
ଚମ୍ପୁଆ, ୨୧ ନଭେମ୍ବର (ହି.ସ.) - ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ା ଖଣି ବିଭାଗ କାର୍ଯ୍ୟାଳୟରେ ଦଲାଲମାନଙ୍କ ସକ୍ରିୟତାକୁ ନେଇ ଏବେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟାଳୟ ପରିସର ଏବଂ ଏହାର ଆଖପାଖ ଅଂଚଳରେ ଦଲାଲମାନଙ୍କ ଅବାଧ ପ୍ରବେଶ ଓ ପ୍ରାଦୁର୍ଭାବ ବିଭାଗୀୟ କାର୍ଯ୍ୟର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଅତୀତରେ ଖଣି ଦୁର୍ନୀତି ପାଇଁ ସାରା ଦେଶରେ ଚର୍ଚ୍ଚା ଓ ବଦନାମ ମୁଣ୍ଡାଇଥିବା ଯୋଡ଼ା ଖଣି ବିଭାଗ କାର୍ଯ୍ୟାଳୟରେ ପୁଣି ଥରେ ଦଲାଲଙ୍କ ଦୌରାତ୍ମ୍ୟ ବଢ଼ିଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ବିନା ଦଲାଲରେ କାର୍ଯ୍ୟାଳୟ ଭିତରେ କୌଣସି ଫାଇଲ ଆଗକୁ ଘୁଂଚୁନାହିଁ। ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ସହ ଏହି ଦଲାଲମାନଙ୍କର ଭିତିରି ବୁଝାମଣା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିଭିନ୍ନ ଖଣିଜ କାରବାର ଓ ଡିଲ୍ କ୍ଷେତ୍ରରେ ଏହି ଦଲାଲମାନେ ମୁଖ୍ୟ ସୂତ୍ରଧର ସାଜି ମୂଲଚାଲ କରୁଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ଏହି ଅଭିଯୋଗକୁ ନେଇ ଯୋଡ଼ା ଖଣି ବିଭାଗର ଉପ-ନିର୍ଦ୍ଦେଶକ ବିଶ୍ୱରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ କାର୍ଯ୍ୟାଳୟରେ ଦଲାଲଙ୍କ ଉପସ୍ଥିତି ଓ ପ୍ରଭାବକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି। କାର୍ଯ୍ୟାଳୟ ପରିସରରେ କୌଣସି ଦଲାଲଙ୍କୁ ପ୍ରଶ୍ରୟ ଦିଆଯିବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / Trinath Mahanta