
- ତିରୁପରଙ୍କୁନ୍ଦ୍ରମ୍ ମୁରୁଗନ ମନ୍ଦିର ସମ୍ମୁଖରେ ୧୦୮ଟି ନଡ଼ିଆ ଭଙ୍ଗାଗଲା, କର୍ପୂର ଜାଳି ସ୍ୱତନ୍ତ୍ର ପୂଜାର୍ଚ୍ଚନା
- ଦୀପସ୍ତମ୍ଭ ନିକଟରେ ନାରାବାଜି ଓ ଭିଡ଼ ଜମାଇବା ଉପରେ କଟକଣା, କେବଳ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତିଙ୍କୁ ମିଳିବ ପ୍ରବେଶ ଅନୁମତି
ମଦୁରାଇ, ୨୧ ନଭେମ୍ବର (ହି.ସ.)। ତାମିଲନାଡୁର ଐତିହାସିକ ସହର ମଦୁରାଇସ୍ଥିତ ତିରୁପରଙ୍କୁନ୍ଦ୍ରମ୍ ପାହାଡ଼ ଉପରେ ଦର୍ଘା ନିକଟରେ ଥିବା ଦୀପସ୍ତମ୍ଭରେ କାର୍ତ୍ତିଗାଇ ଦୀପମ୍ ଜାଳିବାକୁ ଅନୁମତି ମିଳିବା ପରେ ଶ୍ରଦ୍ଧାଳୁ ଓ ହିନ୍ଦୁ ସଂଗଠନଗୁଡ଼ିକ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀପସ୍ତମ୍ଭରେ ଦୀପ ପ୍ରଜ୍ୱଳନ ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ସହ ଏଥିପାଇଁ ଅନେକ ସର୍ତ୍ତ ଧାର୍ଯ୍ୟ କରିଛନ୍ତି। ଏହି ଅନ୍ତରୀଣ ଆଦେଶ କେବଳ ଚଳିତ ବର୍ଷର କାର୍ତ୍ତିଗାଇ ଦୀପମ୍ ପର୍ବ ପାଇଁ ଲାଗୁ ହେବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ଆଗକୁ ମଧ୍ୟ ଶୁଣାଣି ଜାରି ରହିବ ଏବଂ ପରବର୍ତ୍ତୀ ସମୟରେ ଚୂଡ଼ାନ୍ତ ରାୟ ପ୍ରକାଶ ପାଇବ।
ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ଆଦେଶକୁ ସ୍ୱାଗତ କରି ତିରୁପରଙ୍କୁନ୍ଦ୍ରମ୍ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି), ହିନ୍ଦୁ ମୁନ୍ନାନି ଓ ହିନ୍ଦୁ ମକ୍କଲ କାଚି ସମେତ ବିଭିନ୍ନ ସଂଗଠନର କର୍ମୀ ଏକାଠି ହୋଇଥିଲେ। ଏହି ଅବସରରେ ଲୋକମାନେ ମିଠା ବାଣ୍ଟି ଖୁସି ପ୍ରକାଶ କରିଥିଲେ। ତିରୁପରଙ୍କୁନ୍ଦ୍ରମ୍ ମୁରୁଗନ ମନ୍ଦିର ସମ୍ମୁଖରେ ୧୦୮ଟି ନଡ଼ିଆ ଭଙ୍ଗାଯିବା ସହ କର୍ପୂର ଜାଳି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।
ଶ୍ରଦ୍ଧାଳୁମାନେ କହିଥିଲେ ଯେ, ସୁପ୍ରିମକୋର୍ଟଙ୍କ ଆଦେଶ ଯୋଗୁଁ ତିରୁପରଙ୍କୁନ୍ଦ୍ରମ୍ର ଲୋକଙ୍କ ଦୀର୍ଘଦିନର ଦାବି ପୂରଣ ହେବାର ପଥ ପରିଷ୍କାର ହୋଇଛି। ସେମାନେ ଏହାକୁ ସ୍ଥାନୀୟ ଲୋକ, ମୁରୁଗନ ଭକ୍ତ ଓ ହିନ୍ଦୁ ସଂଗଠନ ସହିତ ଭଗବାନ ସୁବ୍ରମଣ୍ୟ ସ୍ୱାମୀଙ୍କ ବିଜୟ ବୋଲି ବର୍ଣ୍ଣନା କରିଥିଲେ। ସେମାନଙ୍କ କହିବା ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷମାନେ ଦୀପସ୍ତମ୍ଭରେ ଦୀପ ଜାଳିବାର ପରମ୍ପରା ଦେଖିଥିଲେ ଏବଂ ଏବେ ସେମାନଙ୍କୁ ମଧ୍ୟ ଏହି ସୁଯୋଗ ମିଳିବାକୁ ଯାଉଛି।
ସୁପ୍ରିମକୋର୍ଟଙ୍କ ଆଦେଶ ଅନୁଯାୟୀ, ଦୀପ ପ୍ରଜ୍ୱଳନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମଦୁରାଇ ଜିଲ୍ଲାପାଳ, ପୁଲିସ ଓ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀମାନେ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ। ଦୀପସ୍ତମ୍ଭ ନିକଟକୁ କେବଳ ଅନୁମତିପ୍ରାପ୍ତ ବ୍ୟକ୍ତିମାନେ ହିଁ ଯାଇପାରିବେ। ମନ୍ଦିର ଓ ସରକାରୀ ବିଭାଗର ଅଧିକାରୀମାନେ ହିଁ ଦୀପ ପ୍ରଜ୍ୱଳନ ପ୍ରକ୍ରିୟାରେ ସାମିଲ ହୋଇପାରିବେ। ଏହି ବ୍ୟକ୍ତିମାନଙ୍କ ଚୟନ ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି।
ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଦୀପସ୍ତମ୍ଭ ନିକଟରେ ନାରାବାଜି କରିବା ଏବଂ ଭିଡ଼ ଜମାଇବା ଉପରେ ଅଦାଲତ ରୋକ୍ ଲଗାଇଛନ୍ତି। ଦୀପ ପ୍ରଜ୍ୱଳନ ସମୟରେ ସାଧାରଣ ଲୋକଙ୍କୁ ଦୀପସ୍ତମ୍ଭ ଥିବା ସ୍ଥାନକୁ ଯିବାକୁ ଅନୁମତି ମିଳିବ ନାହିଁ। ସେଠାକୁ କେବଳ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମତିପ୍ରାପ୍ତ ବ୍ୟକ୍ତିମାନେ ଯାଇପାରିବେ। ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍) ଯବାନଙ୍କୁ ମଧ୍ୟ ମୁତୟନ କରାଯାଇପାରିବ।
ଆଦେଶ ଅନୁଯାୟୀ, କାର୍ତ୍ତିଗାଇ ଦୀପମ୍ ଦିନ ଦୀପସ୍ତମ୍ଭରେ କେବଳ ଥରେ ହିଁ ଦୀପ ଜଳାଯାଇପାରିବ। ଏଥିପାଇଁ ଅନୁମତିପ୍ରାପ୍ତ ଟିମ୍କୁ ମଧ୍ୟ ଜିଲ୍ଲାପାଳ ଚୟନ କରିବେ। ଏହି ଅନୁମତି କେବଳ ଚଳିତ ବର୍ଷର ପର୍ବ ପାଇଁ ଉଦ୍ଦିଷ୍ଟ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଚୂଡ଼ାନ୍ତ ରାୟ ପ୍ରକାଶ ପାଇବାରେ ବିଳମ୍ବ ହେଲେ ମଧ୍ୟ ଏହି ଆଦେଶ ଆସନ୍ତା ବର୍ଷ ଆପେଆପେ ଲାଗୁ ହେବ ନାହିଁ।
ଉଲ୍ଲେଖଯୋଗ୍ୟ ଯେ, ଭଗବାନ ମୁରୁଗନଙ୍କ ଛଅଟି ପ୍ରମୁଖ ନିବାସସ୍ଥଳୀ (ଅରୁପଡ଼ୈ ବୀଡୁ) ମଧ୍ୟରୁ ପ୍ରଥମ ଭାବେ ପରିଗଣିତ ତିରୁପରଙ୍କୁନ୍ଦ୍ରମ୍ ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରର ଧାର୍ମିକ ଓ ଐତିହାସିକ ପରମ୍ପରା ସ୍ୱତନ୍ତ୍ର ଅଟେ। ଏହି ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବତା ଭଗବାନ ମୁରୁଗନ ହୋଇଥିଲେ ମଧ୍ୟ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ସ୍ଥାନକୁ ଶିବସ୍ଥଳୀ ଭାବେ ମଧ୍ୟ ପୂଜା କରାଯାଏ। ଏଠାରେ ଭଗବାନ ଶିବଙ୍କୁ ପରଙ୍ଗିରିନାଥର ଓ ସତ୍ୟଗିରୀଶ୍ୱରର ଏବଂ ଦେବୀଙ୍କୁ ଆବୁଡ଼ୈନାୟକୀ ନାମରେ ପୂଜା କରାଯାଏ।
ମନ୍ଦିରର ପରମ୍ପରା ଅନୁଯାୟୀ, ଶ୍ରଦ୍ଧାଳୁମାନେ ପ୍ରଥମେ ଗୁମ୍ଫା ମନ୍ଦିରରେ ବିରାଜମାନ ପରଙ୍ଗିରିନାଥର ଓ ଦେବୀ ଆବୁଡ଼ୈନାୟକୀଙ୍କୁ ପୂଜା କରିଥାନ୍ତି। ଏହାପରେ ଭଗବାନ ମୁରୁଗନଙ୍କ ଦର୍ଶନ କରିଥାନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା