
କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ଜିଲ୍ଲା କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭ ପରିପ୍ରେକ୍ଷୀରେ ସ୍ଥାନୀୟ ଇଚ୍ଛାପୁରସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ନେତୃତ୍ୱ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ ସ୍ତରରୁ ଶ୍ରେଷ୍ଠ ବିବେଚିତ ଯୁବ ନେତୃତ୍ୱଙ୍କ ମଧ୍ୟରେ ପାୱାର ପଏଂଟ ମାଧ୍ୟମରେ ପ୍ରାକୃତିକ ସମ୍ପଦ ଆଧାରିତ ଶିଳ୍ପାୟନ ଏବଂ ସମ୍ବଳ ନେତୃତ୍ୱ ଅଭିବୃଦ୍ଧି' ଶୀର୍ଷକ ପ୍ରତିଯୋଗିତାରେ ପ୍ରଥମ ଶୀର୍ଷ ଦଳରୁ ଓୟୁଏଟି ଛାତ୍ରୀ ଅଂଶୁଜା ପାଣି ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିଅନ ହେବା ସହ ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ଭିସୁଟ୍ ଛାତ୍ର ଶୁଭଜିତ ସାହୁ ଦ୍ୱିତୀୟ ଓ ସୋଆ ବିଶ୍ୱବିଦ୍ୟାଳୟ ଛାତ୍ର ଦେବୀଦତ କୁମାରେଶ୍ୱର ତ୍ରିପାଠୀ ତୃତୀୟ ସ୍ଥାନରେ ରହି ରାଜ୍ୟସ୍ତରକୁ ଉନ୍ନୀତ ହୋଇଛନ୍ତି। ବିଜେତାମାନଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିପରି ଦ୍ୱିତୀୟ ଶୀର୍ଷ ଦଳରୁ ଲିପ୍ସା ରାଜନନ୍ଦିନୀ ପାତ୍ର, ଅର୍ପିତା କର ଓ ଓମପ୍ରକାଶ ରଥ ମଧ୍ୟ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି। ବିକଶିତ ଭାରତ- ୨୦୨୭ ପରିପ୍ରେକ୍ଷୀରେ ପରିବେଶକୁ ସନ୍ତୁଳିତ ରଖି ପ୍ରାକୃତିକ ସମ୍ପଦ ଆଧାରିତ ଶିଳ୍ପାୟନରେ ଯୁବ ଶକ୍ତିର ସହଭାଗିତା ଉପରେ ପ୍ରତିଯୋଗୀମାନେ ପାୱାର ପଏଂଟ ମାଧ୍ୟମରେ ନିଜ ନିଜ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ସୁରେଶ ଚନ୍ଦ୍ର ଦାସ, ମାର୍ଶାଘାଇ ମହାବିଦ୍ୟାଳୟରୁ ସୁକାନ୍ତ କୁମାର ପ୍ରଧାନ ଓ ତୁଳସୀ ମହିଳା ମହାବିଦ୍ୟାଳୟରୁ ଶ୍ରଦ୍ଧାଞ୍ଜଳି ମିଶ୍ର ଯୋଗ ଦେଇଥିବାବେଳେ ସାମାଜିକ କର୍ମୀ ଇଂ. ଅକ୍ଷୟ କୁମାର ପାଣି ଓ ମାଇଁ ଭାରତ ଜିଲ୍ଲା ସହାୟକ ଲକ୍ଷ୍ମୀକାନ୍ତ ଜେନା, କେନ୍ଦ୍ରୀୟ ପ୍ରତିନିଧି ରସେନ୍ଦ୍ର ରାମଦେଓ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଶ୍ରୀଧର ମଲ୍ଲିକ, ଦେବସୁନ୍ଦର ପାଢ଼ୀ, ସୁଭଦ୍ରା ମଲ୍ଲିକ, ଟୁଲୁ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି