

ନୂଆଦିଲ୍ଲୀ, ୨୧ ନଭେମ୍ବର (ହି.ସ.)- କେନ୍ଦ୍ରୀୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ଶନିବାର କହିଛନ୍ତି ଯେ ଶ୍ରମିକ କଲ୍ୟାଣ ଓ ଶିଳ୍ପ ବିକାଶ ହେଉଛି ଜାତୀୟ ପ୍ରଗତିର ରଥର ଦୁଇଟି ଚକ। ଶ୍ରମିକ କଲ୍ୟାଣ ଓ ଶିଳ୍ପର ପ୍ରଗତି ପରସ୍ପରର ପରିପୂରକ ବୋଲି ସେ କହିଛନ୍ତି।
ଗୁଜରାଟର ଗାନ୍ଧୀନଗରରେ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିରର ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ଡ. ମାଣ୍ଡଭିୟ କହିଥିଲେ ଯେ କର୍ମଚାରୀଙ୍କ କଲ୍ୟାଣ ଏବଂ ଶିଳ୍ପ ବିକାଶ ଦେଶର ପ୍ରଗତିର ଦୁଇଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ଭାରତର ବିକାଶ ଓ ଆର୍ôଥକ ଅଭିବୃଦ୍ଧି ପାଇଁ ଶିଳ୍ପଗୁଡ଼ିକୁ ସୁଦୃଢ଼ କରିବା ସହିତ ଶ୍ରମିକଙ୍କ ସ୍ୱାର୍ଥର ସୁରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
ଶ୍ରମମନ୍ତ୍ରୀ ‘ବିକଶିତ ଭାରତ’ ଆଡ଼କୁ ଦେଶର ଯାତ୍ରାରେ ଶ୍ରମ ସଂହିତାଗୁଡ଼ିକର କାର୍ଯ୍ୟକାରିତାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଭିହିତ କରିଥିଲେ। ଏହି ସଂହିତାଗୁଡ଼ିକ ସର୍ବନିମ୍ନ ମଜୁରି, ସାମାଜିକ ସୁରକ୍ଷାର ସମ୍ପ୍ରସାରଣ ଏବଂ ନିର୍ଦ୍ଦିଷ୍ଟ ଅବଧିର ନିଯୁକ୍ତି ଭଳି ବ୍ୟବସ୍ଥା ସୁନିଶ୍ଚିତ କରୁଛି। ଏଥିସହିତ ଏହା ଶିଳ୍ପଗୁଡ଼ିକ ଉପରେ ଅନୁପାଳନର ବୋଝ ହ୍ରାସ କରିବା ସହ ବିକାଶକୁ ପ୍ରୋତ୍ସାହନ ଦେଉଛି ବୋଲି ସେ କହିଥିଲେ।
ସେ କହିଥିଲେ ଯେ ଭାରତରେ ସାମାଜିକ ସୁରକ୍ଷାର ପରିସରରେ ଉଲ୍ଲେଖନୀୟ ସମ୍ପ୍ରସାରଣ ହୋଇଛି। ୨୦୧୪ରେ ଏହା ୨୫ କୋଟି ଥିବାବେଳେ ୨୦୨୬ରେ ବୃଦ୍ଧି ପାଇ ୧୦୧ କୋଟିରେ ପହଂଚିଛି।
ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନର ସହ-ଅଧ୍ୟକ୍ଷତା ଡ. ମାଣ୍ଡଭିୟ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କରିଥିଲେ। ଏଥିରେ ଶ୍ରମ ଓ ନିଯୁକ୍ତି ତଥା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ସହିତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ଶ୍ରମ, ନିଯୁକ୍ତି ଓ ଶିଳ୍ପ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
-------------
ହିନ୍ଦୁସ୍ଥାନ ସମାଚାର / ଗଗନ