ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୨.୨୧ କୋଟି ଟଙ୍କାର ସଂଶୋଧିତ ଅନୁମୋଦନ
ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୨.୨୧ କୋଟି ଟଙ୍କାର ସଂଶୋଧିତ ଅନୁମୋଦନ
ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୨୨.୨୧ କୋଟି ଟଙ୍କାର ସଂଶୋଧିତ ଅନୁମୋଦନ


ସମ୍ବଲପୁର, ୨୧, ନଭେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ନାକଟିଦେଉଳ ରେଞ୍ଜର ଭୀମମଣ୍ଡଳୀ ଇକୋ ହେରିଟେଜ୍ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ୨୨ କୋଟି ୨୧ ଲକ୍ଷ ୧ ହଜାର ୮୫୦ ଟଙ୍କାର ସଂଶୋଧିତ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ନଭେମ୍ବର ୨୧ ତାରିଖରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତୀୟ ଆଦେଶ ଜାରି କରାଯାଇଛି।

ପୂର୍ବରୁ ଏହି ପ୍ରକଳ୍ପ ପାଇଁ ୮ କୋଟି ୩୦ ଲକ୍ଷ ୮୭ ହଜାର ଟଙ୍କାର ପ୍ରଶାସନିକ ଅନୁମୋଦନ ମିଳିଥିଲା। ଏବେ ପ୍ରକଳ୍ପର ବ୍ୟୟ ଅଟକଳ ସଂଶୋଧନ କରାଯାଇ ୨୨.୨୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି କାର୍ଯ୍ୟ ସମ୍ବଲପୁର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକାରୀ ହେବ।

ପ୍ରକଳ୍ପରେ ଭୀମମଣ୍ଡଳୀ ପଥରରେ ପାଦଚଲା ରାସ୍ତା ଓ ରେଲିଂ, ଭ୍ୟୁ ପଏଣ୍ଟ, ପଦଚାରୀ ସେତୁ, ଗାଡ଼ି ପାର୍କିଂ ସ୍ଥଳ, ବିଶ୍ରାମଗୃହ, ଶୌଚାଳୟ, ଡ୍ରେନ୍, ଗାର୍ଡୱାଲ୍, ବସିବା ପାଇଁ ବେଞ୍ଚ ଓ ପ୍ଲାଟଫର୍ମ, ସୂଚନା ଫଳକ, ଡଷ୍ଟବିନ୍, ସୌରଶକ୍ତି ବ୍ୟବସ୍ଥା ଏବଂ ଇଣ୍ଟରପ୍ରିଟେସନ୍ ସେଣ୍ଟର ନିର୍ମାଣ କରାଯିବ। ଏଥିସହ ଟନେଲ୍, ରିସେପ୍ସନ୍ ଓ୍ୱେଟିଂ ଏରିଆ, ଲନ୍, ପ୍ଲାଜା, ପାଥୱେ କରିଡର ଏବଂ ପାଚେରି ନିର୍ମାଣ ମଧ୍ୟ ଯୋଜନାରେ ରହିଛି।

ବିଭାଗୀୟ ଆଦେଶ ଅନୁଯାୟୀ, ପ୍ରକଳ୍ପର ମୋଟ ଅଟକଳରୁ ପୂର୍ବରୁ ମଞ୍ଜୁର ହୋଇ ଜିଲ୍ଲାପାଳଙ୍କ ନିକଟରେ ଥିବା ୩ କୋଟି ୩୨ ଲକ୍ଷ ଟଙ୍କା ବିନିଯୋଗ କରାଯିବ। ଏହାବ୍ୟତୀତ ୫ କୋଟି ୫୬ ଲକ୍ଷ ୪୦ ହଜାର ୭୪୦ ଟଙ୍କା ପର୍ଯ୍ୟଟନ କାର୍ଯ୍ୟକ୍ରମର ନିର୍ଦ୍ଦିଷ୍ଟ ଯୋଜନା ଅଧୀନରେ ଖର୍ଚ୍ଚ ହେବ। ଅବଶିଷ୍ଟ ୧୩ କୋଟି ୩୨ ଲକ୍ଷ ୬୧ ହଜାର ୧୧୦ ଟଙ୍କା ପରବର୍ତ୍ତୀ ସମୟରେ ମଞ୍ଜୁର ଓ ମୁକ୍ତ କରାଯିବ।

ସମସ୍ତ ଆବଶ୍ୟକୀୟ ବୈଷୟିକ ଅନୁମୋଦନ ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ନିର୍ଦ୍ଧାରିତ ଅଟକଳ ଓ ଅନୁମୋଦିତ କାର୍ଯ୍ୟ ଅନୁସାରେ ଖର୍ଚ୍ଚ କରିବା ସହ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରତିମାସରେ ଭୌତିକ ଓ ଆର୍ଥିକ ପ୍ରଗତି ରିପୋର୍ଟ ଦାଖଲ କରିବାକୁ ଆଦେଶରେ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande