
ସମ୍ବଲପୁର, ୨୧, ନଭେମ୍ବର (ହି.ସ.) - ଶିଶୁମାନଙ୍କୁ ପୋଲିଓମୁକ୍ତ ରଖିବା ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲାରେ ନଭେମ୍ବର ୨୨ ତାରିଖରୁ ସ୍ୱତନ୍ତ୍ର ପଲ୍ସ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ଜିଲ୍ଲାର ୦ରୁ ୫ ବର୍ଷ ବୟସର ୨୪ ହଜାରରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଜିଲ୍ଲାରେ ୮୮୬ଟି ଟିକାକରଣ ବୁଥ୍, ୪୫ଟି ଟ୍ରାଞ୍ଜିଟ୍ ଟିମ୍ ଏବଂ ୨୭ଟି ମୋବାଇଲ୍ ଟିମ୍ ନିୟୋଜିତ ହେବେ। ଏହି ଅଭିଯାନରେ ୧,୮୮୮ ଜଣ ଟିମ୍ ସଦସ୍ୟ ଏବଂ ୧୧ ଜଣ ସୁପରଭାଇଜର ଦାୟିତ୍ୱ ତୁଲାଇବେ। ନଭେମ୍ବର ୨୨ ତାରିଖ ରବିବାର ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସମସ୍ତ ବୁଥ୍ରେ ଟିକାକରଣ କରାଯିବ। ଏହାପରେ ନଭେମ୍ବର ୨୩ ଓ ୨୪ ତାରିଖରେ ଟିକା ନେଇପାରି ନଥିବା ଶିଶୁମାନଙ୍କୁ ଚିହ୍ନଟ କରିବା ସହ ଘରକୁ ଘର ଯାଇ ଟିକା ପ୍ରଦାନ କରାଯିବ। ବସଷ୍ଟାଣ୍ଡ, ରେଳଷ୍ଟେସନ, ହାଟବଜାର ଓ ଅନ୍ୟାନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଟ୍ରାଞ୍ଜିଟ୍ ଟିମ୍ ନିୟୋଜିତ ହେବେ। ଏଥିସହ ସହରାଂଚଳ ବସ୍ତି, ଇଟାଭାଟି, ନିର୍ମାଣସ୍ଥଳୀ, ଯାଯାବର ବସ୍ତି ଓ ଅନ୍ୟାନ୍ୟ ଅସ୍ଥାୟୀ ଅଂଚଳରେ ରହୁଥିବା ଶିଶୁମାନଙ୍କୁ ଟିକାକରଣରେ ସାମିଲ କରିବା ପାଇଁ ସ୍ୱତନ୍ତ୍ର ମୋବାଇଲ୍ ଟିମ୍ ବ୍ୟବସ୍ଥା କରାଯାଇଛି। ଏହି ଅଭିଯାନକୁ ସଫଳ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ, ଅଙ୍ଗନବାଡ଼ି କର୍ମୀ, ଶିକ୍ଷା ବିଭାଗ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗର ସହଯୋଗ ନିଆଯାଇଛି। ସରକାରୀ ଓ ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ମଧ୍ୟ ଟିକାକରଣ ସୁନିଶ୍ଚିତ କରାଯିବ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଭିଭାବକମାନଙ୍କୁ ଅନୁରୋଧ କରାଯାଇଛି ଯେ, କୌଣସି ଶିଶୁ ଯେପରି ପୋଲିଓ ଟିକାରୁ ବଂଚିତ ନ ହୁଅନ୍ତି, ସେଥିପ୍ରତି ସମସ୍ତେ ସଚେତନ ରହନ୍ତୁ। ପ୍ରତ୍ୟେକ ଶିଶୁଙ୍କୁ ଦୁଇ ବୁନ୍ଦା ପୋଲିଓ ଟିକା ଦେଇ ଏକ ସୁସ୍ଥ ଓ ପୋଲିଓମୁକ୍ତ ସମାଜ ଗଠନରେ ସହଯୋଗ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ