
ଭୁବନେଶ୍ୱର/ଅନୁଗୋଳ, ୨୧ ନଭେମ୍ବର (ହି.ସ) : ୧.୨୩ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସରକାରୀ
ଅର୍ଥ ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସକୁ ଏକ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସାତକୋଶିଆ
ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର ବରିଷ୍ଠ ସହାୟକ (ଏସଏ) ଅଜୟ କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨୦୨୬ ଅକ୍ଟୋବର
ମାସରେ ୧.୨୩ କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ପରଠାରୁ ଶ୍ରୀ ନାୟକ
ଫେରାର ଥିଲେ। ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ତାଙ୍କ ଗତିବିଧି ଉପରେ ନଜର ରଖିଥିଲା। ଗତକାଲି
ରାତିରେ ସେ ଏକ କାର୍ରେ ନିଜ ଘରକୁ ଯାଉଥିବା ସମୟରେ ଅନୁଗୋଳ ସହରରୁ ତାଙ୍କୁ ଧରାଯାଇଥିଲା।
୧.୨୩ କୋଟି ଟଙ୍କାରୁ
ଊର୍ଦ୍ଧ୍ୱ ସରକାରୀ ଅର୍ଥ ହେରଫେର ଅଭିଯୋଗ ଆସିବା ପରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର
ବିସ୍ତୃତ ଯାଞ୍ଚ କରାଯାଇଥିଲା।
ଭିଜିଲାନ୍ସର ତଦନ୍ତରୁ
ଜଣାପଡ଼ିଛି ଯେ, ପ୍ରତିଷ୍ଠାନ
ବିଭାଗରେ କାର୍ଯ୍ୟରତ ଥିବା ସମୟରେ ଶ୍ରୀ ନାୟକ ଯୋଜନାବଦ୍ଧ ଭାବେ ସରକାରୀ ଅର୍ଥ ହଡ଼ପ କରିଥିଲେ।
ଏହି ବିଭାଗର ଦାୟିତ୍ୱ ମଧ୍ୟରେ କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ଦରମା ଏବଂ ବକେୟା ଅର୍ଥ ପ୍ରଦାନ ଆଦି କାର୍ଯ୍ୟ
ରହିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ୦୧.୦୧.୨୦୧୯ରୁ ୩୦.୦୬.୨୦୨୫ ମଧ୍ୟରେ ଶ୍ରୀ ନାୟକ ମୋଟ ୧,୨୩,୫୨,୫୪୭ ଟଙ୍କା ହଡ଼ପ କରିଥିଲେ।
ଅଭିଯୁକ୍ତ ଶ୍ରୀ ନାୟକ ଏଚଆରଏମଏସପୋର୍ଟାଲରେ ଜାଲ୍ ଦାବି ପ୍ରସ୍ତୁତ କରି ଅର୍ଥ ପ୍ରଦାନ ସମ୍ପର୍କିତ
ଅନଲାଇନ୍ ରେକର୍ଡରେ ହେରଫେର କରିଥିଲେ। ଉକ୍ତ କାର୍ଯ୍ୟାଳୟର ଅବସରପ୍ରାପ୍ତ ଏବଂ ମୃତ
କର୍ମଚାରୀଙ୍କ ନାମରେ ଅବ୍ୟବହୃତ ଛୁଟି ବାବଦ ଦରମା ଓ ବକେୟା ଅର୍ଥ ପ୍ରଦାନ ପାଇଁ ଜାଲ୍ ବିଲ୍
ପ୍ରସ୍ତୁତ କରାଯାଇଥିଲା। ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ନିକଟକୁ ପଠାଇବା ପରିବର୍ତ୍ତେ ସେ
ନିଜ ବ୍ୟାଙ୍କ ଆକାଉଣ୍ଟ ସହିତ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରେଜେରୀ
ମାଧ୍ୟମରେ ଏନଇଏଫଟିଜରିଆରେ
ଅର୍ଥ ସ୍ଥାନାନ୍ତର କରିଥିଲେ।
ଏହି ଘଟଣାରେ ଅଭିଯୁକ୍ତ ଅଜୟ
କୁମାର ନାୟକଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ବିଏନଏସର ସମ୍ପୃକ୍ତ ଧାରା ଅନୁଯାୟୀ କଟକ
ଭିଜିଲାନ୍ସ ଥାନା କେସ୍ ନମ୍ବର ୪୪/୨୦୨୬ ରୁଜୁ କରାଯାଇଛି। ଆଜି ଅଭିଯୁକ୍ତଙ୍କୁ ଅଦାଲତରେ ହାଜର
କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା