
କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳରେ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅମାନୁଷିକ ଭାବେ ମାଡ଼ ମରାଯାଉଥିବାର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଚାଂଚଲ୍ୟ ଖେଳିଯାଇଥିବାବେଳେ ସାଧାରଣରେ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ସମ୍ପୃକ୍ତ ଦମ୍ପତିଙ୍କୁ ଘେରିଯାଇ ଗାଳିଗୁଲଜ କରିବା ସହିତ ନିର୍ଦ୍ଦୟ ଭାବେ ଆକ୍ରମଣ କରୁଛନ୍ତି। ଜଣେ ମହିଳାଙ୍କୁ ମଧ୍ୟ ସର୍ବସମ୍ମୁଖରେ ଠେଲାପେଲା ଓ ମାଡ଼ ମରାଯାଉଥିବା ଦୃଶ୍ୟ ଭିଡିଓରେ ସ୍ପଷ୍ଟ ଭାବେ କଏଦ ହୋଇଛି। ତେବେ କେଉଁ କାରଣରୁ ଏବଂ କେବେ ଏହି ଆକ୍ରମଣ ଘଟିଥିଲା, ସେ ନେଇ ସଠିକ୍ ତଥ୍ୟ ସ୍ପଷ୍ଟ ହୋଇପାରି ନାହିଁ। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓଟି ଘୂରି ବୁଲିବା ପରେ ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦାମାନେ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ଆଇନକୁ ହାତକୁ ନେଇ ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଏଭଳି ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମତ ପ୍ରକାଶ ପାଇଛି। ପୋଲିସ ପ୍ରଶାସନ ତୁରନ୍ତ ଏହି ଭାଇରାଲ ଭିଡିଓର ସତ୍ୟାସତ୍ୟ ଯାଂଚକରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି