
ଝାରସୁଗୁଡ଼ା, ୨୧ ନଭେମ୍ବର (ହି.ସ.) ଝାରସୁଗୁଡ଼ାରୁ କନକତୋରା ପର୍ଯ୍ୟନ୍ତ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଏବେ ଦୁର୍ଘଟଣାପ୍ରବଣ ମରଣଯନ୍ତା ପାଲଟିଛି। ଦିନକୁ ଦିନ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ। ଗତ ଏକ ବର୍ଷ ମଧ୍ୟରେ ଏହି ରାଜପଥରେ ଦୁର୍ଘଟଣା ଯୋଗୁଁ ପ୍ରାୟ ୧୩୩ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ କରି ରାସ୍ତା ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଏସ୍ପିଙ୍କ ନିକଟରେ ଦାବି ଜଣାଇଛନ୍ତି ଏକ ପ୍ରତିନିଧି ମଣ୍ଡଳୀ।
ଏହି ମର୍ମରେ ଶନିବାର ସମାଜସେବୀ ବିରଞ୍ଚି ସାହୁ, ଗୋପୀନାଥ ମାଝୀ, ମୁରଲୀ ପ୍ରଧାନ ଓ ରାମପ୍ରସାଦ ସାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ନବନିଯୁକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୋନାଲି ସିଂ ପରମାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ଝାରସୁଗୁଡ଼ା-କନକତୋରା ଏନ୍ଏଚ୍-୪୯ ଏକ ବ୍ୟସ୍ତବହୁଳ ଜାତୀୟ ରାଜପଥ ହୋଇଥିବାରୁ ଏହା ଉପରେ ଦିନରାତି ହଜାର ହଜାର ଭାରୀଯାନ ଚଳାଚଳ କରୁଛି। ଅନ୍ୟପକ୍ଷରେ ଓଭରଲୋଡ୍ ଯାନବାହନର ଚଳାଚଳ, ଦ୍ରୁତଗତି, ବେପରୁଆ ଗାଡ଼ି ଚାଳନା ଏବଂ ରାସ୍ତାକଡ଼ରେ ଟ୍ରକ୍ ଓ ଟ୍ରେଲରଗୁଡ଼ିକର ବେଆଇନ ପାର୍କିଂ ଯୋଗୁଁ ନିୟମିତ ଦୁର୍ଘଟଣା ଘଟୁଛି। ଏଥିସହ ହିଟ୍ ଆଣ୍ଡ ରନ୍ ଘଟଣା ମଧ୍ୟ ବୃଦ୍ଧି ପାଉଛି। ଏହି ଦୁର୍ଘଟଣାରେ ବହୁ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ଗୁରୁତର ଆହତ ହେଉଛନ୍ତି।
ସାଧାରଣ ଯାତ୍ରୀଙ୍କ ଜୀବନ ସୁରକ୍ଷା ଓ ଦୁର୍ଘଟଣା ରୋକିବା ପାଇଁ ପ୍ରତିନିଧି ମଣ୍ଡଳୀ ଚାରି ଦଫା ଦାବି ଉପସ୍ଥାପନ କରିଛନ୍ତି। ସେଗୁଡ଼ିକ ହେଲା, ଓଭରଲୋଡ୍ ଓ ଦ୍ରୁତଗତିରେ ଯାଉଥିବା ଭାରୀଯାନଗୁଡ଼ିକ ଉପରେ କଡ଼ା ଯାଞ୍ଚ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ, ଜାତୀୟ ରାଜପଥ କଡ଼ରେ ବେଆଇନ ଟ୍ରକ୍ ଓ ଟ୍ରେଲର ପାର୍କିଂ ଉଚ୍ଛେଦ, ବିଶେଷକରି ରାତି ସମୟରେ ନିୟମିତ ପୋଲିସ ପାଟ୍ରୋଲିଂ ସହ ଦୁର୍ଘଟଣାପ୍ରବଣ ସ୍ଥାନରେ ସ୍ପିଡ୍ ବ୍ରେକର୍ ଓ ସତର୍କତା ସୂଚନା ଫଳକ ସ୍ଥାପନ ଏବଂ ଦୁର୍ଘଟଣା ଘଟାଇ ଫେରାର ହେଉଥିବା ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ।
ଏହି ଦାବିପତ୍ରର ନକଲ ଜିଲ୍ଲାପାଳ, ଏସ୍ଡିପିଓ, ଲଖନପୁର ଥାନା ଅଧିକାରୀ ଏବଂ ଏନ୍ଏଚ୍ଏଆଇର ଝାରସୁଗୁଡ଼ା ଡିଭିଜନକୁ ମଧ୍ୟ ପ୍ରଦାନ କରାଯାଇଛି। ଏସ୍ପି ସୋନାଲି ସିଂ ପରମାର ଦାବିପତ୍ର ଗ୍ରହଣ କରିବା ସହ ଏହି ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ