ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତା ନେଇ ଆୟୋଜିତ ହେଲା ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’
ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକ ଅନ୍ତର୍ଗତ ଖଲିଆପାଲିସ୍ଥିତ ଡଃ ବି.ଆର୍. ଆମ୍ବେଦକର ଷ୍ଟାଡିୟମ ଠାରେ ୟୁଥ୍ କାଉନସିଲ୍ ଫର୍ ଡେଭଲପମେଂଟ ଅଲ୍ଟରନେଟିଭ୍ସ ପକ୍ଷରୁ ‘ପତଙ୍ଗୀ– ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି। ‘ଟୁ ଫିଟ୍ ଅହେଡ୍ ଟୁଗେଦର’ କାର୍ଯ୍ୟକ୍ରମ ଅଧୀ
ପିଲାମାନଙ୍କ ପ୍ରତିଭା, ସୃଜନଶୀଳତା ଓ ସୁରକ୍ଷାର ବାର୍ତ୍ତା ନେଇ ଆୟୋଜିତ ହେଲା ‘ପତଙ୍ଗୀ – ଶିଶୁ ମହୋତ୍ସବ ୨୦୨୬’


ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲାର ପୁଇଁତଳା ବ୍ଲକ ଅନ୍ତର୍ଗତ ଖଲିଆପାଲିସ୍ଥିତ ଡଃ ବି.ଆର୍. ଆମ୍ବେଦକର ଷ୍ଟାଡିୟମ ଠାରେ ୟୁଥ୍ କାଉନସିଲ୍ ଫର୍ ଡେଭଲପମେଂଟ ଅଲ୍ଟରନେଟିଭ୍ସ ପକ୍ଷରୁ ‘ପତଙ୍ଗୀ– ଶିଶୁ ମହୋତ୍ସବ ୨୦୨୬’ ଆୟୋଜିତ ହୋଇଯାଇଛି। ‘ଟୁ ଫିଟ୍ ଅହେଡ୍ ଟୁଗେଦର’ କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି ମହୋତ୍ସବରେ ପ୍ରାୟ ୫୦୦ ଜଣ ଶିଶୁ ଓ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ। ଶିଶୁମାନଙ୍କ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରକାଶ, ଶିଶୁ ଅଧିକାର ଓ ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଶିଶୁମାନଙ୍କୁ ଏକ ସୁରକ୍ଷିତ ଓ ଆନନ୍ଦମୟ ପରିବେଶ ଯୋଗାଇଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ଶିଶୁମାନଙ୍କ ଦ୍ୱାରା ଏକ ଆକର୍ଷଣୀୟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରାରେ ଶିଶୁମାନେ ଉତ୍ସାହ ଓ ଉଦ୍ଦୀପନାର ସହ ଅଂଶଗ୍ରହଣ କରିଥିଲେ।

ଚଳିତ ବର୍ଷର ମହୋତ୍ସବର ମୁଖ୍ୟ ବିଷୟବସ୍ତୁ ଥିଲା ‘ଇଂଟରନେଟ୍, ସୋସିଆଲ୍ ମିଡିଆ ଓ ସାଇବର ସୁରକ୍ଷା’। ଏହି ଅବସରରେ ଆୟୋଜିତ ଟକ୍ ଶୋ’ରେ ଇଂଟରନେଟ୍ର ସଠିକ୍ ବ୍ୟବହାର, ଅପବ୍ୟବହାର, ଅତ୍ୟଧିକ ବ୍ୟବହାର ଏବଂ ଏହାର ଶିଶୁମାନଙ୍କ ମାନସିକ ଓ ସାମାଜିକ ଜୀବନ ଉପରେ ପଡୁଥିବା ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସାଇବର ଅପରାଧରୁ ନିଜକୁ କିପରି ସୁରକ୍ଷିତ ରଖିବେ ଏବଂ ଡିଜିଟାଲ୍ ମାଧ୍ୟମକୁ କିପରି ସଚେତନତାର ସହ ବ୍ୟବହାର କରିବେ, ସେ ସମ୍ପର୍କରେ ଶିଶୁ ଓ ଅଭିଭାବକମାନଙ୍କୁ ଉପଯୋଗୀ ପରାମର୍ଶ ଦିଆଯାଇଥିଲା। ସେହିପରି ଅଭିଭାବକମାନଙ୍କ ପାଇଁ ‘ଉତମ ପ୍ୟାରେଂଟିଂ ଦକ୍ଷତା’ ଉପରେ ଏକ ସ୍ୱତନ୍ତ୍ର ଆଲୋଚନା ଅଧିବେଶନ ଆୟୋଜିତ ହୋଇଥିଲା। ଶିଶୁମାନଙ୍କ ଭାବନାକୁ ବୁଝିବା, ସେମାନଙ୍କ କଥାକୁ ଗୁରୁତ୍ୱ ଦେବା, ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଗଢ଼ିବା ଏବଂ ଡିଜିଟାଲ୍ ଯୁଗରେ ଅଭିଭାବକମାନଙ୍କ ଦାୟିତ୍ୱ ଓ ପ୍ରତିକ୍ରିୟା କିପରି ହେବା ଉଚିତ, ସେ ନେଇ ଆଲୋଚନା କରାଯାଇଥିଲା।

ମହୋତ୍ସବରେ ବିଭିନ୍ନ ମନୋରଞ୍ଜନମୂଳକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ମନ ମୋହିଥିଲା। ବିଭିନ୍ନ ଅଂଚଳରୁ ଆସିଥିବା ପ୍ରତିଭାବାନ ଶିଶୁମାନେ ମଂଚରେ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଶେଷ ଆକର୍ଷଣ ଭାବେ ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ହାସ୍ୟରସାତ୍ମକ ପରିବେଷଣ ଶିଶୁମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ସୃଷ୍ଟି କରିଥିଲା। ଶିଶୁମାନଙ୍କ ଜ୍ଞାନ, ଶିକ୍ଷା ଓ ଅନୁଭୂତି ବୃଦ୍ଧି ପାଇଁ ବିଭିନ୍ନ ସଂସ୍ଥା ଓ ବିଭାଗ ପକ୍ଷରୁ ସଚେତନତା ଓ ସୂଚନାଭିତିକ ଷ୍ଟଲ୍ ସ୍ଥାପନ କରାଯାଇଥିଲା। ଏହି ଷ୍ଟଲ୍ଗୁଡ଼ିକ ମାଧ୍ୟମରେ ଶିଶୁ ଓ ସମୁଦାୟର ସଦସ୍ୟମାନେ ନୂତନ ଜ୍ଞାନ ଓ ତଥ୍ୟ ହାସଲ କରିବାର ସୁଯୋଗ ପାଇଥିଲେ। ଏହି ମହୋତ୍ସବରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ପୁଲିସ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଶିଶୁମାନଙ୍କ ସୁରକ୍ଷା, ଶିକ୍ଷା, ବିକାଶ ଓ ଅଧିକାର ସୁରକ୍ଷା ଦିଗରେ ନିଜ ନିଜର ମତାମତ ଓ ସହଯୋଗ ପ୍ରକାଶ କରିଥିଲେ। ଏହି ଅବସରରେ କୁହାଯାଇଥିଲା ଯେ, ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ କିଛି ନା କିଛି ପ୍ରତିଭା ଓ ସାମର୍ଥ୍ୟ ରହିଛି। ସେମାନଙ୍କୁ ଉପଯୁକ୍ତ ସୁଯୋଗ, ପ୍ରୋତ୍ସାହନ ଓ ସୁରକ୍ଷିତ ପରିବେଶ ଯୋଗାଇଦେବା ସମାଜର ସାମୂହିକ ଦାୟିତ୍ୱ। ଶିଶୁମାନେ କେବଳ ବିକାଶର ହିତାଧିକାରୀ ନୁହନ୍ତି, ବରଂ ସେମାନେ ସମାଜ ପରିବର୍ତନର ସକ୍ରିୟ ଅଂଶୀଦାର। କର୍ମକର୍ତା ଓ ସମସ୍ତ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସ ଓ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୧୯୯୩ ମସିହାରୁ ଶିଶୁ, ମହିଳା, ଯୁବକ ଯୁବତୀ ଓ ଅବହେଳିତ ସମୁଦାୟର ସଶକ୍ତୀକରଣ, ଶିକ୍ଷା, ଶିଶୁ ସୁରକ୍ଷା ଓ ସାମଗ୍ରିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିଆସୁଛି। ‘ପତଙ୍ଗୀ’ ମହୋତ୍ସବ ମାଧ୍ୟମରେ ପ୍ରତ୍ୟେକ ଶିଶୁକୁ ସ୍ୱପ୍ନ ଦେଖିବା, ନିଜ ପ୍ରତିଭା ପ୍ରକାଶ କରିବା, ଅଂଶଗ୍ରହଣ କରିବା ଓ ଜୀବନରେ ଆଗକୁ ବଢ଼ିବା ପାଇଁ ଏକ ସୁନ୍ଦର ମଂଚ ପ୍ରଦାନ କରିବାର ପ୍ରୟାସ କରାଯାଇଛି।

ଆୟୋଜକ: ୟୁଥ୍ କାଉନସିଲ୍ ଫର୍ ଡେଭଲପମେଂଟ ଅଲ୍ଟରନେଟିଭ୍ସ କାର୍ଯ୍ୟକ୍ରମ: ବାର୍ତା- ପ୍ରତ୍ୟେକ ଶିଶୁର ପ୍ରତିଭାକୁ ସମ୍ମାନ, ପ୍ରତ୍ୟେକ ଶିଶୁର ସୁରକ୍ଷା ଓ ପ୍ରତ୍ୟେକ ଶିଶୁକୁ ଆଗକୁ ବଢ଼ିବାର ସୁଯୋଗ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande