ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ନିଯୁକ୍ତି ତାରିଖ ୩୦ ମାର୍ଚ୍ଚ ୨୦୧୧ ଭାବେ ଗ୍ରହଣ କରି ଗ୍ରେଡେସନ ତାଲିକା ସଂଶୋଧନ ନିର୍ଦ୍ଦେଶ
ମାଲକାନଗିରି , ୨୧ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ୨୦୧୧ରେ ନିଯୁକ୍ତ ଶିକ୍ଷା ସହାୟକ ତଥା ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନିଯୁକ୍ତି ତାରିଖ ଓ ଜ୍ୟେଷ୍ଠତା ନିର୍ଦ୍ଧାରଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ର
ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ନିଯୁକ୍ତି ତାରିଖ ୩୦ ମାର୍ଚ୍ଚ ୨୦୧୧ ଭାବେ ଗ୍ରହଣ କରି ଗ୍ରେଡେସନ ତାଲିକା ସଂଶୋଧନ ନିର୍ଦ୍ଦେଶ


ମାଲକାନଗିରି , ୨୧ ନଭେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ୨୦୧୧ରେ ନିଯୁକ୍ତ ଶିକ୍ଷା ସହାୟକ ତଥା ବର୍ତ୍ତମାନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ନିଯୁକ୍ତି ତାରିଖ ଓ ଜ୍ୟେଷ୍ଠତା ନିର୍ଦ୍ଧାରଣକୁ ନେଇ ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ୨ ଏପ୍ରିଲ ୨୦୧୧ ପରିବର୍ତ୍ତେ ୩୦ ମାର୍ଚ୍ଚ ୨୦୧୧ ତାରିଖକୁ ପ୍ରାରମ୍ଭିକ ନିଯୁକ୍ତି ତାରିଖ ଭାବେ ଗ୍ରହଣ କରିବା ସହିତ ଏହା ଆଧାରରେ ଅସ୍ଥାୟୀ ଜ୍ୟେଷ୍ଠତା ତାଲିକା ସଂଶୋଧନ କରିବାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୨୦୨୫ ମସିହାରେ ଦାଏର ହୋଇଥିବା ଡବ୍ଲୁପି .(ସି ) ନଂ. ୨୬୬୪୫ ସମେତ ଅନ୍ୟାନ୍ୟ ରିଟ୍ ଆବେଦନର ଏକତ୍ର ଶୁଣାଣି କରି ମାନ୍ୟବର ବିଚାରପତି ଜଷ୍ଟିସ୍ ଆର୍.କେ. ପଟ୍ଟନାୟକ ୧୮ ନଭେମ୍ବର ୨୦୨୬ ତାରିଖରେ ଏହି ରାୟ ପ୍ରଦାନ କରିଛନ୍ତି।

ଆବେଦନକାରୀମାନେ ୩୦ ମାର୍ଚ୍ଚ ୨୦୧୧ରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିଲେ। ଉକ୍ତ ଆଧାରରେ ଦରମା ଓ ଲେଭେଲ୍ (କ) ରୁ ଲେଭେଲ୍ (ଖ) ପ୍ରମୋଶନ ପାଇଥିଲେ। ଦୀର୍ଘ ୮ବର୍ଷ ପରେ ସରକାରୀ ରେକର୍ଡ ଓ ଜ୍ୟେଷ୍ଠତା ତାଲିକାରେ ସେମାନଙ୍କ ଯୋଗଦାନ ତାରିଖ ୨ ଏପ୍ରିଲ ୨୦୧୧ ଦର୍ଶାଯାଇଥିଲା। ଫଳରେ ଲେଭେଲ୍ ଭି( ବି) ରୁ ଲେଭେଲ୍ ଆଇଭି ପ୍ରମୋଶନ ସମୟରେ ସେମାନଙ୍କୁ କନିଷ୍ଠ କରାଯାଇ ଥିଲା। ଏହାଦ୍ୱାରା ସେମାନଙ୍କ ଜ୍ୟେଷ୍ଠତା ଓ ସେବା ସମ୍ବନ୍ଧୀୟ ସୁବିଧା ପ୍ରଭାବିତ ହୋଇଥିବା ଅଭିଯୋଗ କରି ସେମାନେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡି.ଆର୍. ମହାପାତ୍ର ନିଯୁକ୍ତି ଆଦେଶ ଓ ଅନ୍ୟାନ୍ୟ ସରକାରୀ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଏସ୍ସି ଏସ୍.ଏନ୍. ବିଶ୍ୱାଳ ପକ୍ଷ ରଖିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନକାରୀମାନେ ୨ ଏପ୍ରିଲ ୨୦୧୧ରେ ଯୋଗଦାନ କରିଥିବା ଦର୍ଶାଯାଇଥିଲେ ମଧ୍ୟ ହାଇକୋର୍ଟରେ ସେମାନଙ୍କ ଯୋଗଦାନ ରିପୋର୍ଟ ଉପସ୍ଥାପନ କରାଯାଇପାରି ନଥିଲା।

ସମସ୍ତ ଦସ୍ତାବିଜ ଓ ଯୁକ୍ତି ତର୍ଜମା କରି ମାନ୍ୟବର ହାଇକୋର୍ଟ ରେକର୍ଡରେ ଥିବା ନିଯୁକ୍ତି ଆଦେଶ ଓ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି ୩୦ ମାର୍ଚ୍ଚ ୨୦୧୧କୁ ପ୍ରାରମ୍ଭିକ ନିଯୁକ୍ତି ତାରିଖ ଭାବେ ଗ୍ରହଣ କରିବା ଉଚିତ ବୋଲି ମତ ଦେଇଛନ୍ତି। ଏଥିସହ ୨ ଏପ୍ରିଲ ୨୦୧୭ ପରିବର୍ତ୍ତେ ୩୦ ମାର୍ଚ୍ଚ ୨୦୧୭ରୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବେ ଗଣନା କରାଯାଇ ସେହି ଅନୁଯାୟୀ ଅସ୍ଥାୟୀ ଜ୍ୟେଷ୍ଠତା ତାଲିକାରେ ଆବଶ୍ୟକ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଆଦେଶର ନକଲ ପ୍ରାପ୍ତି ତାରିଖଠାରୁ ଛଅ ସପ୍ତାହ ମଧ୍ୟରେ ନିର୍ଦ୍ଦେଶ ପାଳନ କରିବାକୁ ବିପକ୍ଷ ପକ୍ଷ ନଂ.୩ ରେ ଥିବା ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇତି ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ କୋର୍ଟ ରାୟକୁ ଉପେକ୍ଷା କରି କେସ କରିଥବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବାଦ୍ ଦେଇ ଫାଇନାଲ ଗ୍ରେଡେସନ ତାଲିକା ପ୍ରକାଶ ନକରି ପ୍ରମୋସନ ପାଇଁ ୨୧ ନଭେମ୍ବର କୁ ଧାର୍ଯ୍ୟ କରିଥିବା ଘଟଣା ଆଇନିତଃ ସଙ୍କଟ କରିବ ବୋଲି କୁହାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande