
ପେରୁ, ୨୧ ନଭେମ୍ବର (ହି.ସ./ରିଆ ନୋଭୋସ୍ତି): ଦକ୍ଷିଣ ଆମେରିକୀୟ ଦେଶ ପେରୁରେ ଶୁକ୍ରବାର ସନ୍ଧ୍ୟାରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ମଧ୍ୟ ପେରୁର ଜୁନିନ୍ ଅଞ୍ଚଳର ଓଣ୍ଡୋରେସ୍ଠାରୁ ପ୍ରାୟ ୨୨ କିଲୋମିଟର ପଶ୍ଚିମ-ଉତ୍ତର ପଶ୍ଚିମରେ ରହିଥିଲା।ୟୁଏସଜିଏସର ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ନଭେମ୍ବର ୨୦ ତାରିଖ ସନ୍ଧ୍ୟା ୭ଟା ୯ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିଲା। ଭୂପୃଷ୍ଠଠାରୁ ପ୍ରାୟ ୧୪୨.୧ କିଲୋମିଟର ଗଭୀରତାରେ ଏହାର କେନ୍ଦ୍ର ରହିଥିଲା। ଅନ୍ୟପକ୍ଷରେ, ପେରୁର ଭୂଭୌତିକ ପ୍ରତିଷ୍ଠାନ ଭୂମିକମ୍ପର ତୀବ୍ରତା ୬.୭ ବୋଲି ଆକଳନ କରିଛି। ଏହାର କେନ୍ଦ୍ରସ୍ଥଳ ଜୁନିନ୍ ସହରଠାରୁ ପ୍ରାୟ ୩୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଜଣାଇଛି। ଏହି ପ୍ରତିଷ୍ଠାନ ଅନୁଯାୟୀ, ଭୂମିକମ୍ପର କେନ୍ଦ୍ର ୧୨୯ କିଲୋମିଟର ଗଭୀରତାରେ ଥିଲା।
ଭୂମିକମ୍ପ ପରେ ଆମେରିକାର ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ସ୍ପଷ୍ଟ କରିଛି ଯେ, ଏହି ଭୂମିକମ୍ପ ଯୋଗୁଁ କୌଣସି ସୁନାମି ଚେତାବନୀ, ପରାମର୍ଶ କିମ୍ବା ନିରୀକ୍ଷଣ ଜାରି କରାଯାଇନାହିଁ। ବର୍ତ୍ତମାନ ସୁନାମିର କୌଣସି ଆଶଙ୍କା ନଥିବା କୁହାଯାଇଛି।
ଭୂମିକମ୍ପ ପରେ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ପରିସ୍ଥିତି ଉପରେ ନଜର ରଖିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା