
ଭଦ୍ରକ, ୨୧ ନଭେମ୍ବର (ହି.ସ.) - ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ଭଦ୍ରକ ଅଟୋନମସ୍ କଲେଜ ପକ୍ଷରୁ ଏକ ଭବ୍ୟ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ଡଃ ଲଳିତ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କଲେଜର ପୂର୍ବତନ ଅଧ୍ୟକ୍ଷ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଏବଂ ଡଃ ଅଭୟ କୁମାର ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଆ ବିଭାଗର ମୁଖ୍ୟ ଡଃ ରଞ୍ଜନ କୁମାର ବେହେରା ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ମଧୁସୂଦନ ଦାଶ ଡଃ ମହତାବଙ୍କ ଜୀବନୀ, ତାଙ୍କର ଆଦର୍ଶ ଓ ଓଡ଼ିଶାର ରାଜନୈତିକ, ସାମାଜିକ ତଥା ଶିକ୍ଷା କ୍ଷେତ୍ରକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଡଃ ଅଭୟ କୁମାର ଦାଶ ନିଜ ବକ୍ତବ୍ୟରେ ଡଃ ମହତାବଙ୍କ ଦୂରଦୃଷ୍ଟି, ନେତୃତ୍ୱ ଓ ଓଡ଼ିଆ ଜାତିର ଗୌରବ ବୃଦ୍ଧିରେ ତାଙ୍କର ଅବିସ୍ମରଣୀୟ ଭୂମିକା ଉପରେ ଆଲୋଚନା କରିଥିଲେ। ତାଙ୍କର ଜୀବନାଦର୍ଶ ଓ କର୍ମମୟ ଜୀବନ ଆଜିର ଯୁବପିଢ଼ିଙ୍କ ପାଇଁ ଏକ ମହାନ ପ୍ରେରଣା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଭାକୁ ହିନ୍ଦୀ ବିଭାଗର ମୁଖ୍ୟ ଡଃ ସନାତନ ବେହେରା ଏବଂ ଅର୍ଥନୀତି ବିଭାଗର ଡଃ ବ୍ରହ୍ମାନନ୍ଦ ପଣ୍ଡା ସଂଯୋଜନା କରିଥିଲେ। ଶେଷରେ ଡଃ ହରେକୃଷ୍ଣ ମହତାବଙ୍କ ମହାନ ଜୀବନାଦର୍ଶ ଓ ଆଦର୍ଶକୁ ଅନୁସରଣ କରି ଓଡ଼ିଶାର ଗୌରବ ଓ ସମୃଦ୍ଧି ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ଆହ୍ୱାନ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ