
ଆଇନ ଓ ପୁନର୍ବାସ ନୀତି ଆଧାରରେ ଜିଲା ପ୍ରଶାସନର ନିଷ୍ପତ୍ତି
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) ତରେଇକେଲା ଗ୍ରାମର ବିବାହିତା ଝିଅମାନଙ୍କୁ ପ୍ରକଳ୍ପ ବିସ୍ଥାପିତ ପରିବାର କିମ୍ବା ପ୍ରକଳ୍ପ କ୍ଷତିଗ୍ରସ୍ତ ପରିବାର ଭାବେ ମାନ୍ୟତା ଦେବା ଦାବିକୁ ଜିଲା ପ୍ରଶାସନ ଗ୍ରହଣ କରିନାହିଁ। ଏ ସମ୍ପର୍କରେ ଜିଲାପାଳ କୁଣାଲ ମୋତିରାମ ଚହ୍ୱାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆଇନଗତ ଦିଗ ଏବଂ ସରକାରୀ ଥଇଥାନ ଓ ପୁନର୍ବାସ ନୀତିର ତର୍ଜମା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ (ଥଇଥାନ ଓ ପୁନର୍ବାସ) ଲଳିତ ସୋରେଙ୍ଗ ଜିଲାପାଳଙ୍କୁ ଏ ସମ୍ପର୍କିତ ସ୍ଥିତି ଓ ତଥ୍ୟ ଅବଗତ କରାଇଥିଲେ। ତରେଇକେଲା ଗ୍ରାମର ବିବାହିତା ଝିଅମାନଙ୍କୁ ପ୍ରକଳ୍ପ ବିସ୍ଥାପିତ କିମ୍ବା ପ୍ରକଳ୍ପ କ୍ଷତିଗ୍ରସ୍ତ ପରିବାର ତାଲିକାରେ ସାମିଲ କରିବା ପାଇଁ ହୋଇଥିବା ଦାବି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଦାବିର ଆଇନଗତ ବୈଧତା ଏବଂ ସରକାରଙ୍କ ପ୍ରଚଳିତ ଥଇଥାନ ଓ ପୁନର୍ବାସ ନୀତିର ବିଭିନ୍ନ ଦିଗକୁ ଅଧିକାରୀମାନେ ଯାଞ୍ଚ କରିଥିଲେ। ଆଲୋଚନା ପରେ ବର୍ତ୍ତମାନ ପ୍ରଚଳିତ ଆଇନ ଓ ନୀତିନିୟମ ଅନୁଯାୟୀ, ତରେଇକେଲା ଗ୍ରାମର ବିବାହିତା ଝିଅମାନଙ୍କୁ ପ୍ରକଳ୍ପ ବିସ୍ଥାପିତ ପରିବାର କିମ୍ବା ପ୍ରକଳ୍ପ କ୍ଷତିଗ୍ରସ୍ତ ପରିବାର ଭାବେ ମାନ୍ୟତା ଦେବାର ବ୍ୟବସ୍ଥା ନଥିବା ସ୍ପଷ୍ଟ କରାଯାଇଥିଲା।
ବୈଠକରେ ଭୂ-ଅର୍ଜନ ଅଧିକାରୀ ବିନୟ ପଟେଲଙ୍କ ସମେତ ଜିଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ