
ଚଣ୍ଡିଗଡ଼, ୨୧ ନଭେମ୍ବର (ହି.ସ.)- ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଅଧୀନରେ ଆସାମର ଡିବ୍ରୁଗଡ଼ ଜେଲ୍ରେ ବନ୍ଦୀ ଥିବା ଖଡ଼ୁର ସାହିବର ସାଂସଦ ଅମୃତପାଲ ସିଂହ ଶନିବାର କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ତାଙ୍କ ଦାଦି ଚରଣ କୌରଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। ଅନ୍ତିମ ରୀତିନୀତି ସମ୍ପନ୍ନ ହେବା ପରେ ପୁଲିସ ତାଙ୍କୁ ସଶସ୍ତ୍ର ଗାଡ଼ିରେ ପୁଣି ଆସାମ ନେଇଯାଇଛି।
ସାଂସଦ ଅମୃତପାଲଙ୍କ ଦାଦି ଚରଣ କୌରଙ୍କ ଗତ ୮ ନଭେମ୍ବରରେ ଦେହାନ୍ତ ହୋଇଥିଲା। ଅମୃତପାଲଙ୍କୁ ପାରୋଲ୍ ମିଳିବା ଅପେକ୍ଷାରେ ଏପର୍ଯ୍ୟନ୍ତ ତାଙ୍କର ଅନ୍ତିମ ସଂସ୍କାର କରାଯାଇନଥିଲା। ଅମୃତସର ଅଦାଲତ ଗତକାଲି ଅନେକ ସର୍ତ ଆଧାରରେ ଅମୃତପାଲଙ୍କୁ ତିନି ଘଂଟାର ପାରୋଲ୍ ପ୍ରଦାନ କରିଥିଲେ। ଅମୃତପାଲଙ୍କୁ ଆସାମର ଡିବ୍ରୁଗଡ଼ରୁ ଅମୃତସର ଆଣିବା ପାଇଁ ହେଉଥିବା ଖର୍ଚ୍ଚ ବାବଦରେ ୧୦ ଲକ୍ଷ ଟଙ୍କା ପରିବାର ପକ୍ଷରୁ ଅଦାଲତରେ ଜମା କରାଯାଇଥିଲା।
ପଞ୍ଜାବ ପୁଲିସର ଏକ ଟିମ୍ ଶୁକ୍ରବାର ରାତିରେ ଅମୃତପାଲଙ୍କୁ ନେଇ ଦିଲ୍ଲୀ ବିମାନବନ୍ଦରରେ ପହଂଚିଥିଲା। ରାତିସାରା ଏକ ସୁରକ୍ଷିତ ଗୃହରେ ରହିବା ପରେ ଶନିବାର ସକାଳେ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଅମୃତସର ଅଣାଯାଇଥିଲା। ସକାଳ ୮ଟା ୩୦ ମିନିଟ୍ରେ ପୁଲିସ ଟିମ୍ ଅମୃତପାଲଙ୍କୁ ନେଇ ଅମୃତସରରେ ପହଂଚିଥିଲା। ସେଠାରେ ତାଙ୍କୁ ତିନି ଘଂଟା ପାଇଁ ଏକ ସୁରକ୍ଷିତ ଗୃହରେ ରଖାଯାଇଥିଲା।
ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅମୃତପାଲଙ୍କୁ ତାଙ୍କ ପୈତୃକ ଗ୍ରାମ ଜଲ୍ଲୁପୁର ଖେଡ଼ାକୁ ନିଆଯାଇଥିଲା। ସେଠାରେ ସେ ନିଜ ଘରକୁ ଯାଇ ଦାଦିଙ୍କ ମରଶରୀରକୁ ଶେଷ ଦର୍ଶନ କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ କିରଣଦୀପ କୌର ଏବଂ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଏହାପରେ ଚରଣ କୌରଙ୍କ ମରଶରୀରକୁ କ୍ଷେତକୁ ନିଆଯାଇଥିଲା। ସେଠାରେ ଅମୃତପାଲଙ୍କ ପିତା ତରସେମ ସିଂହ ମୁଖାଗ୍ନି ଦେଇଥିଲେ।
ପରିବାର ପକ୍ଷରୁ ଚରଣ କୌରଙ୍କ ଅନ୍ତିମ ସଂସ୍କାର ଶ୍ମଶାନ ପରିବର୍ତେ କ୍ଷେତରେ ସଂସ୍କାର କରିବାର ବ୍ୟବସ୍ଥା କରାଯାଇଥିଲା। ଅମୃତପାଲ ପ୍ରାୟ ୨୦ ମିନିଟ୍ ଧରି ଅନ୍ତିମ ରୀତିନୀତିରେ ସାମିଲ ହୋଇଥିଲେ। ଏହି ସମୟରେ ପୁଲିସ ସଂସ୍କାର ସ୍ଥଳକୁ ଚାରିପଟୁ ଘେରି ରହିଥିଲା। ଅନ୍ତିମ ସଂସ୍କାରରେ ସାମିଲ ହେବା ପରେ ଅମୃତପାଲ ସେଠାରେ ଉପସ୍ଥିତ ସଙ୍ଗତଙ୍କୁ ଅଭିବାଦନ ଜଣାଇଥିଲେ। ଏହାପରେ କଡ଼ା ପୁଲିସ ସୁରକ୍ଷା ମଧ୍ୟରେ ତାଙ୍କୁ ପୁଣି ବିମାନବନ୍ଦର ନିଆଯାଇଥିଲା।
ଦିଲ୍ଲୀରେ ରାତ୍ରିଯାପନ କରିବା ପରେ ରବିବାର ସକାଳେ ଇଣ୍ଡିଗୋ ବିମାନ ଯୋଗେ ତାଙ୍କୁ ପୁଣି ଡିବ୍ରୁଗଡ଼ ନିଆଯିବ। ରବିବାର ସକାଳ ୧୧ଟାରେ ପଞ୍ଜାବ ପୁଲିସ ପୁଣି ତାଙ୍କୁ ଆସାମ ପୁଲିସର ହସ୍ତାନ୍ତର କରିବ। ଏହାପରେ ତାଙ୍କୁ ଡିବ୍ରୁଗଡ଼ ଜେଲ୍କୁ ପଠାଯିବ।
-----------------
ହିନ୍ଦୁସ୍ଥାନ ସମାଚାର / ଗଗନ