କାର୍ତ୍ତିକ ମାସରେ ପାରାବେଢ଼ା ଅଞ୍ଚଳରେ ନଗର ସଂକୀର୍ତ୍ତନ, ପଞ୍ଚୁକରେ ବୁଲିବେ ସବୁ ଗଳି
ପାରମ୍ପରିକ ରୀତିନୀତି ଅନୁସାରେ ମାସବ୍ୟାପୀ ନାମ ସଂକୀର୍ତ୍ତନ; ଭକ୍ତିମୟ ପରିବେଶରେ ମୁଖରିତ ଅଞ୍ଚଳ ଜୟପୁର, ୨୧ ନଭେମ୍ବର (ହି.ସ.): ପବିତ୍ର କାର୍ତ୍ତିକ ମାସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁର ସହରର ପାରାବେଢ଼ା ଅଞ୍ଚଳରେ ନଗର ସଂକୀର୍ତ୍ତନ ଆୟୋଜିତ ହେଉ
କାର୍ତିକ ମାସ ପାଇଁ ପାରାବେଢ଼ାରେ ସଂକୀର୍ତନ


ପାରମ୍ପରିକ ରୀତିନୀତି ଅନୁସାରେ ମାସବ୍ୟାପୀ ନାମ ସଂକୀର୍ତ୍ତନ; ଭକ୍ତିମୟ ପରିବେଶରେ ମୁଖରିତ ଅଞ୍ଚଳ

ଜୟପୁର, ୨୧ ନଭେମ୍ବର (ହି.ସ.): ପବିତ୍ର କାର୍ତ୍ତିକ ମାସ ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ଜୟପୁର ସହରର ପାରାବେଢ଼ା ଅଞ୍ଚଳରେ ନଗର ସଂକୀର୍ତ୍ତନ ଆୟୋଜିତ ହେଉଛି। ସ୍ଥାନୀୟ ସଂକୀର୍ତ୍ତନ ମଣ୍ଡଳୀ ପକ୍ଷରୁ କାର୍ତ୍ତିକ ମାସର ପ୍ରଥମ ଦିନରୁ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରେ ଏହି ଧାର୍ମିକ କାର୍ଯ୍ୟକ୍ରମ ଚାଲିଛି। ନାମ ସଂକୀର୍ତ୍ତନରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠୁଛି।

ପ୍ରତିଦିନ ସକାଳୁ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟମାନେ ଝାଙ୍କରଦେଇ ମନ୍ଦିର ପରିସରରେ ଏକତ୍ରିତ ହୁଅନ୍ତି। ସେଠାରେ ପ୍ରଥମେ ଆଳତି ଓ ତୁଳସୀ ବନ୍ଦନା ଅନୁଷ୍ଠିତ ହେବା ପରେ ହବିଷ୍ୟାଳୀ ମହିଳାମାନେ ବନ୍ଦାପନା କରି ନଗର ପରିକ୍ରମା ପାଇଁ ପୂଜାର୍ଚ୍ଚନା କରିଥାନ୍ତି।

ଏହାପରେ ସଂକୀର୍ତ୍ତନ ମଣ୍ଡଳୀ ଖାଲସାହିସ୍ଥିତ ଗୋଜପାୟାଣୀ ମନ୍ଦିରରେ ପହଞ୍ଚି ଆଳତି ଓ ବନ୍ଦନା କରିବା ପରେ ଲୋକନାଥ ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି। ସେଠାରେ ମହିଳା ଶ୍ରଦ୍ଧାଳୁମାନେ ଫୁଲ ଓ ଚନ୍ଦନ ଦେଇ ସଂକୀର୍ତ୍ତନ ମଣ୍ଡଳୀକୁ ସ୍ୱାଗତ କରିଥାନ୍ତି। ଏହାପରେ ଶିବ ବନ୍ଦନା ଓ ଆଳତି ଅନୁଷ୍ଠିତ ହୁଏ।

ସେଠାରୁ ମଣ୍ଡଳୀ ସନ୍ତୋଷୀ ମା' ନଗର ଦେଇ ସନ୍ତୋଷୀ ମା' ମନ୍ଦିରରେ ପହଞ୍ଚିଥାନ୍ତି। ସେଠାରେ କାର୍ତ୍ତିକ ବ୍ରତ ପାଳନ କରୁଥିବା ମହିଳାମାନେ ନାମ ସଂକୀର୍ତ୍ତନରେ ସାମିଲ ହୁଅନ୍ତି। ମା'ଙ୍କ ବନ୍ଦନା ଓ ଆଳତି ପରେ ସଂକୀର୍ତ୍ତନ ମଣ୍ଡଳୀ ପୁନର୍ବାର ଝାଙ୍କରଦେଇ ମନ୍ଦିରକୁ ଫେରିଥାନ୍ତି।

ମାସବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ପଞ୍ଚୁକ ପାଞ୍ଚଦିନରେ ନଗର ସଂକୀର୍ତ୍ତନକୁ ଅଧିକ ବ୍ୟାପକ କରାଯାଇଥାଏ। ଏହି ସମୟରେ ପାରାବେଢ଼ା ଅଞ୍ଚଳର ପ୍ରତ୍ୟେକ ଗଳି ଓ ସାହିରେ ସଂକୀର୍ତ୍ତନ ମଣ୍ଡଳୀ ବ୍ରାହ୍ମ ମୁହୂର୍ତ୍ତରେ ନାମ ସଂକୀର୍ତ୍ତନ କରି ପରିକ୍ରମା କରିଥାନ୍ତି। ଏଥିରେ ଅରବିନ୍ଦ ନଗର, ଶ୍ରୀରାମ କଲୋନୀ, ମହାବୀର ଲାଇନ ଓ ଏକଟାଗୁଡ଼ା ଆଦି ଅଞ୍ଚଳ ସାମିଲ ହୋଇଥାଏ।

ସଂକୀର୍ତ୍ତନ ମଣ୍ଡଳୀରେ ଦିବାକର ପାଢ଼ୀ ଠାକୁରଙ୍କ ଫଟୋଚିତ୍ର ଧାରଣ କରୁଥିବା ବେଳେ ଗଣେଶ ନାୟକ, ପବିତ୍ର ନାୟକ, ରାମପ୍ରସାଦ ପାଢ଼ୀ, ସୁଶାନ୍ତ ନାୟକ, ରାଜେନ୍ଦ୍ର କୁମାର ଗୌଡ଼, ପଞ୍ଚାନନ ନାୟକ, ସଞ୍ଜୟ ମହାନ୍ତି, ଶ୍ରୀଧର ସାହୁ ଓ ଟି. ଗୌରୀଶଙ୍କରଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ଯୋଗଦେଇ ଆସୁଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande