
ଖାଲି ପଡ଼ିଛି ଡାକ୍ତର ଓ ବିଶେଷଜ୍ଞ ପଦବୀ, ନିଯୁକ୍ତି ଦାବିରେ ରାଜରାସ୍ତାରେ ଆଞ୍ଚଳିକ ବିକାଶ ପରିଷଦ
କୋଲାବିରା, 21 ନଭେମ୍ବର (ହି.ସ.): ଉନ୍ନତ ସ୍ୱାସ୍ଥ୍ୟସେବା ଲୋକଙ୍କ ମୌଳିକ ଅଧିକାର। କିନ୍ତୁ ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର, ବିଶେଷଜ୍ଞ ଚିକିତ୍ସକ ଓ ସହାୟକ କର୍ମଚାରୀଙ୍କ ଅଭାବ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ଖାଲି ପଡ଼ିଥିବା ପଦବୀଗୁଡ଼ିକର ତୁରନ୍ତ ପୂରଣ ଦାବିରେ ଆଞ୍ଚଳିକ ବିକାଶ ପରିଷଦ (ଲଇକେରା, କୋଲାବିରା ଓ କିର୍ମିରା) ପକ୍ଷରୁ ଆରମ୍ଭ ହୋଇଥିବା ୮ ଦିନିଆ ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର ଦ୍ୱିତୀୟ ଦିନରେ ପହଞ୍ଚିଛି।
ଡାକ୍ତରଖାନା ସମ୍ମୁଖରେ ଚାଲିଥିବା ଏହି ଗଣଧାରଣାକୁ ଦ୍ୱିତୀୟ ଦିନରେ ବିଭିନ୍ନ ସାମାଜିକ ଓ ଜନସଂଗଠନର ସମର୍ଥନ ମିଳିଛି। ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୧୧ଟାରୁ ଅପରାହ୍ନ ୪ଟା ଯାଏଁ ଏହି ଗଣଧାରଣା ଜାରି ରହିବ।
ଦ୍ୱିତୀୟ ଦିନରେ ଜିଲ୍ଲା ଛାତ୍ର ସାମ୍ମୁଖ୍ୟର ପୂର୍ବତନ ସଭାପତି ଅସୀମ ପଟେଲଙ୍କ ସମେତ ବଳରାମ ପାଣ୍ଡେ, ଚେରୁ ଭୁଏ, ପ୍ରିତମ ଡିହିରିଆ, ହରେଶ ଭଞ୍ଜ, ପ୍ରଶାନ୍ତ ବାଘ, ପ୍ରମୋଦ ପ୍ରଧାନ, କେଶବ ମହାନନ୍ଦ, ଶତ୍ରୁଘ୍ନ ଭୁଏ, ସରୋଜ ମାଝୀ ଓ ଦେବାନନ୍ଦ ମହାନନ୍ଦ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ।
ଏହି ଅବସରରେ ସମର୍ଥକମାନେ କହିଥିଲେ ଯେ, ଗ୍ରାମାଞ୍ଚଳର ଗରିବ ଓ ସାଧାରଣ ଲୋକଙ୍କୁ ଚିକିତ୍ସା ପାଇଁ ଦୂରଦୂରାନ୍ତକୁ ଯିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର, ବିଶେଷଜ୍ଞ ଓ ସହଯୋଗୀ କର୍ମଚାରୀ ନିଯୁକ୍ତି ସହ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ। ତେଣୁ ଦାବି ପ୍ରତି ସରକାର ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଆହ୍ୱାନ ଦେଇଥିଲେ।
ପରିଷଦର ଉପଦେଷ୍ଟା ସୁମନ୍ତ ଶେଖର ବୋହିଦାର, ସଭାପତି ଜିତେନ୍ଦ୍ରୀୟ ଧୁରୁଆ, ଉପସଭାପତି ସ୍ୱରୂପ କିସାନ, ସାଧାରଣ ସମ୍ପାଦକ ସମ୍ବିତ ନାଏକ, ସମ୍ପାଦକ ପ୍ରଶାନ୍ତ ମହାନନ୍ଦିଆଙ୍କ ସହ ଗଜେନ୍ଦ୍ର କୁଆ, ରୁକ୍ମଣ ମରାଇ, ଖଗେଶ୍ୱର ସେଠ, ବେଣୁଧର, ଡାନସନା, ମୁକୁର୍ଧାୟ କଣ୍ଟା, ଜିକେଶ ନାଏକ ପ୍ରମୁଖ ଉପସ୍ଥିତ ରହି ଗଣଧାରଣାକୁ ସଫଳ କରିଥିଲେ।
ଏହି ଆନ୍ଦୋଳନ କେବଳ ପଦବୀ ପୂରଣର ଦାବି ନୁହେଁ, ବରଂ ଲଇକେରା, କୋଲାବିରା ଓ କିର୍ମିରା ଅଞ୍ଚଳର ହଜାର ହଜାର ଲୋକଙ୍କ ସ୍ୱାସ୍ଥ୍ୟ ଅଧିକାର ଓ ସମ୍ମାନଜନକ ଚିକିତ୍ସା ସେବା ପାଇଁ ଏକ ଜନଆନ୍ଦୋଳନର ରୂପ ନେଉଛି। ଏବେ ସମସ୍ତଙ୍କ ନଜର ସରକାର ଓ ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ