
ହରିଦ୍ୱାର, ୨୧ ନଭେମ୍ବର (ହି.ସ.)- ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରକ୍ଷପୀଠାଧୀଶ୍ୱର ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ଦେହାନ୍ତରେ ଶ୍ରୀ ପଂଚ ଦଶନାମ ଜୁନା ଆଖଡ଼ା ପକ୍ଷରୁ ତିନି ଦିନ ପାଇଁ ଦେଶର ସମସ୍ତ ପ୍ରମୁଖ ମଠ, ମନ୍ଦିର ଓ ଆଶ୍ରମରେ ହେବାକୁ ଥିବା ଧାର୍ମିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି।
ଆଖଡ଼ାର ଅନ୍ତର୍ଜାତୀୟ ସଂରକ୍ଷକ ଶ୍ରୀମହନ୍ତ ହରି ଗିରି ମହାରାଜଙ୍କ ନିର୍ଦ୍ଦେଶରେ ଏହି ତିନି ଦିନ ସାବିତ୍ରୀ ଦେବୀଙ୍କ ଆତ୍ମାର ଶାନ୍ତି ପାଇଁ ଶାନ୍ତି ପାଠ, ବିଶେଷ ପୂଜାର୍ଚ୍ଚନା ଓ ହବନ ଆୟୋଜନ କରାଯିବ।
ଏହି କ୍ରମରେ ଶନିବାର ହରିଦ୍ୱାରର ଅଧିଷ୍ଠାତ୍ରୀ ଦେବୀ ମା’ ମାୟାଦେବୀ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ବରିଷ୍ଠ ସଭାପତି ଶ୍ରୀମହନ୍ତ ପ୍ରେମ ଗିରି, ବରିଷ୍ଠ ଉପାଧ୍ୟକ୍ଷ ଶ୍ରୀମହନ୍ତ ମହେଶ ପୁରୀ, ସଚିବ ଶ୍ରୀମହନ୍ତ କଂଚନ ଗିରି, ମହାସଚିବ ଶ୍ରୀମହନ୍ତ ଶୈଳେନ୍ଦ୍ର ଗିରିଙ୍କ ସମେତ ନାଗା ସନ୍ନ୍ୟାସୀମାନେ ଆନନ୍ଦ ଭୈରବ ଘାଟରେ ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରି ସାବିତ୍ରୀ ଦେବୀଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ।
ଆଖଡ଼ାର ଅନ୍ତର୍ଜାତୀୟ ପ୍ରବକ୍ତା ଶ୍ରୀମହନ୍ତ ନାରାୟଣ ଗିରି ମହାରାଜ କହିଛନ୍ତି ଯେ, ବାରାଣସୀ, ମୁରାଦାବାଦ, ଉଜ୍ଜୟିନୀ, ନାସିକ, ଜୁନାଗଡ଼, ପିଥୋରାଗଡ଼, ବରେଲି, ବିହାର ସମେତ ସମସ୍ତ ଆଶ୍ରମରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବ।
ସେ କହିଛନ୍ତି ଯେ, କୁମ୍ଭ ୨୦୨୭ର ଶୁଭାରମ୍ଭ ପାଇଁ ନଭେମ୍ବର ୨୧ରେ ହେବାକୁ ଥିବା ରମତା ପଂଚଙ୍କ ନଗର ପ୍ରବେଶ କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖାଯାଇଛି। ଏବେ ରମତା ପଂଚ ୨୪ ନଭେମ୍ବରରେ ନଗର ପ୍ରବେଶ କରିବେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ