ରାମାୟଣ ଚଳଚ୍ଚିତ୍ରରେ କାଳ୍ପନିକ କାହାଣୀ ଯୋଡ଼ିବାକୁ ନେଇ ଭିଏଚ୍ପିର ତୀବ୍ର ଅସନ୍ତୋଷ, ପ୍ରଦର୍ଶନ ବନ୍ଦ ଦାବି
ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ରାମାୟଣ ଚଳଚ୍ଚିତ୍ରରେ ମହର୍ଷି ବାଲ୍ମୀକିଙ୍କ ରଚିତ ମହାକାବ୍ୟର ମୂଳ କାହାଣୀକୁ ବିକୃତ କରିବା, ମନଗଢ଼ା ଘଟଣା ଯୋଡ଼ିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ସ୍ଥାନ ନଦେବା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ଚ
Make a single law to settle religious properties of all religions VHP


ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)। ରାମାୟଣ ଚଳଚ୍ଚିତ୍ରରେ ମହର୍ଷି ବାଲ୍ମୀକିଙ୍କ ରଚିତ ମହାକାବ୍ୟର ମୂଳ କାହାଣୀକୁ ବିକୃତ କରିବା, ମନଗଢ଼ା ଘଟଣା ଯୋଡ଼ିବା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରକୁ ସ୍ଥାନ ନଦେବା ଘଟଣାକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍ପି) ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଶର ଏକ ଶହ କୋଟିରୁ ଊର୍ଦ୍ଧ୍ୱ ହିନ୍ଦୁ ରାମଭକ୍ତଙ୍କ ଆସ୍ଥା ସହ ଖେଳିବା ସହ ଏକ ରାଜନୈତିକ ବିଚାରଧାରା ପ୍ରତିଷ୍ଠା କରିବାକୁ ଉଦ୍ୟମ ହୋଇଥିବା ଭିଏଚ୍ପି ଅଭିଯୋଗ କରିଛି।

ଭିଏଚ୍ପିର କେନ୍ଦ୍ରୀୟ ମହାମନ୍ତ୍ରୀ ବଜରଙ୍ଗ ବାଗଡ଼ା ଶନିବାର ଏକ ବିବୃତିରେ କହିଛନ୍ତି ଯେ, ଚଳଚ୍ଚିତ୍ରରେ ଭଗବାନ ଶ୍ରୀରାମ ଏବଂ ତାଙ୍କ ପରିବାରର ଚରିତ୍ରକୁ ହାଲୁକା ଭାବେ ଚିତ୍ରଣ କରାଯାଇଥିବାବେଳେ ରାବଣର ମହିମାମଣ୍ଡନ କରିବାକୁ ଉଦ୍ଦେଶ୍ୟମୂଳକ ଉଦ୍ୟମ ହୋଇଛି। ଅହଲ୍ୟା ଉଦ୍ଧାର, ନିଷାଦରାଜ ଗୁହଙ୍କ ସହ ବନ୍ଧୁତା ଏବଂ କେଉଟଙ୍କ ଭକ୍ତି ଭଳି ପ୍ରସଙ୍ଗ ଭଗବାନ ଶ୍ରୀରାମଙ୍କ ସାର୍ବଜନୀନ ଚରିତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ସତ୍ତ୍ୱେ ଚଳଚ୍ଚିତ୍ରରେ ଏହାର ଉଲ୍ଲେଖ ମଧ୍ୟ ନାହିଁ।

ସେ ଆହୁରି କହିଛନ୍ତି ଯେ, ଋଷିମୁନିଙ୍କ ସାଧନା, ଯଜ୍ଞ ଓ ଗୁରୁକୁଳ ପରମ୍ପରାରେ ବାଧା ସୃଷ୍ଟି କରୁଥିବା ସମାଜବିରୋଧୀ ରାକ୍ଷସମାନଙ୍କ ବିନାଶ ପାଇଁ ଭଗବାନ ଶ୍ରୀରାମଙ୍କ ମହାନ ଅଭିଯାନକୁ ଚଳଚ୍ଚିତ୍ରରେ ପତ୍ନୀଙ୍କ ଅପହରଣର ପ୍ରତିଶୋଧ ନେବା ଭଳି ଏକ ବ୍ୟକ୍ତିଗତ ସଂଘର୍ଷ ରୂପେ ଚିତ୍ରଣ କରାଯାଇଛି। ଅନ୍ୟପକ୍ଷରେ ରାବଣକୁ ଶୋଷିତଙ୍କ ଉଦ୍ଧାରକ ଭାବେ ଦର୍ଶାଇ ଏକ ରାଜନୈତିକ ବିଚାରଧାରା ସୃଷ୍ଟି କରିବାକୁ ମଧ୍ୟ ଉଦ୍ୟମ ହୋଇଛି।

ବାଗଡ଼ା କହିଛନ୍ତି ଯେ, ଜ୍ଞାନ, ଭକ୍ତି ଓ ଶକ୍ତିର ଶୀର୍ଷ ସ୍ତରରେ ପହଞ୍ଚିଥିଲେ ମଧ୍ୟ ଅହଂକାରବଶତଃ ସୃଷ୍ଟିର ପ୍ରତ୍ୟେକ ଜୀବକୁ ଆତଙ୍କିତ ଓ ନିର୍ଯାତିତ କରୁଥିବା ରାବଣ ଜଣେ ଦୁରାଚାରୀ ଥିଲା। ପ୍ରତ୍ୟେକ ରାମକଥାରେ ଏହା ନିର୍ବିବାଦ ଭାବେ ବର୍ଣ୍ଣିତ ହୋଇଛି। ଯୁଗ ଯୁଗ ଧରି ପ୍ରତିଷ୍ଠିତ ରାମକଥା ଏବଂ ପ୍ରଭୁ ଶ୍ରୀରାମଙ୍କ ପ୍ରତି କୋଟି କୋଟି ହିନ୍ଦୁଙ୍କ ଗଭୀର ଆସ୍ଥା ରହିଛି। ରାଜନୈତିକ ଉଦ୍ଦେଶ୍ୟରେ ନିର୍ମିତ ଏହି ଚଳଚ୍ଚିତ୍ର ସେହି ଆସ୍ଥାକୁ ଗଭୀର ଆଘାତ ଦେବା ସହ ହିନ୍ଦୁ ସମାଜର ଭାବନାକୁ କ୍ଷୁଣ୍ଣ କରିଛି।

ବ୍ୟକ୍ତିଗତ, ପାରିବାରିକ, ସାମାଜିକ ଏବଂ ରାଜନୈତିକ ଜୀବନରେ ମର୍ଯ୍ୟାଦା ପ୍ରତିଷ୍ଠା କରୁଥିବା ରାମକଥା ସହ ଏଭଳି ଛେଡ଼ଛାଡ଼ ସମାଜରେ ପ୍ରତିଷ୍ଠିତ ନୈତିକ ମୂଲ୍ୟବୋଧର ମୂଳଦୁଆ ଉପରେ ଆଘାତ ବୋଲି ସେ କହିଛନ୍ତି। ହିନ୍ଦୁ ସମାଜର ଭାବନା ସହ ଖେଳିବାର ଏଭଳି ଉଦ୍ୟମକୁ ସମାଜ କେବେ ଗ୍ରହଣ କରିବ ନାହିଁ ବୋଲି ଭିଏଚ୍ପି ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ରକୁ ପ୍ରଦାନ କରାଯାଇଥିବା ସେନ୍ସର ପ୍ରମାଣପତ୍ର ତୁରନ୍ତ ରଦ୍ଦ କରିବା ସହ ଏହାର ପ୍ରଦର୍ଶନ ଉପରେ ତତ୍କାଳ ରୋକ୍ ଲଗାଇବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande