
ଜୟପୁର, 21 ନଭେମ୍ବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ଜୟପୁରର ରସାୟନ ବିଜ୍ଞାନ ସ୍ନାତକୋତ୍ତର ବିଭାଗ ପକ୍ଷରୁ ବିଭାଗୀୟ ସେମିନାର ହଲ୍ଠାରେ ଏନ୍ଏମ୍ଆର୍ ସ୍ପେକ୍ଟ୍ରୋସ୍କୋପି ମାଧ୍ୟମରେ ଜୈବ ଅଣୁଗୁଡ଼ିକର ଗଠନ ଓ ସ୍ୱରୂପ ଅଧ୍ୟୟନ ଶୀର୍ଷକ ଏକ ଆମନ୍ତ୍ରିତ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ କଟକସ୍ଥିତ ରେଭେନ୍ସା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ରସାୟନ ବିଜ୍ଞାନ ପ୍ରଫେସର ଡ. ସୁଧାଂଶୁ ଶେଖର ତ୍ରିପାଠୀ ଆମନ୍ତ୍ରିତ ବକ୍ତା ଭାବେ ଯୋଗଦେଇ ବକ୍ତୃତା ପ୍ରଦାନ କରିଥିଲେ।ନିଜ ବକ୍ତବ୍ୟରେ ଡ. ତ୍ରିପାଠୀ ୧ଡି ଓ ୨ଡି ନ୍ୟୁକ୍ଲିୟର ମ୍ୟାଗ୍ନେଟିକ୍ ରେଜୋନାନ୍ସ ସ୍ପେକ୍ଟ୍ରୋସ୍କୋପିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଏହି ଆଧୁନିକ ବିଶ୍ଳେଷଣାତ୍ମକ କୌଶଳ ମାଧ୍ୟମରେ ଜୈବ ଅଣୁଗୁଡ଼ିକର ଆଭ୍ୟନ୍ତରୀଣ ଗଠନ, ରାସାୟନିକ ସଂରଚନା ଓ ପରମାଣୁମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ କିପରି ଚିହ୍ନଟ ଓ ବିଶ୍ଳେଷଣ କରାଯାଇପାରେ, ସେ ସମ୍ପର୍କରେ ସେ ବିସ୍ତୃତ ଭାବେ ବୁଝାଇଥିଲେ। ଏଥିସହିତ ଏନ୍ଏମ୍ଆର୍ ସ୍ପେକ୍ଟ୍ରମ୍ର ବ୍ୟାଖ୍ୟା ଓ ଜୈବ ଅଣୁର ସଠିକ୍ ଗଠନ ନିର୍ଣ୍ଣୟ କ୍ଷେତ୍ରରେ ଏହାର ଉପଯୋଗିତା ଉପରେ ଗୁରୁତ୍ୱ ଦେଇଥିଲେ।କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ପିଜି କାଉନସିଲ୍ର ଅଧ୍ୟକ୍ଷ ଡ. ପି. କେ. ପାତ୍ର ଅଧ୍ୟକ୍ଷତା କରିଥିଲେ। ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡ. ଏସ୍. କେ. ଦେହୁରୀ ଏବଂ ସହକାରୀ ପ୍ରଫେସର ଡ. ବି. ବି. ନନ୍ଦା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଜଣାଇଥିଲେ। ଶେଷରେ ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଏସ୍. ଏସ୍. ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଡ. ୟୁ. କେ. ଷଡ଼ଙ୍ଗୀ, ଡ. ୟୁ. ଏମ୍. ଚୌଧୁରୀ, ଡ. ଏସ୍. ହୋତା, ଡ. ସୁବ୍ରତ ପଟ୍ଟନାୟକ, ଡ. ଶୀର୍ଷା ପ୍ରଧାନ ଏବଂ ଶ୍ରୀ ଏସ୍. ପୋଥାଲଙ୍କ ସମେତ ବିଭାଗର ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।ଏହି ଆମନ୍ତ୍ରିତ ବକ୍ତୃତା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ରସାୟନ ବିଜ୍ଞାନର ଗବେଷଣାମୂଳକ ଓ ବିଶ୍ଳେଷଣାତ୍ମକ ଜ୍ଞାନ ଆହରଣ କରିବାରେ ସହାୟକ ହୋଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି