
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.)ଆଜି ୨୦୨୬-୨୭ ଖରିଫ ବିପଣନ ବର୍ଷ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ସମସ୍ତ ଉପସ୍ଥିତ ସଦସ୍ୟମାନଙ୍କୁ ସ୍ୱାଗତ କରିବା ସହ ଗତ ୨୦୨୫-୨୬ ଖରିଫ ବିପଣନ ବର୍ଷର ଧାନ କ୍ରୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ଏହା ସହିତ ଚଳିତ ୨୦୨୬-୨୭ ବିପଣନ ବର୍ଷର ଧାନ କ୍ରୟ ସମୟସୀମା ଓ ପ୍ରସ୍ତୁତି ବିଷୟରେ ସେ ବୈଠକରେ ଆଲୋକପାତ କରିଥିଲେ। ବୈଠକରେ ସର୍ବସମ୍ମତିକ୍ରମେ ଆସନ୍ତା ତା. ୨୬.୧୧.୨୦୨୬ ରିଖରୁ ଝାରସୁଗୁଡ଼ା ଜିଲ୍ଲାରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଉପସ୍ଥିତ ସମସ୍ତ ମିଲରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ସମସ୍ତ ଧାନ କ୍ରୟ କେନ୍ଦ୍ରରେ ଚାଷୀମାନଙ୍କ ଧାନ ସଂଗ୍ରହ ନିମନ୍ତେ ଆଗୁଆ ଭଲ ଅଖା ଯୋଗାଇ ଦେବେ। ଏହା ବ୍ୟତୀତ ପ୍ରତ୍ୟେକ ଧାନ କ୍ରୟ କେନ୍ଦ୍ର ପାଇଁ ଜଣେ ଲେଖାଏଁ ମଣ୍ଡି ନୋଡାଲ ଅଫିସର ଏବଂ ୩ଟି କିମ୍ବା ୪ଟି ଧାନ କ୍ରୟ କେନ୍ଦ୍ରକୁ ନେଇ ଜଣେ ଲେଖାଏଁ ମଣ୍ଡି ସୁପରଭାଇଜରଙ୍କୁ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଚାଷୀମାନେ ଯେପରି ସେମାନଙ୍କର ଟୋକନ ଅନୁଯାୟୀ ସୁବିଧାରେ ଧାନ ବିକ୍ରୟ କରିପାରିବେ ଏବଂ ମଣ୍ଡିରେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି। ସେହିପରି ଚାଷୀମାନେ ଯେପରି ନିର୍ଦ୍ଧାରିତ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ, ସେଥିପ୍ରତି ସୋସାଇଟି ସମ୍ପାଦକମାନେ ଚାଷୀମାନଙ୍କୁ ସଚେତନ କରାଇବେ। ଚଳିତ ବର୍ଷ ଚାଷୀମାନେ ଯେପରି ସୁରୁଖୁରୁରେ ସେମାନଙ୍କର ଧାନ ବିକ୍ରୟ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆଜିର ଏହି ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳାବତୀ ମିଞ୍ଜ, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କ ପ୍ରତିନିଧି ନବଲ କୁମାର ଅଗ୍ରୱାଲ, ମାନ୍ୟବର ବରଗଡ଼ ସାଂସଦଙ୍କ ପ୍ରତିନିଧି ରାମହରି ପୂଜାରୀ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ବିଶ୍ୱରଞ୍ଜନ ନାଏକ, ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ସମବାୟ ସମିତି ଉପ-ନିବନ୍ଧକ ମମତାରାଣୀ କୁଜୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହଙ୍କ ସମେତ ସମସ୍ତ କୃଷକ ପ୍ରତିନିଧି ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ