
ମଲ୍ଟି-ଏକ୍ସେଲ ଟ୍ରକ୍ ଚଳାଚଳକୁ ନେଇ ବିବାଦ ତେଜିଲା
ଦଶଚକିଆ ଟ୍ରକ୍ ମାଲିକଙ୍କ ବିରୋଧ, ରାଜନୈତିକ ନେତାଙ୍କ ଦ୍ୱାରସ୍ଥ
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.): ଝାରସୁଗୁଡ଼ା ଜିଲା ବ୍ରଜରାଜନଗରସ୍ଥିତ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍)ର ବିଭିନ୍ନ କୋଇଲା ଖଣିରେ ମଲ୍ଟି-ଏକ୍ସେଲ ଟ୍ରକ୍ ଚଳାଚଳକୁ ନେଇ ବିବାଦ ତୀବ୍ର ହୋଇଛି। ପ୍ରଶାସନର ନିଷ୍ପତ୍ତିକୁ କେତେଜଣ ଦଶଚକିଆ ଟ୍ରକ୍ ମାଲିକ ବିରୋଧ କରୁଥିବାବେଳେ ଏହି ପ୍ରସଙ୍ଗ ଏବେ ରାଜନୈତିକ ସ୍ତରରେ ପହଞ୍ଚିଛି।
ସୂଚନା ଅନୁଯାୟୀ, ବ୍ରଜରାଜନଗର ଅଞ୍ଚଳର ସମଲେଶ୍ୱରୀ, ଲଜକୁରା ଓ ହୀରାଖଣ୍ଡ ବୁନ୍ଦିଆ ଭଳି ବୃହତ୍ କୋଇଲା ଖଣିରୁ ରାଜ୍ୟର ବିଭିନ୍ନ ଶିଳ୍ପସଂସ୍ଥାକୁ ପ୍ରତିଦିନ କୋଇଲା ପରିବହନ କରାଯାଉଛି। ପୂର୍ବରୁ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘ ଅଧୀନରେ ଥିବା ଶତାଧିକ ଦଶଚକିଆ ଟ୍ରକ୍ ଏହି କାର୍ଯ୍ୟରେ ନିୟୋଜିତ ହେଉଥିଲେ। ତେବେ ଶିଳ୍ପସଂସ୍ଥାଗୁଡ଼ିକରେ କୋଇଲା ଚାହିଦା ବୃଦ୍ଧି ପାଇବା ସହ ନିର୍ଦ୍ଧାରିତ ସମୟରେ କୋଇଲା ପହଞ୍ଚାଇବାରେ ଦଶଚକିଆ ଟ୍ରକ୍ଗୁଡ଼ିକ ସକ୍ଷମ ହେଉନାହାନ୍ତି। ଏହାଦ୍ୱାରା ପରିବହନ ସଂସ୍ଥାଗୁଡ଼ିକ କ୍ଷତି ସହୁଛନ୍ତି।
ଏହି ସମସ୍ୟାର ସମାଧାନ ନିମନ୍ତେ ପରିବହନ ସଂସ୍ଥାଗୁଡ଼ିକ ଖଣିରେ ୧୨ ଓ ୧୪ ଚକିଆ ମଲ୍ଟି-ଏକ୍ସେଲ ଟ୍ରକ୍ ଚଳାଚଳ ପାଇଁ ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ। ସମସ୍ତ ଦିଗକୁ ବିଚାରକୁ ନେଇ ପ୍ରଶାସନ ଏହି ଭାରିଯାନ ଚଳାଚଳକୁ ଅନୁମତି ଦେଇଛି। ଗତ ଦୁଇମାସ ଧରି ଲଖନପୁର ଖଣିରେ ମଲ୍ଟି-ଏକ୍ସେଲ ଟ୍ରକ୍ ଚଳାଚଳ କରୁଥିବାବେଳେ ବ୍ରଜରାଜନଗରରେ ଏହାକୁ ନେଇ ବିରୋଧ ଦେଖାଦେଇଛି।
ଅନ୍ୟପକ୍ଷରେ ବ୍ରଜରାଜନଗର ଟ୍ରକ୍ ମାଲିକ ସଂଘର ସଭାପତି ସତୀଶ ସିଂହ ଓ ସମ୍ପାଦକ ଧନଞ୍ଜୟ ସିଂହ ପ୍ରଶାସନର ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ମଲ୍ଟି-ଏକ୍ସେଲ ଟ୍ରକ୍ ଚଳାଚଳ ସପକ୍ଷରେ ମତ ରଖିଛନ୍ତି। ମାତ୍ର ଜୀବିକା ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରି କେତେଜଣ ଦଶଚକିଆ ଟ୍ରକ୍ ମାଲିକ ବଡ଼ ଗାଡ଼ି ଚଳାଚଳକୁ ବିରୋଧ କରୁଛନ୍ତି। ଏନେଇ ସେମାନେ ବରଗଡ଼ ସାଂସଦଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ତେବେ ଭାରିଯାନ ଚଳାଚଳରେ କୌଣସି ସଂଘ କିମ୍ବା ବ୍ୟକ୍ତି ବାଧା ସୃଷ୍ଟି କଲେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣ ସ୍ପଷ୍ଟ କରିଛନ୍ତି। ଏଭଳି ସ୍ଥିତିରେ ଭାରିଯାନ ଚଳାଚଳକୁ ନେଇ ଟ୍ରକ୍ ମାଲିକଙ୍କ ମଧ୍ୟରେ ମତଭେଦ ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ