
ବଲାଙ୍ଗୀର, ୨୧ ନଭେମ୍ବର(ହି.ସ.) – ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗୀରର ସ୍ନାତକୋତର ସଂସ୍କୃତ ବିଭାଗ ଏବଂ ସଂସ୍କୃତ ଭାରତୀର ମିଳିତ ତତ୍ୱାବଧାନରେ ନଭେମ୍ବର ୨୧ ତାରିଖ ଶନିବାର ଦିନ ଆଦିକବି ମହର୍ଷି ବାଲ୍ମୀକି ଜୟନ୍ତୀ ସମାରୋହ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ କୁମାର ଓଝାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଛତାମଖନାର ସଂସ୍କୃତ ଅଧ୍ୟାପକ ଡ. ଦୈତାରୀ ପୂଜାରୀ ଯୋଗଦେଇ ମହର୍ଷି ବାଲ୍ମୀକିଙ୍କ ଜୀବନୀ, ସାହିତ୍ୟିକ ଅବଦାନ ତଥା ମହାକାବ୍ୟ ରାମାୟଣର ନୈତିକ, ସାଂସ୍କୃତିକ ଓ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ନିଜର ସାରଗର୍ଭକ ବକ୍ତବ୍ୟ ରଖିଥିଲେ।
ସଂସ୍କୃତ ବିଭାଗର ମୁଖ୍ୟ ଡ. ସଦାଶିବ ମଲ୍ଲିକ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ଓ ସାହିତ୍ୟର ମହତ୍ୱ ତଥା ଭାରତୀୟ ସଂସ୍କୃତିରେ ମହର୍ଷି ବାଲ୍ମୀକିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଶ୍ରୀ ଅଜିତ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଯୁକ୍ତ ଦୁଇ ସ୍ତରର ସଂସ୍କୃତ ଶିକ୍ଷକ ଶ୍ରୀ ଜତୀନ୍ଦ୍ର ଦଣ୍ଡସେନା ଉପସ୍ଥିତ ଥିଲେ। ସଂସ୍କୃତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହି ସମାରୋହରେ ଅଂଶଗ୍ରହଣ କରିଥିଲେ। ଏଥିସହ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ପର୍ଯ୍ୟାୟକୁ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ମାଧ୍ୟମରେ ଲିପିବଦ୍ଧ କରିଥିଲେ। ଶେଷରେ ଡ. ସମୀର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମର ମଂଚ ସଂଚାଳନ କରିଥିଲେ ଶ୍ରୀ ଆଦର୍ଶ କୁମାର ମହାପାତ୍ର। ପରିଶେଷରେ ଶାନ୍ତିମନ୍ତ୍ର ପାଠ ସହିତ ସଭାର ସମାପନ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ