ଝାରସୁଗୁଡ଼ାରେ ଆନ୍ତର୍ଜାତୀୟ ଝିଅ ଶିଶୁ ଦିବସ ପାଳିତ
International girls children day observed
ଝାରସୁଗୁଡ଼ାରେ ଆନ୍ତର୍ଜାତୀୟ ଝିଅ ଶିଶୁ ଦିବସ ପାଳିତ


ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) - ଝିଅ ଶିଶୁଙ୍କ ଅଧିକାର ସୁରକ୍ଷା, ମହିଳା ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ ତଥା ବାଳିକାମାନଙ୍କୁ ଶିକ୍ଷିତ ଓ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର ମିଳିତ ତତ୍ୱାବଧାନରେ ଆଜି ସ୍ଥାନୀୟ ଗ୍ରିଭାନ୍ସ ହଲ୍ଠାରେ ଆନ୍ତର୍ଜାତୀୟ ଝିଅ ଶିଶୁ ଦିବସ ପାଳନ ଅବସରରେ ଏକ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଝାରସୁଗୁଡ଼ାର ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ସବୁଜ ପତାକା ଦେଖାଇ ଏକ ବିଶାଳ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ବେହେରାମାଲ କିଷାନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ବେହେରାମାଲ ଆଶ୍ରମ ସ୍କୁଲ, ବ୍ରଜରାଜନଗର ଓପିଏମ୍ ଗାର୍ଲସ ହାଇସ୍କୁଲ, ଝାରସୁଗୁଡ଼ା ସରକାରୀ ହାଇସ୍କୁଲ ଏବଂ ପିଏମ୍ ଶ୍ରୀ ସରକାରୀ ହାଇସ୍କୁଲର ବହୁ ସଂଖ୍ୟକ ବାଳିକା ଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ଲାକାର୍ଡ ଧରି ସଚେତନତା ବାର୍ତା ପ୍ରଦାନ କରିଥିଲେ। ଏହା ସହିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ଏସଇଏଚଏଡିଏ, ୱାନ୍ ଷ୍ଟପ୍ ସେଂଟର, ଶକ୍ତି ସଦନର କର୍ମକର୍ତା, ଜିଲ୍ଲାର ସମସ୍ତ ସିଡିପିଓ, ମହିଳା ସୁପରଭାଇଜର, ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀମାନେ ଏହି ରାଲିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରବର୍ତୀ ସମୟରେ ଗ୍ରିଭାନ୍ସ ହଲ୍ଠାରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପଲତା ନାୟକ, ଶିଶୁ କଲ୍ୟାଣ ସମିତି ର ଅଧ୍ୟକ୍ଷ ସୁନନ୍ଦ ମହାରଣା, ସିଡବ୍ଲୁସି ସଦସ୍ୟା ସଂଯୁକ୍ତା ମହାପାତ୍ର ଏବଂ ସେହାଦାର ପ୍ରତିନିଧି ମନ୍ଦାକିନୀ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଝିଅ ଶିଶୁଙ୍କ ସାମ୍ବିଧାନିକ ଅଧିକାର, ସୁରକ୍ଷା, ଉଚ୍ଚଶିକ୍ଷା, ଆତ୍ମନିର୍ଭରଶୀଳତା ଓ ମହିଳା ସଶକ୍ତିକରଣ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ବକ୍ତାମାନେ ଉପସ୍ଥିତ ଛାତ୍ରୀ ଓ ବାଳିକାମାନଙ୍କୁ ନିଜର ଅଧିକାର ପ୍ରତି ସଚେତନ ହେବା ସହିତ ନିଜ ସୁରକ୍ଷା, ଆତ୍ମବିଶ୍ୱାସ ଓ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ଏଥିସହିତ ବାଲ୍ୟ ବିବାହ ନିଷେଧ ଆଇନ ଏବଂ ଜିଲ୍ଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବାଲ୍ୟ ବିବାହ ମୁକ୍ତ ସମାଜ ଗଠନ ପାଇଁ ଉପସ୍ଥିତ ସମସ୍ତ ସଦସ୍ୟ ଓ ଛାତ୍ରୀମାନେ ଶପଥ ପାଠ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande