


ସାକ୍ଷୀଗୋପାଳ, ୨୧ ନଭେମ୍ବର (ହି.ସ.)- ରାଜ୍ୟର ପ୍ରମୁଖ ବୈଷ୍ଣବ କ୍ଷେତ୍ର ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷୀଗୋପାଳ ସ୍ଥିତ ସାକ୍ଷୀଗୋପୀନାଥ ମନ୍ଦିରରେ ଆଜି ପବିତ୍ର କାର୍ତିକ ମାସ ବଡ଼ ଏକାଦଶୀ ତିଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁ ମାନେ ପ୍ରଭୁ ଶ୍ରୀକୃଷ୍ଣ ଓ ମା’ ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଦର୍ଶନ କରିଛନ୍ତି । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ମନ୍ଦିର ସିଂହଦ୍ୱାରରେ ପ୍ରବେଶ କରି ଠାକୁର ଦର୍ଶନ ଓ ବେଢା ପରିକ୍ରମା କରି ଅନ୍ୟ ତିନି ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି ।
ପରମ୍ପରା ଅନୁଯାୟୀ, ଏହି ପବିତ୍ର ତିଥିରେ ଠାକୁରଙ୍କୁ ଚୁଡ଼ାଘଷା ଭୋଗ ଲାଗି ହୋଇଛି । ଠାକୁର ଉତର ଭାରତର ହୋଇଥିବାରୁ ବର୍ଷତମାମ ଏଠାରେ ସେଠାକାର ଭୋଗ ସାମଗ୍ରୀ ଲାଗି କରାଯାଇଥାଏ । କିନ୍ତୁ, ଆଜି ଦିନର ସ୍ୱତନ୍ତ୍ରତା ଅନୁଯାୟୀ ଠାକୁରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉତ୍ପାଦିତ ଚାଉଳରୁ ପ୍ରସ୍ତୁତ ଚୁଡ଼ାରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରାଯାଇ ଲାଗି କରାଯାଇଛି । ଅନେକ ମାନସିକଧାରୀ ମନ୍ଦିର ବେଢାରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଲାଗି କରିଛନ୍ତି । ଏହି ଚୁଡ଼ାଘଷା ପ୍ରସ୍ତୁତି ପାଇଁ କଂଚାଚୁଡ଼ାର ଗୁଣ୍ଡ, ନଡିଆ, ଗୁଡ଼ କିମ୍ବା ଚିନି, କମଳା, ଖିସମିସ୍, ଗୁଆଘିଅ ଆଦିର ବ୍ୟବହାର ହୋଇଥାଏ । ଏହା ବ୍ୟତୀତ ଠାକୁରଙ୍କ ନିକଟରେ ଖଇ, କୋରା, ସାକର, କଦଳୀ ଆଦି ଭୋଗ ଲାଗି ହୋଇଛି ।
ବଡ ଏକାଦଶୀ ନିମନ୍ତେ ଦେବନୀତି ପାଇଁ ପୂର୍ବ ରାତ୍ର ୨ଟାରେ ଦ୍ୱାରଫିଟା, ପରେ ମଙ୍ଗଳ ଆଳତି, ବେଶ, ମଇଲମ, ମର୍ଦ୍ଦନ, ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଭୋର୍ ୪ଟା ସୁଦ୍ଧା ଲକ୍ଷ୍ମୀନାରାୟଣ ବେଶ ଅନୁଷ୍ଠିତ ହୋଇଥିଲା । ଭୋର୍ ୪ଟା ଠାରୁ ୫ଟା ମଧ୍ୟରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ଓ ମଦନମୋହନଙ୍କ ଭୋଗ ଅନୁଷ୍ଠିତ ହୋଇଥିଲା । ଭୋର୍ ୫ଟା ଠାରୁ ୬ଟା ପର୍ଯ୍ୟନ୍ତ ମନ୍ଦିର କର୍ମଚାରୀ ଓ ସେବାୟତ ପରିବାର ଦର୍ଶନ କରିଥିଲେ । ସକାଳ ୬ଟା ଠାରୁ ସାହାଣମେଲା ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଚାଲିଥିଲା । ପାଳିଆ ପରିବର୍ତନ ନିମନ୍ତେ ଅପରାହ୍ନ ୫ଟାରୁ ୬ଟା ଦର୍ଶନ ବନ୍ଦ ରହିଥିଲା । ଏହାପରେ ୬ଟା ଠାରୁ ପୁନଃ ଦର୍ଶନ ଆରମ୍ଭ ହୋଇଥିଲା । ରାତି ସାଢ଼େ ୧୧ଟା ପରେ ପରବର୍ତି ଦେବନୀତି ଆରମ୍ଭ ହୋଇ ପହୁଡ଼ ପଡିଥିବା ମନ୍ଦିର ସେବାୟତଙ୍କ ସୂତ୍ରରୁ ପ୍ରକାଶ । ଭିଡ଼ ନିୟନ୍ତ୍ରଣ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ