
ଭୁବନେଶ୍ୱର, ୨୧ ନଭେମ୍ବର (ହି.ସ.)- ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଖାଦ୍ୟପଦାର୍ଥ, ପନିପରିବା, ରନ୍ଧନ ଗ୍ୟାସ୍ ଆଦିର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଓ ମଧ୍ୟବିତ ପରିବାରର ଘରୋଇ ବଜେଟ୍ କୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଦେଇଛି । ଏଭଳି ସ୍ଥିତିରେ ଜନସାଧାରଣଙ୍କ ଆର୍ôଥକ ବୋଝ ହ୍ରାସ କରିବା ଦିଗରେ ସରକାରଙ୍କ ଉଦାସୀନତା ଅତ୍ୟନ୍ତ ଚିନ୍ତାଜନକ ବୋଲି ଓଜେସି ସଭାପତି ଇଂ ମହମ୍ମଦ ମୋକିମ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଦରଦାମ୍ ବୃଦ୍ଧିର ଗମ୍ଭୀର ପ୍ରଭାବ ଉପରେ ଆଲୋକପାତ କରିବା ସହ ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ପାଇଁ ସେ ସରକାରଙ୍କୁ ଦାୟୀ କରିଥିଲେ ।
ଏହି ଜନସମସ୍ୟାକୁ ନେଇ ଓଡ଼ିଶା ଜନତା କଂଗ୍ରେସ ଆସନ୍ତା ୨୩ ନଭେମ୍ବର ୨୦୨୬ (ସୋମବାର) ଦିନ ୫ହଜାର ଦଳୀୟ କର୍ମୀଙ୍କ ସହିତ ବିଧାନସଭା ଘେରାଉ କରିବ ବୋଲି ଇଂ ମହମ୍ମଦ ମୋକିମ ଘୋଷଣା କରିଛନ୍ତି । ଦରଦାମ୍ ବୃଦ୍ଧିରେ ଅତିଷ୍ଠ ଜନସାଧାରଣଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଏହାର ନିୟନ୍ତ୍ରଣ ପାଇଁ ତୁରନ୍ତ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିବ।
ମିଡିଆ ସେଲ୍ ଚେୟାରମ୍ୟାନ ପ୍ରଶାନ୍ତ ଶତପଥି କହିଥିଲେ ଯେ, ଓଡ଼ିଶା ଆଜିର ଦିନରେ ସମଗ୍ର ଦେଶରେ ପଞ୍ଚମ ସର୍ବାଧିକ ମହଙ୍ଗା ରାଜ୍ୟ ଏବଂ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ପିତି ୭.୧୭ ପ୍ରତିଶତରେ ପହଞ୍ଚିଛି, ଯାହା ଜାତୀୟ ହାରଠାରୁ ବହୁତ ଅଧିକ । ଓଡ଼ିଶାରେ ଏଭଳି ମୁଦ୍ରାସ୍ପିତିର ବୃଦ୍ଧି ପାଇଁ ଶକ୍ତିକ୍ଷେତ୍ର ଯଥା ପେଟ୍ରୋଲ ଓ ଡିଜେଲ୍ ଏବଂ ବିଜୁଳି ଦରବୃଦ୍ଧି ସହିତ ଖାଇବା ପଦାର୍ଥର ବିକଟ ଦରବୃଦ୍ଧି ମୁଖ୍ୟତଃ ଦାୟୀ । ଏଭଳି ସ୍ଥିତିରେ ଦରଦାମର ଅହେତୁକ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କର ସଂପୂର୍ଣ୍ଣ ନିରବତା ଏବଂ କୈାଣସି ପ୍ରତିକ୍ରିୟା ପ୍ରକାଶ ନକରିବା ରାଜ୍ୟବାସୀଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି । ଯାହାର ପ୍ରତିବାଦରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା