
ଜୁନାଗଡ଼ ଏନ୍ଏସିର ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଧରିଲା ଭିଜିଲାନ୍ସ; ଆୟ ବହିର୍ଭୂତ ସମ୍ପତ୍ତି ନେଇ ତଦନ୍ତ ଜାରି
ଜୟପୁର, ୨୧ ନଭେମ୍ବର (ହି.ସ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍ଏୱାଇ)ର ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ଏସିର ମ୍ୟାନେଜମେଣ୍ଟ ଇନଫରମେସନ୍ ସିଷ୍ଟମ୍ (ଏମ୍ଆଇଏସ୍) ପ୍ରୋଗ୍ରାମର ପ୍ରଦ୍ୟୁମ୍ନ କୁମାର ଦାସଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଯୋଜନାରେ ଘର ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ବାକି ୪୦ ହଜାର ଟଙ୍କା ମୁକ୍ତ କରାଇଦେବା ପାଇଁ ସେ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଦାବି କରିଥିଲେ।ସୂଚନା ଅନୁଯାୟୀ, ସଂପୃକ୍ତ ହିତାଧିକାରୀଙ୍କ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ସେଥିମଧ୍ୟରୁ ପୂର୍ବରୁ ୧ ଲକ୍ଷ ୬୦ ହଜାର ଟଙ୍କା ତାଙ୍କ ବ୍ୟାଙ୍କ ଖାତାକୁ ଆସିଥିବା ବେଳେ ବାକି ୪୦ ହଜାର ଟଙ୍କା ମିଳିବାକୁ ଥିଲା। ଏହି ଅର୍ଥ ମୁକ୍ତ କରାଇଦେବା ପାଇଁ ଅଭିଯୁକ୍ତ ଏମ୍ଆଇଏସ୍ ପ୍ରୋଗ୍ରାମର ଦାସ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।ଏପରିକି ଲାଞ୍ଚ ନଦେଲେ ବାକି ଅର୍ଥ ମୁକ୍ତ କରିବା ଦିଗରେ କୌଣସି ପଦକ୍ଷେପ ନେବେ ନାହିଁ ବୋଲି ସେ ହିତାଧିକାରୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଏଭଳି ହଇରାଣ ଓ ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ହିତାଧିକାରୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଏହାପରେ ଭିଜିଲାନ୍ସ ଯୋଜନା ଅନୁଯାୟୀ, ଆଜି ଅଭିଯୁକ୍ତ ଦାସ ହିତାଧିକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ଲାଞ୍ଚ ବାବଦ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଉଦ୍ଧାର କରାଯିବା ସହ ଜବତ କରାଯାଇଛି।ଏହି ଘଟଣା ପରେ ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାର ଦାସଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସମ୍ପର୍କିତ ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି