ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ- ‘ସର୍ଗିଫୁଲ–୨୦୨୬’
District level students festival
ଝାରସୁଗୁଡ଼ାରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ- ‘ସର୍ଗିଫୁଲ–୨୦୨୬’


ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) ପ୍ରତ୍ୟେକ ଶିଶୁ ନିକଟରେ ଏକ ଅନନ୍ୟ ପ୍ରତିଭା ରହିଛି, ଯାହାକୁ ଚିହ୍ନଟ କରିବା ସହ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହି ଲକ୍ଷ୍ୟ ନେଇ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ ‘ସର୍ଗିଫୁଲ–୨୦୨୬’ ଆୟୋଜନ କରାଯାଉଛି। ଏହି ପଦକ୍ଷେପର ଏକ ଅଂଶସ୍ୱରୂପ, ଝାରସୁଗୁଡ଼ାସ୍ଥିତ ନବଦାସ ଅଡିଟୋରିୟମ୍ ହଲଠାରେ ଜିଲ୍ଲାସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବ ‘ସର୍ଗିଫୁଲ–୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାର ୩୭ଟି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଦ୍ୟାଳୟରୁ ପ୍ରାୟ ୪୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶ୍ରେଣୀଗୃହ ଶିକ୍ଷା ବାହାରେ ସାଂସ୍କୃତିକ କାର୍ଯ୍ୟକ୍ରମ, କର୍ମଶାଳା, ବିଜ୍ଞାନ ପ୍ରଦର୍ଶନୀ, କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସହ-ପାଠ୍ୟକ୍ରମିକ କାର୍ଯ୍ୟକଳାପ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ସୃଜନଶୀଳତାର ବିକାଶ ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇ ଦେବା ଏହି ମହୋତ୍ସବର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଜୟଶ୍ରୀଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉତ୍ସବରେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ମହୋତ୍ସବରେ ପ୍ରତିଯୋଗିତାଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା: କନିଷ୍ଠ ବର୍ଗ (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ), ବରିଷ୍ଠ ବର୍ଗ (ନବମରୁ ଦ୍ୱାଦଶ ଶ୍ରେଣୀ) ଏବଂ ମିଳିତ ବର୍ଗ। ବରିଷ୍ଠ ବର୍ଗରେ ଓଡ଼ିଆ ବକ୍ତୃତା, ଓଡ଼ିଆ ସୃଜନଶୀଳ ଲିଖନ, ଚିତ୍ରାଙ୍କନ, ଓଡ଼ିଆ ତର୍କ, ଏକକ ସଙ୍ଗୀତ ଏବଂ ଏକକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେହିପରି କନିଷ୍ଠ ବର୍ଗରେ ଓଡ଼ିଆ ବକ୍ତୃତା, ଓଡ଼ିଆ ତର୍କ, ଓଡ଼ିଆ ସୃଜନଶୀଳ ଲିଖନ, ଏକକ ସଙ୍ଗୀତ, ଏକକ ନୃତ୍ୟ ଏବଂ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ମିଳିତ ବର୍ଗ ଅଧୀନରେ ବିଜ୍ଞାନ ପ୍ରଦର୍ଶନୀ ଏବଂ ଦଳଗତ ଲୋକନୃତ୍ୟ ପ୍ରତିଯୋଗିତା କରାଯାଇଥିଲା। ପ୍ରତ୍ୟେକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଚିନ୍ତାଧାରା, କଳାତ୍ମକ ଦକ୍ଷତା, ଜ୍ଞାନ ଏବଂ ସାଂସ୍କୃତିକ ଐତିହ୍ୟ ପ୍ରକାଶ କରିବାର ସୁଯୋଗ ପ୍ରଦାନ କରିଥିଲା। ଜିଲ୍ଲାସ୍ତରୀୟ ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ଡିସେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମହୋତ୍ସବରେ ଝାରସୁଗୁଡ଼ା ଜିଲ୍ଲାର ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ କରାଯିବ। କେବଳ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ମଧ୍ୟରେ ସୀମିତ ନରହି ‘ସର୍ଗିଫୁଲ–୨୦୨୬’ ଯୁବ ପ୍ରତିଭା ଏବଂ ଛାତ୍ରଛାତ୍ରୀମାନଙ୍କର ସମୃଦ୍ଧ ସାଂସ୍କୃତିକ ଅଭିବ୍ୟକ୍ତିର ଏକ ମହାନ ଉତ୍ସବ ପାଲଟିଥିଲା, ଯାହା ସେମାନଙ୍କୁ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବା ଓ ପରସ୍ପରଠାରୁ ଶିଖିବା ପାଇଁ ପ୍ରେରଣା ଯୋଗାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande