
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.)
: ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ସହରର ଅନ୍ୟତମ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ପାହାଡ଼ି ମନ୍ଦିର ଅଞ୍ଚଳ ଏବେ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟିବାକୁ ବସିଛି। ମନ୍ଦିରର ପବିତ୍ରତା ଓ ଶାନ୍ତ ପରିବେଶ ରକ୍ଷା କରିବା ବଦଳରେ କେତେକ ଅସାମାଜିକ ଯୁବକଙ୍କ ଉତ୍ପାତ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ବେଳେ ଏଭଳି ଅବ୍ୟବସ୍ଥା ସେମାନଙ୍କ ସୁରକ୍ଷା ଓ ସୁବିଧା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିରର ଆଖପାଖରେ ଥିବା କେତେକ ନିର୍ଜନ ସ୍ଥାନରେ କିଛି ଯୁବକ ଦିନଦ୍ୱିପ୍ରହରରେ ମଦ୍ୟପାନ କରିବା ସହ ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରୁଛନ୍ତି। ଏପରିକି ନିଶା ସେବନ ପରେ ମଦ ବୋତଲ ଭାଙ୍ଗି ରାସ୍ତାକଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଫିଙ୍ଗି ଦେଉଥିବାରୁ ଅଞ୍ଚଳର ପରିବେଶ ଦୂଷିତ ହେବା ସହ ଯାତାୟାତରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଭଙ୍ଗା କାଚ ବୋତଲ ଯୋଗୁଁ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ, ବିଶେଷକରି ମହିଳା, ବୟସ୍କ ଓ ଶିଶୁମାନଙ୍କ ପାଇଁ ଅସୁବିଧା ହେବାର ଆଶଙ୍କା ରହିଛି।
ପାହାଡ଼ି ମନ୍ଦିର କେବଳ ଏକ ପୂଜାସ୍ଥଳୀ ନୁହେଁ, ଏହା ଝାରସୁଗୁଡ଼ା ସହରର ଏକ ପରିଚିତ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ। ତେଣୁ ଏହି ସ୍ଥାନକୁ ଶାନ୍ତି ଓ ଭକ୍ତିର ପରିବେଶରେ ରଖିବା ଅତ୍ୟନ୍ତ ଜରୁରୀ। କିନ୍ତୁ ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ ଏବଂ ତଦାରଖର ଅଭାବ ଯୋଗୁଁ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ସମ୍ଭବ ହେଉନଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଯଦି ଏହି ସମସ୍ୟା ପ୍ରତି ସମୟୋଚିତ ଦୃଷ୍ଟି ଦିଆନଯାଏ, ତେବେ ଆଗାମୀ ଦିନରେ ଶ୍ରଦ୍ଧାଳୁଙ୍କ ଆଗମନ ଓ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ଏହାର କୁପ୍ରଭାବ ପଡ଼ିବାର ଆଶଙ୍କା ରହିଛି।
ଏଭଳି ସ୍ଥିତିରେ ମନ୍ଦିର ଅଞ୍ଚଳରେ ନିୟମିତ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କରିବା, ନିର୍ଜନ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ରଖିବା, ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରିବା ସହ ମଦ୍ୟପାନ ଓ ନିଶାଦ୍ରବ୍ୟ ସେବନ କରୁଥିବା ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସହରବାସୀ ଓ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଦାବି ହେଉଛି। ଏଥିସହ ମନ୍ଦିର ପରିସର ଓ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ରଖିବା ଦିଗରେ ପୁଲିସ ପ୍ରଶାସନ ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏକ ପ୍ରମୁଖ ଧାର୍ମିକ ସ୍ଥଳୀର ମର୍ଯ୍ୟାଦା ରକ୍ଷା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ହେବା ଉଚିତ ବୋଲି ମତ ପ୍ରକାଶ ପାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ