
ଆଇଜି, କେନ୍ଦ୍ରାଞ୍ଚଳଙ୍କ ଭର୍ଚୁଆଲ୍ ବୈଠକରେ ପ୍ରସ୍ତୁତି ସମୀକ୍ଷା | ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
କଟକ, 21 ନଭେମ୍ବର (ହି.ସ.) ପବିତ୍ର ପଞ୍ଚୁକ ଓ ବଡ଼ଓଷା ଅବସରରେ କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଜି ଠାରୁ ୨୪ ତାରିଖ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ସହିତ ଉତ୍ସବର ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ଆୟୋଜନ ନିମନ୍ତେ ଏହି ସମସ୍ତ ପ୍ରସ୍ତୁତି କରାଯାଇଛି।
ଏହି ପରିପ୍ରେକ୍ଷୀରେ ଡଃ ସତ୍ୟଜିତ ନାଏକ, ଆଇଜି, କେନ୍ଦ୍ରାଞ୍ଚଳ, କଟକ ଭର୍ଚୁଆଲ୍ ମାଧ୍ୟମରେ କଟକ ଏସ୍ପି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରି ସୁରକ୍ଷା ଓ ପରିଚାଳନାଗତ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ବିଶେଷକରି ନଭେମ୍ବର ୨୨ ତାରିଖ ବଡ଼ଓଷା ଦିନ ଅଧିକ ଭିଡ଼ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଉତ୍ସବର ସୁରକ୍ଷା ଓ ଶୃଙ୍ଖଳିତ ପରିଚାଳନା ନିମନ୍ତେ ୨ ଜଣ ଅତିରିକ୍ତ ଏସ୍ପି, ୮ ଜଣ ଡିଏସ୍ପି, ୨୨ ଜଣ ଇନ୍ସପେକ୍ଟର, ୧୧୯ ଜଣ ଏସ୍ଆଇ/ଏଏସ୍ଆଇ ଏବଂ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଯାନବାହନ ଚଳାଚଳ ନିୟନ୍ତ୍ରଣ, ନିର୍ଦ୍ଧାରିତ ପାର୍କିଂ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଧାଡ଼ି ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଇନଶୃଙ୍ଖଳା ରକ୍ଷା ଏବଂ ଭକ୍ତମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ ରହିବେ।
ସୁରକ୍ଷା ଦୃଷ୍ଟିରୁ ଝୁଲା କେବୁଲ୍ ବ୍ରିଜ୍କୁ ବନ୍ଦ ରଖାଯିବା ସହ ଭକ୍ତମାନଙ୍କ ପାଇଁ କୌଣସି ଡଙ୍ଗା କିମ୍ବା ଫେରି ସେବା ଉପଲବ୍ଧ ହେବ ନାହିଁ। ତେଣୁ ଶ୍ରଦ୍ଧାଳୁମାନେ କେବଳ ନିର୍ଦ୍ଧାରିତ ରାସ୍ତା ବ୍ୟବହାର କରିବା ସହ ପୋଲିସ ପକ୍ଷରୁ ଜାରି ଟ୍ରାଫିକ୍ ଓ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଉଛି।
ପଞ୍ଚୁକ ଓ ବଡ଼ଓଷାର ପବିତ୍ର ଅବସରରେ ଧବଳେଶ୍ୱର ପୀଠକୁ ଆସୁଥିବା ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଟ୍ରାଫିକ୍ ନିୟମ, ପାର୍କିଂ ବ୍ୟବସ୍ଥା ଓ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବା ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରିବାକୁ ଓଡ଼ିଶା ପୋଲିସ ପକ୍ଷରୁ ଅନୁରୋଧ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ