
ବଲାଙ୍ଗିର, 21 ନଭେମ୍ବର (ହି.ସ.) ୨୦୧୪ ପରବର୍ତ୍ତି ସମୟରୁ ତତ୍କାଳିନ ବିଧାୟକ ତଥା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିର ବିକାଶ ର ରୋଡ ମ୍ୟାପ କିପରି ହେବ ସେ ନେଇ ସେ ପ୍ରତ୍ୟେକ ବର୍ଷ ଜିଲ୍ଲା ବୁଦ୍ଧିଜିବୀ, ବରିଷ୍ଠ ନାଗରିକ, ସଂଗଠନ, ସାମାଜିକ କର୍ମକର୍ତ୍ତା ଙ୍କ ସହ ଆଲୋଚନା ମାଧ୍ୟମରେ ଲୋକଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଆହ୍ୱାନ କରିଥିଲେ । ଏ ପରିପ୍ରେକ୍ଷୀରେ ୨୦୨୪ ମସିହାରେ ଯଦିଓ ସେ ନିର୍ବାଚନ ରାଜନୀତିରୁ ଦୂରେଇ ରହିଲେ କିନ୍ତୁ ଲୋକ ତଥା ଅଂଚଳର ବିକାଶ ପାଇଁ ସେ ସବୁବେଳେ କାର୍ଯ୍ୟ କରିବାର ପ୍ରତିଶୃତି ଦେଇଥିଲେ । ସେହି ପରିପ୍ରେକ୍ଷୀରେ ପୁଣିଥରେ ବଲାଙ୍ଗିର ର ସମସ୍ତ ସାମାଜିକ ସଂଗଠନ, ବରିଷ୍ଠ ନାଗରିକ, ଛାତ୍ର ଯୁବକ ଙ୍କୁ ନେଇ ସ୍ଥାନୀୟ ହୋଟେଲ ସେଲିବ୍ରେସନରେ ଏକ ମତବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଧର୍ମେନ୍ଦ୍ର ନନ୍ଦ ଙ୍କ ଆବହକତ୍ୱ ତଥା ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ର ଶିକ୍ଷା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ପରିବେଶ ପ୍ରଦୂଷଣ ଓ ଦୁର୍ନିତିକୁ ନେଇ ଲୋକେ ଭୋଗୁଥିବା ସମସ୍ୟା ଉପରେ ଉପସ୍ଥିତ ଜନସାଧାରଣ ଆଲୋଚନା କରିଥିଲେ । ଜିଲ୍ଲା ଶିକ୍ଷା ବିକାଶ ଫୋରମ ର ସଂପାଦକ ପୀତବାସ ପଣ୍ଡା, ସଦସ୍ୟ ଗୋପବନ୍ଧୁ ନାଥ, ଜିଲ୍ଲା ସିଭିଲ ସୋସାଇଟି ର ସଂଯୋଜକ ମନୋରଂଜନ ସାହୁ, ସ୍ୱାଭିମାନ ମଂଚ ର ପ୍ରେମଚାନ୍ଦ ମହାନ୍ତ ପ୍ରମୁଖ ଶିକ୍ଷା ସମସ୍ୟାକୁ ନେଇ ଆଲୋଚନା ସହ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ବିଶେଷ କରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଅଣଶିକ୍ଷକ ଅଭାବ ସମସ୍ୟା, ଗବେଷଣାତ୍ମକ କାର୍ଯ୍ୟ ଆରମ୍ଭ ନ ହେବା, ସଂସ୍କୃତ ମହାବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ନାମଲେଖାରେ ସ୍ଥାଣୁତା, ମହିଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ଦିନଠୁ ଅଧ୍ୟାପକ ନିଯୁକ୍ତି ନ ହେବା, ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତର, ପ୍ରଫେସର ଅଭାବ, ଦାବି ମୁତାବକ ପିଜି ପାଠ୍ୟକ୍ରମ ନ ଖୋଲିବା ଇତ୍ୟାଦିକୁ ନେଇ ସଭାରେ ଘୋର ଉଦ୍ବେଗ ପ୍ରକାଶ କରାଯାଇଥିଲା । ପ୍ରାଥମିକ ଶିକ୍ଷା ତଥା ଆହୁରି ଦୟନୀୟ । ପ୍ରାଥମିକ ସ୍କୁଲ ଓ ହାଇସ୍କୁଲ ଗୁଡିକ ଶିକ୍ଷକ କର୍ମଚାରୀ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ଯାଇଥିବାର ଅଭିଯୋଗ ବିଶେଷ କରି ଗ୍ରାମାଂଚଳ ଲୋକ କରୁଛନ୍ତି ବୋଲି ଆଲୋଚନା ହୋଇଥିଲା । ସ୍ୱାସ୍ଥ୍ୟ ସମସ୍ୟା ଆଲୋଚନା ବେଳେ ନାଗରିକ କମିଟି ସଭାପତି ଶ୍ରୀକର ମିଶ୍ର, ସ୍ୱାଭିମାନ ମଂଚ ରୁ ପ୍ରେମ ଚାନ୍ଦ ମହାନ୍ତି, ଶ୍ରୀମନ୍ତ ପଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ସଦର ମହକୁମା ହସ୍ପିଟାଲ ଓ ଭୀମଭୋଇ ମେଡିକାଲ କଲେଜ ର ସ୍ଥିତି ବହୁତ ଦୟନୀୟ ବୋଲି କହିଥିଲେ । ଗାଁ ତଥା ବ୍ଲକ ଅଂଚଳରେ ଥିବା ପିଏଚ୍ସି, ସିଏଚ୍ସି ତ ଦୂରର କଥା ସଦର ମହକୁମା ହସପିଟାଲ ଏବଂ ଭୀମଭୋଇ ମେଡିକାଲ ରେ ମଧ୍ୟ ଡାକ୍ତର ଅଭାବରୁ ଲୋକେ ଉତ୍ତମ ଚିକିତ୍ସା ପାଇପାରୁ ନାହାନ୍ତି । ସିଟିସ୍କେନ, ଏମ୍ଆରଆଇ ପାଇଁ ଲୋକଙ୍କୁ ଘରୋଇ ଡାକ୍ତରଖାନାକୁ ଯିବାକୁ ପଡିଛି । ମେଡିକାଲ କଲେଜର ନିଜସ୍ୱ ବ୍ଲଡବ୍ୟାଙ୍କ ନାହିଁ । ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଥିଲେ ହେଁ ଏ ସବୁ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କ ଆନ୍ତରିକତା ନାହିଁ ବୋଲି ବୁଦ୍ଧିଜିବିମାନେ କ୍ଷୋଭର ସହିତ କହିଥିଲେ । ଆଇନଶୃଙ୍ଖଳାକୁ ବାର ସଭାପତି ବାସୁଦେବ ରଥ ତଥା ବଣିକ ସଂଘର ସଂପାଦକ ଲଳିତ ଚୌଧୁରି ଘୋର ଉଦ୍ବେଗ ପ୍ରକାଶ କରିଥିଲେ । ବଲାଙ୍ଗିର କୁ ଅବାଧରେ ନିଶାଦ୍ରବ୍ୟ ପ୍ରବେଶ କିପରି କରୁଛି ଏବଂ ତାହା ଯୋଗୁଁ ପ୍ରତ୍ୟେକ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାର ଅଭିଯୋଗ କରିଥିଲେ । ଏହାର ସମାଧାନ ପାଇଁ ଉଚ୍ଚସ୍ତରୀୟ ପୋଲିସ ଅଧିକାରୀଙ୍କୁ ନେଇ ବଲାଙ୍ଗିର ରେ ଏକ ବୈଠକ ବ୍ୟବସ୍ଥା କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଉପସ୍ଥିତ ବୁଦ୍ଧିଜିବି ପ୍ରସ୍ତାବ ଦେଇଥିଲେ । ସାଗୁଆ ବଲାଙ୍ଗିର ଓ ଗ୍ରୀନ ୱାରିୟର ଙ୍କ କାର୍ଯ୍ୟକୁ ଶ୍ରୀ ମିଶ୍ର ପ୍ରଶଂସା କରିବା ସହ ଏହାର ବରିଷ୍ଠ ସଭ୍ୟ ଜୟ ପୁରୋହିତ, ଲଳିତ ମେହେର ତଥା ଅନ୍ୟ ସଭ୍ୟଙ୍କ ବୃକ୍ଷରୋପଣ କୁ ନେଇ କାର୍ଯ୍ୟକ୍ରମ ପାଇଁ ଏକ ଲକ୍ଷ ଟଙ୍କା ଅନୁଦାନ ନିଜେ ପ୍ରଦାନ କରିବେ ବୋଲି ଶ୍ରୀ ମିଶ୍ର ଘୋଷଣା କରିଥିଲେ । ପରିବେଶ ରକ୍ଷା ପାଇଁ ଲକ୍ଷ୍ମୀଯୋର ସଫେଇକରଣ ତଥା ସୌନ୍ଦର୍ଯିକରଣ ନିହାତି ଆବଶ୍ୟକ ଥିବା ଉପସ୍ଥିତ ବୁଦ୍ଧିଜିବିମାନେ ମତପ୍ରକାଶ କରିଥିଲେ । ଦୁର୍ନିତିକୁ ନେଇ ଉଦାହରଣ ଦେଇ ବଲାଙ୍ଗିର ବ୍ଲକ ସଦାଇପାଲିର ରାସ୍ତା କାମରେ ବ୍ଲକ କର୍ତ୍ତୃପକ୍ଷ ତଥା ଜନପ୍ରତିନିଧି କିପରି ୫ଲକ୍ଷ ଟଙ୍କାର ରାସ୍ତା କାମକୁ ସମ୍ପୁର୍ଣ୍ଣ ଭାବେ ବାଟମାରଣା କରିଛନ୍ତି ଏବଂ ଏହାକୁ ନେଇ ପୋଲିସ ଏଫ୍ଆଇଆର ହେବା ସତ୍ତ୍ୱେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ ତାର ଉଦାହରଣ ସହ ସୂଚନା ଶ୍ରୀ ମିଶ୍ର ଦେଇଥିଲେ । ଶ୍ରୀ ମିଶ୍ର ଏ ସମସ୍ୟାମାନଙ୍କୁ ନେଇ ବଲାଙ୍ଗିର ର ବୁଦ୍ଧିଜିବି, ସାମାଜିକ କର୍ମକର୍ତ୍ତା, ସଂଗଠନମାନଙ୍କର ଏକ ପ୍ରତିନିଧି ମଣ୍ଡଳିକୁ ନେଇ ଏକ କମିଟି ଗଠନ କରାଯିବା ବୋଲି ଆସିଥିବା ପ୍ରସ୍ତାବ କୁ ଶିଘ୍ର କାର୍ଯ୍ୟକାରୀ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ସମସ୍ୟା ସମ୍ବନ୍ଧୀୟ ସମସ୍ତ ବିଭାଗ ସହ ଏହି ପ୍ରତିନିଧି ମଣ୍ଡଳି ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଆଲୋଚନା ଏବଂ ଯଦି ସଫଳ ନ ହେଲେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ଆଲୋଚନା ସଭାରେ ବଲାଙ୍ଗିର ର ବର୍ଷିୟାନ ନାଗରିକ ଶିକ୍ଷାବିଦ୍ ମଧୁସୁଦନ ପତି, ବଣିକ ସଂଘର କିଶୋର ରଥ, ପ୍ରକାଶ ଦାଶ, ଧର୍ମେନ୍ଦ୍ର ଝା, ରୁଦ୍ରଦେବ ପ୍ରଧାନ, ନାଗରିକ କମିଟି ସଂପାଦକ ମଧୁସୁଦନ ନାୟକ, ବିରେନ୍ଦ୍ର ବନଛୋର,ବିରଂଚି ବହିଦାର, ଡ. ବିପିନ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଡା. ମଂଜୁବାଳା ପଣ୍ଡା, ଛାତ୍ର ନେତା ଚିନ୍ମୟ ବେହେରା, ଆୟୁର୍ବେଦିକ କଲେଜ ଛାତ୍ର ସଂସଦ ଉପସଭାପତି ଅଭିଷେକ ରଥଙ୍କ ସମେତ ସହସ୍ରାଧିକ ବୁଦ୍ଧିଜିବି, ସଂଗଠନ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ