
ଅଧାପନ୍ତରିଆ କାମ ଶୀଘ୍ର ସାରିବାକୁ ତାଗିଦ୍, ଡିସେମ୍ବର ୯ରୁ ଜାତୀୟସ୍ତରୀୟ ହକି ପ୍ରତିଯୋଗିତା
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.): ଝାରସୁଗୁଡ଼ା ଜିଲାରେ ହକିର ବିକାଶ ସହ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଏନେଇ ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲାର ପ୍ରମୁଖ ଶିଳ୍ପସଂସ୍ଥା ବେଦାନ୍ତ, ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଏବଂ ଏନ୍ଏଲ୍ସିର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଷ୍ଟାଡିୟମରେ ଦୀର୍ଘଦିନ ଧରି ଅଧାପନ୍ତରିଆ ହୋଇ ପଡ଼ିରହିଥିବା ହଷ୍ଟେଲ, ଗ୍ୟାଲେରି ଓ ଫ୍ଲଡ୍ ଲାଇଟ୍ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଲାପାଳ ସମୀକ୍ଷା କରିଥିଲେ। ଏଥିସହ ଦାୟିତ୍ୱରେ ଥିବା ସଂସ୍ଥାଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ତାଗିଦ୍ କରିଥିଲେ।
ଏହାବ୍ୟତୀତ ଆସନ୍ତା ଡିସେମ୍ବର ୯ ତାରିଖରୁ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ୫-ଏ-ସାଇଡ୍ (୧୭ ବର୍ଷରୁ କମ୍) ବାଳିକା ସର୍ବଭାରତୀୟ ହକି ପ୍ରତିଯୋଗିତାର ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ଅତିରିକ୍ତ ଜିଲାପାଳ ବ୍ରଜବନ୍ଧୁ ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ନାଏକ, ନିର୍ମାଣ ଓ ବିଦ୍ୟୁତ୍ ବିଭାଗର ଅଧିକାରୀ, ଓଡ଼ିଶା ହକି ଆସୋସିଏଶନର ସଚିବ ସନାତନ ସାହୁ, ଉପସଭାପତି ଜୀବନ ମହାନ୍ତି ଏବଂ ଜିଲା ହକି ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ। ଜିଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ ବୈଠକ ପରିଚାଳନା କରିଥିବାବେଳେ ବିଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ