
ବେଙ୍ଗାଲୁରୁ, ୨୮ ନଭେମ୍ବର (ହି.ସ.)- କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶନିବାର କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ବିଧାନସଭା ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଯଦି ରାଜ୍ୟକୁ ମରୁଡ଼ି ସହାୟତା ରାଶି ଜାରି କରାନଯାଏ, ତେବେ ଡିସେମ୍ବରରେ ଅଧିବେଶନ ପରେ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ କରାଯିବ।
ଏଠାରେ ବିଧାନସୌଧର ସମ୍ମିଳନୀ କକ୍ଷ ସଙ୍ଗମଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତା କରି ଶିବକୁମାର ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମରୁଡ଼ି ପରିସ୍ଥିତି ଥିବା ସତ୍ୱେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ଆର୍ôଥକ ସହାୟତା ଜାରି କରିନାହାନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରିମଣ୍ଡଳରେ ଆଲୋଚନା ହୋଇଛି। ସହାୟତା ରାଶି ହାସଲ କରିବା ପାଇଁ ରାଜ୍ୟ ସରକାର ସବୁ ସ୍ତରରେ ସଂଘର୍ଷ କରିବେ। ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ମଧ୍ୟ ଦ୍ୱାରସ୍ଥ ହେବେ। ଏହାସହିତ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀକୁ ସାକ୍ଷାତ କରିବା ପାଇଁ ସମୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।
ପରିସୀମନ ବିଲ୍ ଉପରେ ଆଲୋଚନା କରିବା ପାଇଁ ଦିଲ୍ଲୀ ଯାଉଥିବା ସୂଚନା ଦେଇ ସେ କହିଛନ୍ତି ଯେ, ରବିବାର କେରଳ ଓ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଉତର ଭାରତର ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା ସମ୍ଭାବ୍ୟ ବୃଦ୍ଧି ଏବଂ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରଭାବ ସହିତ ପରିସୀମନର ଫାଇଦା ଓ କ୍ଷତି ଉପରେ ବିଚାରବିମର୍ଶ କରାଯିବ। ଉତର ଭାରତର ରାଜ୍ୟଗୁଡ଼ିକରେ ଲୋକସଭା ଆସନ ସଂଖ୍ୟା କେତେ ବୃଦ୍ଧି ପାଇବ ଏବଂ ଏହାର ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଉପରେ କ’ଣ ପ୍ରଭାବ ପଡ଼ିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ।
ଶିବକୁମାର କହିଛନ୍ତି ଯେ, ଏହା ପୂର୍ବରୁ ଦ୍ରାବିଡ଼ ମୁନେତ୍ର କଳଗମ (ଡିଏମ୍କେ) ପକ୍ଷରୁ ଡକାଯାଇଥିବା ବୈଠକରେ ମଧ୍ୟ ସେ ଯୋଗ ଦେଇଥିଲେ। ମହିଳା ସଂରକ୍ଷଣକୁ ଆମେ ସମର୍ଥନ କରୁଛୁ, କିନ୍ତୁ ନିର୍ବାଚନମଣ୍ଡଳୀର ପରିସୀମନକୁ ବିରୋଧ କରୁଛୁ। ବିଜେପି ନିଜର ରାଜନୈତିକ ସୁବିଧା ଅନୁଯାୟୀ ନିଷ୍ପତି ନେଉଥିବା ସେ ଅଭିଯୋଗ କରିଛନ୍ତି। ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ସହ ଅନ୍ୟାୟ ହେବାକୁ ଦିଆଯିବ ନାହିଁ ଏବଂ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ସଂଘର୍ଷ କରାଯିବ।
ଡିକେ ଶିବକୁମାର କହିଛନ୍ତି ଯେ, ଦେଶର ପ୍ରଗତିରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ପରିସୀମନ ଯୋଗୁଁ ଏହି ରାଜ୍ୟଗୁଡ଼ିକର ପ୍ରତିନିଧିତ୍ୱ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ଉଚିତ ଥିଲା।
କେନ୍ଦ୍ରମନ୍ତ୍ରୀ ଏଚ୍.ଡି. କୁମାରସ୍ୱାମୀ ପରିସୀମନ ବିଲ୍କୁ ସମର୍ଥନ କରିବା ସମ୍ପର୍କିତ ବୟାନ ଉପରେ ପ୍ରତିକ୍ରିୟା ଦେଇ ଶିବକୁମାର କହିଛନ୍ତି ଯେ, ନିଜ କାର୍ଯ୍ୟକାଳ ମଧ୍ୟରେ ସେ କନ୍ନଡ଼ ଲୋକଙ୍କ ଓ କର୍ଣ୍ଣାଟକ ପାଇଁ କ’ଣ କରିଛନ୍ତି, ତାହା ସେ ସ୍ପଷ୍ଟ କରିବା ଉଚିତ। କେବଳ ବୟାନ ଦେଲେ କିଛି ହାସଲ ହେବ ନାହିଁ।
---------------
ହିନ୍ଦୁସ୍ଥାନ ସମାଚାର / ଗଗନ