
୮.୯୭ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ; ନନ୍ଦପୁର ବ୍ଲକର ଖୁର୍ଜି ପଞ୍ଚାୟତର ପୂର୍ବତନ ଅଧିକାରୀ ଗିରଫ
ଜୟପୁର, ୨୧ ନଭେମ୍ବର (ହି.ସ.): ବୃଦ୍ଧାବସ୍ଥା ଭତ୍ତା ବାବଦକୁ ଆସିଥିବା ୮ ଲକ୍ଷ ୯୭ ହଜାର ୫୮୦ ଟଙ୍କା ହେରଫେର ଓ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର ଜଣେ ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ନନ୍ଦପୁର ବ୍ଲକ ଅନ୍ତର୍ଗତ ଖୁର୍ଜି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଆଦିତ୍ୟ ଚୋପାଡ଼ି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ଖୁର୍ଜି ପଞ୍ଚାୟତର ଯୋଗ୍ୟ ବୃଦ୍ଧ ହିତାଧିକାରୀଙ୍କୁ ବଣ୍ଟନ ପାଇଁ ଉଦ୍ଦିଷ୍ଟ ମୋଟ ୮,୯୭,୫୮୦ ଟଙ୍କା ଅଭିଯୁକ୍ତ ଶ୍ରୀ ଚୋପାଡ଼ି ହେରଫେର କରିଥିବା ଅଭିଯୋଗ ହୋଇଛି। ସରକାରୀ ଯୋଜନାରେ ଗରିବ ଓ ବୃଦ୍ଧ ହିତାଧିକାରୀଙ୍କୁ ମିଳିବାକୁ ଥିବା ଏହି ଅର୍ଥରାଶିର ଅନିୟମିତତା ସମ୍ପର୍କରେ ତଦନ୍ତ ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୭/୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ଦଣ୍ଡ ସଂହିତାର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି।
ଗିରଫ ପରେ ଆଜି ଅଭିଯୁକ୍ତ ଆଦିତ୍ୟ ଚୋପାଡ଼ିଙ୍କୁ କୋର୍ଟରେ ହାଜର କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି