
କେନ୍ଦ୍ରାପଡ଼ା, ୨୧ ନଭେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଏବଂ ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ ବିଶ୍ୱ ଟେଲିଭିଜନ ଦିବସ ଯଥାବିଧି ପାଳିତ ହୋଇଯାଇଛି। ବିଶିଷ୍ଟ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନୃତ୍ୟ ଗୁରୁ ପ୍ରକାନ୍ତ କୁମାର ମହାରଣା ମୁଖ୍ୟ ଅତିଥି ଏବଂ ରେଡିଓ ଭାବଗ୍ରାହୀର କେନ୍ଦ୍ର ନିର୍ଦ୍ଦେଶକ ଇଂଜିନିୟର ବିଶ୍ୱଜିତ ପରିଡ଼ା ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱ ଟେଲିଭିଜନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। କଣ୍ଠଶିଳ୍ପୀ ହେନାଞ୍ଜଳି ଜେନା ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ରେଡିଓ ଭାବଗ୍ରାହୀର ମୁଖ୍ୟ ଟ୍ରଷ୍ଟି ଶ୍ରୀମତୀ ଧୀରାମଣି ପରିଡ଼ା ଏହାର ପୃଷ୍ଠଭୂମି ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ୧୯୯୬ ମସିହା ନଭେମ୍ବର ୨୧ ତାରିଖରେ ମିଳିତ ଜାତିସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ସୂଚନା, ଶିକ୍ଷା ଏବଂ ମନୋରଞ୍ଜନର ବଳିଷ୍ଠ ମାଧ୍ୟମ ଭାବରେ ବାସ୍ତବରେ ଏହି ଟେଲିଭିଜନର ତୁଳନା ନାହିଁ। ଝଡ଼, ବାତ୍ୟା, ବନ୍ୟା ଓ ସୁନାମି ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଆଗୁଆ ସତର୍କ ସୂଚନା ଦେଇ ବହୁ ଧନ ଜୀବନକୁ ସୁରକ୍ଷା ପ୍ରଦାନ କରିଆସୁଛି। ଏହି ଅବସରରେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭିକାରୀ ବଳ, ଲୋକକବି ଭାବଗ୍ରାହୀ ପରିଡ଼ା ଏବଂ କବିପତ୍ନୀ ସରୋଜିନୀ ପରିଡ଼ାଙ୍କ ପ୍ରତିମୂର୍ତି ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା। ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଭିଲିପ୍ସା ସାହୁ, ଅଙ୍କିତା ସାହୁ, ପ୍ରୀତି ପ୍ରଜ୍ଞା ବିଶ୍ୱାଳ, ଲିଜାରାଣୀ ପ୍ରଧାନ, ପ୍ରତୀକ୍ଷା ନାୟକ, ଗୌରବ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହଯୋଗ କରିଥିଲେ। ଭାବଗ୍ରାହୀ କଳା ନିକେତନ, ରେଡିଓ ଭାବଗ୍ରାହୀ ଏବଂ ମହ୍ଲାର ଅର୍କେଷ୍ଟ୍ରାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ସମାଜସେବୀ ସଞ୍ଜୟ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି