ପରିସୀମନ ବିଲ୍କୁ ଗଣତନ୍ତ୍ର ପାଇଁ ବଡ଼ ବିପଦ ବୋଲି କହିଲା ଇଣ୍ଡି ମେଂଟ
ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପରିସୀମନ ବିଲ୍କୁ ବିରୋଧ କରି ଇଣ୍ଡି ମେଂଟ ଏହାକୁ ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ବୋଲି କହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରି ସରକାର କ୍ଷମତା ଉପରେ ସ୍ଥାୟୀ ଭାବେ କବ୍
बैठक में मौजूद विपक्षी नेता।


ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)- କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ପରିସୀମନ ବିଲ୍କୁ ବିରୋଧ କରି ଇଣ୍ଡି ମେଂଟ ଏହାକୁ ଗଣତନ୍ତ୍ର ପାଇଁ ଏକ ବଡ଼ ବିପଦ ବୋଲି କହିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରି ସରକାର କ୍ଷମତା ଉପରେ ସ୍ଥାୟୀ ଭାବେ କବ୍ଜା କରିବାକୁ ଚାହୁଁଛି। ଏହି ବିଲ୍ରେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି)ଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି।

ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଶନିବାର ଖଡ଼ଗେଙ୍କ ବାସଭବନରେ ଇଣ୍ଡି ମେଂଟର ଫ୍ଲୋର ଲିଡରମାନଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଆଇୟୁଏମ୍ଏଲ୍ର ଇ.ଟି. ମହମ୍ମଦ ବଶୀର, ରାଷ୍ଟ୍ରୀୟ ଜନତା ଦଳର ମନୋଜ ଝା ଏବଂ ସମାଜବାଦୀ ପାର୍ଟିର ରାମଜୀଲାଲ ସୁମନଙ୍କ ସମେତ ଅନ୍ୟ ନେତାମାନେ ଯୋଗ ଦେଇଥିଲେ। ଡିଏମ୍କେ ଓ ଏନ୍ସିପି (ଏସ୍ସିପି)ର କୌଣସି ନେତା ବୈଠକରେ ଯୋଗ ଦେଇନଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପରିସୀମନ ବିଲ୍କୁ ନେଇ ଆଜି ସନ୍ଧ୍ୟା ୫ଟାରେ ସାମ୍ବାଦିକ ସମ୍ମିଳନୀ କରିବେ।

ବୈଠକ ପରେ ଖଡ଼ଗେ କହିଛନ୍ତି ଯେ, ମୋଦୀ ସରକାରଙ୍କ ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ବିଲ୍ ଗଣତନ୍ତ୍ର ପାଇଁ ଏକ ଗମ୍ଭୀର ବିପଦ ବୋଲି ମେଂଟର ସମସ୍ତ ନେତା ସାମୂହିକ ଭାବେ ନିଷ୍ପତି ନେଇଛନ୍ତି। ପୂର୍ବରୁ ବିଜେପି ନିର୍ବାଚନ ସମୟରେ ୪୦୦ ପାରର ନାରା ଦେଇଥିଲା, ଯାହା ପୂରଣ ହୋଇନଥିଲା। ଏବେ ଲୋକସଭା ଆସନ ସଂଖ୍ୟା ୮୫୦ ପର୍ଯ୍ୟନ୍ତ ବୃଦ୍ଧି କରିବା କଥା କୁହାଯାଉଛି। ଏହା ମାଧ୍ୟମରେ ସରକାର କ୍ଷମତାକୁ ନିଜ ହାତରେ ରଖିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଖଡ଼ଗେ କହିଛନ୍ତି ଯେ, ପରିସୀମନ ବିଲ୍ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯାଇନାହିଁ। ସମ୍ବିଧାନର ଧାରା ୩୩୦ ଅନୁଯାୟୀ ଲୋକସଭାରେ ଏହି ବର୍ଗଙ୍କ ପାଇଁ ଆସନ ସଂରକ୍ଷଣର ବ୍ୟବସ୍ଥା ରହିଛି। ଜନଗଣନା ତଥ୍ୟ ଆଧାରରେ ଏହି ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି ହେବା ଉଚିତ। କିନ୍ତୁ ପ୍ରସ୍ତାବିତ ବିଲ୍ରେ ଏ ସମ୍ପର୍କରେ କୌଣସି ବ୍ୟବସ୍ଥା ନାହିଁ।

ସେ କହିଛନ୍ତି ଯେ, ୨୦୨୬ ଜନଗଣନାର ତଥ୍ୟ ସମ୍ପର୍କରେ ମଧ୍ୟ ବିଲ୍ରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ଯଦି ସର୍ବଶେଷ ଜନଗଣନା ଆଧାରରେ ପରିସୀମନ କରାଯାଏ, ତେବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ସେମାନଙ୍କ ଜନସଂଖ୍ୟା ଅନୁପାତରେ ଅଧିକ ଆସନ ମିଳିପାରିବ। ଖଡ଼ଗେ ଅଭିଯୋଗ କରିଛନ୍ତି ଯେ, ସରକାର ଏହି ବର୍ଗଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବା ପରିବର୍ତେ ନିଜର ରାଜନୈତିକ ଫାଇଦାକୁ ପ୍ରାଥମିକତା ଦେଉଛି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଆୟୋଗର ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। କୋଟି କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ହଟାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏବେ ସେହି ନିର୍ବାଚନ ଆୟୋଗକୁ ପରିସୀମନର ଦାୟିତ୍ୱ ଦିଆଯାଉଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ, ଯେତେବେଳେ ସେ ନିଜେ ପ୍ରଶ୍ନ ଘେରରେ ଅଛନ୍ତି, ସେତେବେଳେ ତାଙ୍କ ନେତୃତ୍ୱରେ ପରିସୀମନ ପ୍ରକ୍ରିୟା ଉପରେ ଭରସା କରାଯାଇପାରିବ ନାହିଁ।

-----------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande