ଚେକ୍ ବାଉନ୍ସ ମାମଲାର ସମାଧାନ ପାଇଁ ଜୟପୁରରେ ସ୍ୱତନ୍ତ୍ର ଲୋକ ଅଦାଲତ
୮ଟି ମାମଲାର ଆପୋଷ ସମାଧାନ, ୧୭.୧୩ ଲକ୍ଷ ଟଙ୍କାର ସମାଧାନ ରାଶି ଧାର୍ଯ୍ୟ ଜୟପୁର, ୨୧ ନଭେମ୍ବର (ହି.ସ.) : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଶନିବାର କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟାଳୟ ନ୍ୟାୟିକ ଅଦାଲତ ପରିସରରେ ଏକ ସ୍ୱତନ୍ତ୍ର
୮ଟି ଚେକ୍ ବାଉନ୍ସ ମାମଲାର ଆପୋଷ ସମାଧାନ, ୧୭.୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମାଧାନ ରାଶି ଧାର୍ଯ୍ୟ


୮ଟି ମାମଲାର ଆପୋଷ ସମାଧାନ, ୧୭.୧୩ ଲକ୍ଷ ଟଙ୍କାର ସମାଧାନ ରାଶି ଧାର୍ଯ୍ୟ

ଜୟପୁର, ୨୧ ନଭେମ୍ବର (ହି.ସ.) : ଜାତୀୟ ଆଇନ ସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଶନିବାର କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟାଳୟ ନ୍ୟାୟିକ ଅଦାଲତ ପରିସରରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେବଳ ଚେକ୍ ବାଉନ୍ସ ସମ୍ପର୍କିତ ମାମଲାଗୁଡ଼ିକର ଆପୋଷ ବୁଝାମଣା ଓ ପାରସ୍ପରିକ ସହମତି ଭିତ୍ତିରେ ସମାଧାନ କରାଯାଇଥିଲା।

ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ତ୍ୱାବଧାନରେ ଏହି ଅଦାଲତ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲା ଦୌରା ଜଜ୍ ପ୍ରଦୀପ କୁମାର ମହନ୍ତ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ସଚିବ ତଥା ବିଚାରପତି ପ୍ରଦ୍ୟୋମୟୀ ସୁଜାତା, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ସୁମିତ୍ରା କୁମାରୀ ଦା ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ହରମୋହନ ଦାସ ଉପସ୍ଥିତ ରହି ମାମଲାଗୁଡ଼ିକର ଶୁଣାଣି ଓ ସମାଧାନ ପ୍ରକ୍ରିୟାରେ ଭାଗ ନେଇଥିଲେ।

ଏହି ଅବସରରେ ଆଇନଜୀବୀ ଆନନ୍ଦ ରଥ, ରାଜେନ୍ଦ୍ର କୁମାର ଗୌଡ଼ ଏବଂ ନିର୍ବିକ ସାମନ୍ତରାୟ ବିଭିନ୍ନ ଲୋକ ଅଦାଲତ ବେଞ୍ଚ୍‌ରେ ଉପସ୍ଥିତ ରହି ଆପୋଷ ସମାଧାନ ପ୍ରକ୍ରିୟାକୁ ସୁଗମ କରିବାରେ ସହଯୋଗ କରିଥିଲେ।

ଏହି ସ୍ୱତନ୍ତ୍ର ଲୋକ ଅଦାଲତରେ ମୋଟ ୭୧ଟି ବିଚାରାଧୀନ ମାମଲା ମଧ୍ୟରୁ ୮ଟି ମାମଲାର ସଫଳତାର ସହ ଆପୋଷ ସମାଧାନ କରାଯାଇଥିଲା। ଏହି ମାମଲାଗୁଡ଼ିକରେ ମୋଟ ୧୭ ଲକ୍ଷ ୧୩ ହଜାର ୨୨୦ ଟଙ୍କାର ସମାଧାନ ରାଶି ଧାର୍ଯ୍ୟ ହୋଇଥିଲା।

ଲୋକ ଅଦାଲତ ମାଧ୍ୟମରେ ମାମଲାଗୁଡ଼ିକର ତ୍ୱରିତ, ସରଳ ଓ ବିନା ଖର୍ଚ୍ଚରେ ସମାଧାନ ସହ ଉଭୟ ପକ୍ଷଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବୁଝାମଣା ସମ୍ଭବ ହୋଇଥିଲା। ଏହା ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ, ସୁଲଭ ଓ ଜନସାଧାରଣଙ୍କ ନିକଟତର କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande