ଜରିଆରେ ସଚେତନତା ବାର୍ତ୍ତାର ବ୍ୟାପକ ପ୍ରଚାର ପ୍ରସାର, ଆଗୁଆ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକ୍ଷମ କରିବା, କଣ୍ଟ୍ରୋଲ ରୁମକୁ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନର ଏକ ବଳିଷ୍ଠ ମାଧ୍ୟମ ଭାବେ ଗଢିବା, ସେଥିପାଇଁ ମାର୍ଗଦର୍ଶିକା ଜାରି କରିବା ଏଥର ଆକବାନ ବାତ୍ୟା ପରିଚାଳନାରେ ବେଶ ସହାୟକ ହୋଇଥିଲା। ସେହିପରି ବିଭିନ୍ନ ସ୍ଥାନରେ ଅତିଶୟ ଜଳପ୍ରବାହକୁ ରୋକିବା, ବନ୍ୟାଜଳ ନିଷ୍କାସନ ପାଇଁ ବିକଳ୍ପ ରାସ୍ତା ଖୋଳିବା, ଅବରୋଧ ହଟାଇବା ଏବଂ ଯୁଦ୍ଧକାଳୀନ ଭିତ୍ତିରେ କ୍ରମାଗତ ଭାବେ ପ୍ରମୁଖ ନାଳଗୁଡିକର ଆବର୍ଜନା ସଫା କରିବା ଯୋଗୁଁ ପୂର୍ବାପେକ୍ଷା ଏଥର ଜଳ ନିଷ୍କାସନ ସହଜ ହୋଇଥିଲା। ତଥାପି ଜଳବନ୍ଦୀ ସମସ୍ୟାକୁ ଗମ୍ଭୀରତାର ସହ ନେଇ ଏହାର ସ୍ଥାୟୀ ସମାଧାନ ପାଇଁ ମହାନଗର ନିଗମ ଅତିଶୀଘ୍ର ଯୋଜନାବଦ୍ଧ ପଦକ୍ଷେପ ନେବ ବୋଲି କମିଶନର ସ୍ପଷ୍ଟ କରିଥିଲେ।
ଏନଡିଆରଏଫ,ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀଙ୍କ ସହାୟତାରେ ବିପଦସଙ୍କୁଳ ଗଛଗୁଡିକ କଟାଯିବା, ସବୁ ହାଇମାଷ୍ଟ ଲାଇଟ ଏବଂ ବିପଦପୂର୍ଣ୍ଣ ହୋର୍ଡିଂକୁ ବାଧ୍ୟତାମୂଳକ ଭାବେ ବାହାର କରାଯାଇଥିବା ଯୋଗୁଁ ଧନଜୀବନ ହାନି ରୋକାଯାଇପାରିଲା। ତେବେ ଶୂନ୍ୟ ମୃତାହତ ଲକ୍ଷ୍ୟ ନେଇ କଚ୍ଚାଘର ଏବଂ ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତରଣ ଆଦୌ ସହଜ ନଥିଲା ବୋଲି କମିଶନର କହିଥିଲେ। ଲୋକମାନଙ୍କୁ ବହୁତ ବୁଝାସୁଝା କରି ଏବଂ କେତେକ କ୍ଷେତ୍ରରେ ପୋଲିସ ସହାୟତା ନେଇ ସମୁଦାୟ 17ଟି ଆଶ୍ରୟସ୍ଥଳୀରେ 851 ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଥିଲା।
ନିରନ୍ତର ଖବର ପ୍ରସାରଣ କରି ମହାନଗର ନିଗମ ପ୍ରଶାସନର ତତ୍ପରତା ଓ ଦାୟବଦ୍ଧତାକୁ ସକ୍ରିୟ କରିଥିବାରୁ କମିଶନର ଶ୍ରୀମତୀ ଏ ସସ୍ୟ ରେଡ୍ଡୀ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ। ସେହିପରି ମହାନଗର ନିଗମର ମେୟର,ଡେପୁଟି ମେୟର, ସମସ୍ତ କର୍ପୋରେଟର, ସଫେଇ କର୍ମଚାରୀ, ଏନଫୋର୍ସମେଣ୍ଟ ସ୍କ୍ୱାଡ,ସମସ୍ତ ଅଫିସର, ଇଞ୍ଜିନିୟର, ବାତ୍ୟା ଆଶ୍ରୟସ୍ଥଳୀ ଓ କଣ୍ଟ୍ରୋଲ ରୁମ ଦାୟିତ୍ୱରେ ଥିବା ସହକର୍ମୀ ଏବଂ ସମସ୍ତ ଇଞ୍ଜିନିୟରଙ୍କ ସାମୂହିକ ଓ ସମର୍ପିତ ଉଦ୍ୟମ ପାଇଁ କମିଶନର ଧନ୍ୟବାଦ ଦେଇଥିଲେ। ସର୍ବୋପରି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିୱାସନଙ୍କ ନିରନ୍ତର ମାର୍ଗଦର୍ଶନ ପାଇଁ କମିଶନର ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ