
ନୂଆଦିଲ୍ଲୀ /ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍)-୨୦୨୬ ଅବସରରେ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳାତ୍ମକ ଉତ୍କର୍ଷ ଓ ଅନନ୍ୟ ପରମ୍ପରା ଦର୍ଶକଙ୍କ ମନରେ ରୋମାଂଚ ସୃଷ୍ଟି କରିଛି । ଏହି ଅବସରରେ ଓଡ଼ିଶୀ, ପାଇକ ଯୁଦ୍ଧକଳା ନୃତ୍ୟ ଓ ଧାପ ନୃତ୍ୟର ଚିତାକର୍ଷକ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା। ଏହି ସାଂସ୍କୃତିକ ପ୍ରସ୍ତୁତି ଜାତୀୟ ମଞ୍ଚରେ ଓଡ଼ିଶାର ଶାସ୍ତ୍ରୀୟ ଗରିମା, ଲୋକପରମ୍ପରା ଓ ବୀରତ୍ୱପୂର୍ଣ୍ଣ ସାଂସ୍କୃତିକ ଐତିହ୍ୟର ଏକ ମନୋରମ ସମନ୍ୱୟ ପ୍ରଦର୍ଶନ କରିଥିଲା।
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ନୂଆଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ସୁଶ୍ରୀ ରିତୁ ଅରୋରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ତାଙ୍କ ସହିତ ଅତିରିକ୍ତ ଆବାସିକ ଆୟୁକ୍ତ ସୁଶ୍ରୀ ସୁଚରିତା ଷଡଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ସୁଶ୍ରୀ ସୁଚେତା ପ୍ରିୟଦର୍ଶିନୀ ଏବଂ ଉପନିର୍ଦ୍ଦେଶିକା-ତଥା-ପାଭିଲିୟନ୍ ନୋଡାଲ ଅଧିକାରୀ ଶ୍ରୀ ଅଶ୍ୱିନୀ ଭୋଇ ମଧ୍ୟ ଉପସ୍ଥିତ ଥିଲେ। ଏହା ବ୍ୟତୀତ ବିଭିନ୍ନ ବିଭାଗର ଅଧିକାରୀ, ବିଶିଷ୍ଟ ବ୍ୟକ୍ତିବିଶେଷ, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ରହୁଥିବା ଓଡ଼ିଆ, ଆମନ୍ତ୍ରିତ ଅତିଥି ଏବଂ ମେଳାକୁ ଆସିଥିବା ଦର୍ଶକମାନେ ଏହି ସମାରୋହରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ଉପସ୍ଥାପକଙ୍କ ସ୍ୱାଗତ ଓ ପରିଚୟ ପ୍ରଦାନରୁ ହୋଇଥିଲା। ଅତିଥିମାନଙ୍କ ଆଗମନ ପରେ ପାରମ୍ପରିକ ଦୀପ ପ୍ରଜ୍ୱଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବଦେବୀଙ୍କ ଉଦ୍ଦେଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ଓଡ଼ିଶା ରାଜ୍ୟ ସମାରୋହର ଶୁଭ ଉଦ୍?ଘାଟନ କରାଯାଇଥିଲା।
ସାଂସ୍କୃତିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଭୁବନେଶ୍ୱରର କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍' ପକ୍ଷରୁ ପରିବେଷିତ ମନୋରମ ଓଡ଼ିଶୀ ନୃତ୍ୟରୁ ହୋଇଥିଲା। ଓଡ଼ିଶୀ ନୃତ୍ୟର ଭାବପୂର୍ଣ୍ଣ ଅଭିବ୍ୟକ୍ତି, ଶାସ୍ତ୍ରୀୟ ମୁଦ୍ରା ଓ ଲୟବଦ୍ଧ ପଦଚାଳନା ଦର୍ଶକମାନଙ୍କୁ ଓଡ଼ିଶାର ସମୃଦ୍ଧ ଶାସ୍ତ୍ରୀୟ ନୃତ୍ୟ ପରମ୍ପରାର ଅନୁଭବ ପ୍ରଦାନ କରିଥିଲା।
ଏହାପରେ ଖୋର୍ଦ୍ଧାର ପାଇକ ଆଖଡ଼ା କବିରାଜ ଆଣ୍ଡ ଗ୍ରୁପ୍' ପକ୍ଷରୁ ପାଇକ ଯୁଦ୍ଧକଳା ନୃତ୍ୟ ପରିବେଷଣ କରାଯାଇଥିଲା। ଶୃଙ୍ଖଳିତ ସାମୂହିକ ପ୍ରଦର୍ଶନ ଓ ପ୍ରଭାବଶାଳୀ ଯୁଦ୍ଧକଳା ମୁଦ୍ରାରେ ସମୃଦ୍ଧ ଏହି ପରିବେଷଣ ଓଡ଼ିଶାର ଗୌରବମୟ ପାଇକ ପରମ୍ପରା, ସାହସ ଓ ବୀରତ୍ୱକୁ ଜୀବନ୍ତ ରୂପରେ ଉପସ୍ଥାପନ କରିଥିଲା।
କାର୍ଯ୍ୟକ୍ରମର ପରବର୍ତୀ ପର୍ଯ୍ୟାୟରେ ବଲାଙ୍ଗୀରର ଦୁଲଦୁଲି କଳା ପରିଷଦ' ପକ୍ଷରୁ ଢାପ ନୃତ୍ୟ ପରିବେଷଣ କରାଯାଇଥିଲା। ପାରମ୍ପରିକ ଢାପର ତାଳବଦ୍ଧ ଶବ୍ଦ, ଉତ୍ସାହଭରା ନୃତ୍ୟ ଓ ଲୋକସଂସ୍କୃତିର ସୁଲଳିତ ପରିବେଷଣ ଓଡ଼ିଶାର ସମୃଦ୍ଧ ଲୋକପରମ୍ପରା ଓ ଗ୍ରାମୀଣ ସାଂସ୍କୃତିକ ଐତିହ୍ୟର ଝଲକ ପ୍ରଦାନ କରିଥିଲା।
ଓଡ଼ିଶୀ, ପାଇକ ଓ ଢାପ ନୃତ୍ୟର ଏହି ତିନୋଟି ପରିବେଷଣ ଯଥାକ୍ରମେ ରାଜ୍ୟର ଶାସ୍ତ୍ରୀୟ କଳାତ୍ମକ ଗରିମା, ବୀରତ୍ୱପୂର୍ଣ୍ଣ ଯୁଦ୍ଧ ପରମ୍ପରା ଓ ପ୍ରାଚୀନ ଲୋକସଂସ୍କୃତିକୁ ଚମତ୍କାର ଭାବେ ଉପସ୍ଥାପନ କରିଥିଲା। କାର୍ଯ୍ୟକ୍ରମର ଶେଷରେ ଅତିଥିମାନଙ୍କ ଦ୍ୱାରା କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସାମୂହିକ ଫଟୋ ଉତ୍ତୋଳନ କରାଯାଇଥିଲା।
ଓଡ଼ିଶା ରାଜ୍ୟ ଦିବସ ସମାରୋହ ଆଇଆଇଟିଏଫ୍-୨୦୨୬ର ବ୍ୟାପକ ବିଷୟବସ୍ତୁ “ବିକାଶ ଓ ବିରାସତକୁ ମଧ୍ୟ ସାର୍ଥକ ଭାବେ ପ୍ରତିଫଳିତ କରିଥିଲା। ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପାରମ୍ପରିକ ଜ୍ଞାନ, ସ୍ୱଦେଶୀ ହସ୍ତକଳା ଓ କଳାତ୍ମକ ପରମ୍ପରା କିପରି ବିକାଶ ଓ ପ୍ରଗତି ପାଇଁ ପ୍ରେରଣାର ଉତ୍ସ ହୋଇପାରୁଛି, ଏହି ସମାରୋହ ତାହାର ଏକ ସୁନ୍ଦର ଚିତ୍ର ଉପସ୍ଥାପନ କରିଥିଲା।
ଏହି ଅବସରରେ ଭାରତ ମଣ୍ଡପମ୍?ଠାରେ ଆୟୋଜିତ ଓଡ଼ିଶା ପାଭିଲିୟନ୍ ମଧ୍ୟ ଆଗନ୍ତୁକ, ବିଶିଷ୍ଟ ବ୍ୟକ୍ତିବିଶେଷ, ବିଭିନ୍ନ ରାଜ୍ୟର ପ୍ରତିନିଧିମଣ୍ଡଳୀ ଏବଂ ଅନ୍ତର୍ଜାତୀୟ ଅତିଥିମାନଙ୍କଠାରୁ ପ୍ରଶଂସା ସାଉଁଟୁଛି। ଆଫଗାନିସ୍ତାନ, ଫ୍ରାନ୍ସ ଓ ଶ୍ରୀଲଙ୍କା ସମେତ ବିଭିନ୍ନ ଦେଶର ପ୍ରତିନିଧି ଓ ଆଗନ୍ତୁକମାନେ ପାଭିଲିୟନ୍ ପରିଦର୍ଶନ କରି ଏହାର ପ୍ରଶଂସା କରିଛନ୍ତି। ପାଭିଲିୟନ୍?ରେ ଓଡ଼ିଶାର ହସ୍ତତନ୍ତ, ହସ୍ତଶିଳ୍ପ, କୃଷିଜାତ ଉତ୍ପାଦ, ଜନଜାତି ଉତ୍ପାଦ, ଖାଦ୍ୟ ସାମଗ୍ରୀ, ମୂଲ୍ୟଯୁକ୍ତ ଉତ୍ପାଦ ଏବଂ ଉଦ୍ୟୋଗିତା ସମ୍ବନ୍ଧୀୟ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ଏହା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ସୃଜନଶୀଳତା ଓ ଆର୍ôଥକ ସମ୍ଭାବନାକୁ ଉପସ୍ଥାପନ କରୁଥିବା ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ଭାବେ ଉଭା ହୋଇଛି।
ଏପର୍ଯ୍ୟନ୍ତ ଓଡ଼ିଶା ପାଭିଲିୟନ୍ କୁ ୮୦ ହଜାରରୁ ଅଧିକ ଲୋକ ଆସିଥିବାବେଳେ ଏଠାରେ ମୋଟ ବିକ୍ରି ୨୭ ଲକ୍ଷ ଟଙ୍କା ଅତିକ୍ରମ କରିଛି। ପାଭିଲିୟନ୍ ରେ ହସ୍ତତନ୍ତ ବୁଣାକାର୍ଯ୍ୟ, ପଟ୍ଟଚିତ୍ର, ଢୋକ୍ରା ଶିଳ୍ପ ଓ ରୂପା ତାରକସି ଭଳି ପାରମ୍ପରିକ କଳାର ପ୍ରଦର୍ଶନ ମଧ୍ୟ ଆଗନ୍ତୁକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।
ସ୍ୱୟଂ ସହାୟକ ଗୋଷ୍ଠୀ, ଜନଜାତି ସମ୍ପ୍ରଦାୟ, କାରିଗର, କୃଷକ, ସମବାୟ ସଂସ୍ଥା ଓ ଗ୍ରାମୀଣ ଉଦ୍ୟୋଗୀମାନଙ୍କ ଅଂଶଗ୍ରହଣ ମାଧ୍ୟମରେ ପାଭିଲିୟନ୍?ରେ ଜୀବିକା ବୃଦ୍ଧି, ମୂଲ୍ୟ ସଂଯୋଜନ, ବଜାର ସୁଯୋଗର ସମ୍ପ୍ରସାରଣ ଓ ସମାବେଶୀ ବିକାଶ ଦିଗରେ ଓଡ଼ିଶାର ପ୍ରୟାସକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି। ସମ୍ବଲପୁରୀ ବସ୍ତ୍ର, କଟକର ତାରକସି, କନ୍ଧମାଳ ହଳଦୀ, କୋରାପୁଟ କଫି, ମାଣ୍ଡିଆ ଭିତ୍ତିକ ଉତ୍ପାଦ ଓ ପାରମ୍ପରିକ ଖାଦ୍ୟ ସାମଗ୍ରୀ ରାଜ୍ୟର ବିବିଧତା ଓ ସ୍ୱତନ୍ତ୍ର ପରିଚୟକୁ ପ୍ରତିଫଳିତ କରୁଛି।
ଆଇଆଇଟିଏଫ୍-୨୦୨୬ରେ ଆୟୋଜିତ ଓଡ଼ିଶା ରାଜ୍ୟ ଦିବସ ସମାରୋହ ରାଜ୍ୟର କଳାତ୍ମକ ଉତ୍କର୍ଷ, ସାଂସ୍କୃତିକ ବିବିଧତା ଓ ଚିରନ୍ତନ ପରମ୍ପରାର ଏକ ସ୍ମରଣୀୟ ପ୍ରଦର୍ଶନ ଭାବେ ପରିଗଣିତ ହୋଇଛି। ଓଡ଼ିଶୀ, ପାଇକ ଓ ଢାପ ନୃତ୍ୟର ମନମୁଗ୍ଧକର ପରିବେଷଣ ଜାତୀୟ ରାଜଧାନୀର ଦର୍ଶକମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଆତ୍ମା ସହ ପରିଚିତ କରାଇବା ସହ ଏହି ବାର୍ତା ଦେଇଛି ଯେ, ଐତିହ୍ୟ କେବଳ ଗୌରବ ଓ ପରିଚୟର ଆଧାର ନୁହେଁ, ବରଂ ଏକ ପ୍ରଗତିଶୀଳ ଭବିଷ୍ୟତ ଗଠନର ପ୍ରେରଣାଦାୟୀ ଶକ୍ତି ମଧ୍ୟ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା