
ନୂଆଦିଲ୍ଲୀ, ୨୮ ନଭେମ୍ବର (ହି.ସ.)। ସଂସଦ ଓ ବିଧାନସଭାଗୁଡ଼ିକରେ ମହିଳା ସଂରକ୍ଷଣ ଲାଗୁ କରିବା ପ୍ରତି ସରକାରଙ୍କ ଦୃଢ଼ ସଂକଳ୍ପକୁ ପୁନର୍ବାର ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ସେ କହିଛନ୍ତି ଯେ, ନାରୀଶକ୍ତିଙ୍କୁ ସେମାନଙ୍କ ଅଧିକାର ଓ ଉପଯୁକ୍ତ ଭାଗିଦାରୀ ଦେବା ରାସ୍ତାରେ ଆସୁଥିବା ପ୍ରତ୍ୟେକ ପ୍ରତିବନ୍ଧକକୁ ଦୂର କରାଯିବ। ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ଦଳଗୁଡ଼ିକ ଦେଶର ମହିଳାମାନଙ୍କୁ ସଂସଦ ଓ ବିଧାନସଭାରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରିବାରୁ କେବେ ବି ରୋକିପାରିବେ ନାହିଁ। ଏବେ କେବଳ ସମୟକୁ ଅପେକ୍ଷା ବୋଲି ସେ କହିଛନ୍ତି।
ସୋସିଆଲ ମିଡିଆରେ ସେୟାର କରିଥିବା ଏକ ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳାମାନଙ୍କୁ ରାଜନୈତିକ ଭାଗିଦାରୀ ଦେବା ପାଇଁ ଦୀର୍ଘ ଦଶନ୍ଧି ଧରି ସଂଘର୍ଷ ଜାରି ରହିଛି। ସେ ନିଜେ ମଧ୍ୟ ବହୁ ବର୍ଷ ଧରି ଏହି ଦିଗରେ ପ୍ରୟାସ କରୁଥିବା ଲୋକଙ୍କ ମଧ୍ୟରେ ସାମିଲ ଅଛନ୍ତି। ଦେଶର ଅନେକ ମହିଳା ତାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ସହ ଚିଠି ଲେଖି ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଆସୁଛନ୍ତି।
ସେ କହିଛନ୍ତି, “ମୁଁ ଜାଣିଛି ଯେ ଦେଶର ୧୦୦ ପ୍ରତିଶତ ନାରୀଶକ୍ତିଙ୍କ ଆଶୀର୍ବାଦ ଆମ ସହିତ ରହିଛି। ଦେଶର ପ୍ରତ୍ୟେକ ମହିଳାଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ, ମହିଳା ସଂରକ୍ଷଣ ଲାଗୁ କରିବା ରାସ୍ତାରେ ଆସୁଥିବା ପ୍ରତ୍ୟେକ ବାଧାକୁ ଆମେ ଦୂର କରିବୁ। ଆମର ମନୋବଳ ଦୃଢ଼, ସାହସ ଅଟଳ ଏବଂ ସଂକଳ୍ପ ଅବିଚଳିତ।”
ମୋଦୀ କହିଛନ୍ତି ଯେ, ମହିଳା ସଂରକ୍ଷଣକୁ ବିରୋଧ କରୁଥିବା ରାଜନୈତିକ ଦଳଗୁଡ଼ିକ ଦେଶର ନାରୀଶକ୍ତିଙ୍କୁ ସଂସଦ ଓ ବିଧାନସଭାରେ ସେମାନଙ୍କ ଭାଗିଦାରୀ ବୃଦ୍ଧି କରିବାରୁ କେବେ ବି ରୋକିପାରିବେ ନାହିଁ। ଏଥିପାଇଁ ଏବେ କେବଳ ଉପଯୁକ୍ତ ସମୟକୁ ଅପେକ୍ଷା ରହିଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମହିଳାମାନଙ୍କ ରାଜନୈତିକ ଭାଗିଦାରୀ ବୃଦ୍ଧି ପ୍ରସଙ୍ଗ ଦୀର୍ଘ ସମୟ ଧରି ଆଲୋଚନା ଓ ପ୍ରୟାସର ଅଂଶ ହୋଇ ରହିଛି। ଏହି ଦିଗରେ ମହିଳାମାନେ ନିରନ୍ତର ନିଜ ସ୍ୱର ଉତ୍ତୋଳନ କରିବା ସହ ତାଙ୍କୁ ସାକ୍ଷାତ କରି ଏବଂ ଚିଠି ମାଧ୍ୟମରେ ନିଜର ଆଶା ଓ ଆକାଂକ୍ଷା ଜଣାଇଛନ୍ତି। ମହିଳା ସଂରକ୍ଷଣ ପ୍ରସଙ୍ଗରେ ଦେଶର ମହିଳାମାନଙ୍କ ସମର୍ଥନ ସରକାରଙ୍କ ସହ ରହିଛି ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର (ନଭେମ୍ବର ୨୭) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକରେ ମହିଳା ସଂରକ୍ଷଣ ଲାଗୁ କରିବା ଦିଗରେ ନୂତନ ବିଧାନଗତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି। ଏହା ଅନୁଯାୟୀ, ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ନିମନ୍ତେ ପରିସୀମନ ସମ୍ବନ୍ଧୀୟ ବ୍ୟବସ୍ଥାରେ ପରିବର୍ତ୍ତନ ପ୍ରସ୍ତାବ ରହିଛି।
ପ୍ରସ୍ତାବିତ ସମ୍ବିଧାନ (୧୩୨ତମ ସଂଶୋଧନ) ବିଧେୟକ, ୨୦୨୬ ଅନୁଯାୟୀ, ଲୋକସଭାର ଆସନ ସଂଖ୍ୟା ବର୍ତ୍ତମାନର ୫୪୩ରୁ ବୃଦ୍ଧି କରି ସର୍ବାଧିକ ୮୫୦ କରିବା ସହ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଲୋକସଭା ଆସନ ସଂଖ୍ୟାକୁ ବର୍ତ୍ତମାନର ଆସନ ସଂଖ୍ୟା ତୁଳନାରେ ୫୦ ପ୍ରତିଶତ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ସେହିପରି ରାଜ୍ୟ ବିଧାନସଭାଗୁଡ଼ିକର ଆସନ ସଂଖ୍ୟା ମଧ୍ୟ ୫୦ ପ୍ରତିଶତ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏଥିସହ ୨୦୫୧ ମସିହା ପର୍ଯ୍ୟନ୍ତ ଲୋକସଭାରେ ବିଭିନ୍ନ ରାଜ୍ୟ ମଧ୍ୟରେ ବର୍ତ୍ତମାନର ଆନୁପାତିକ ପ୍ରତିନିଧିତ୍ୱ ବଜାୟ ରଖିବାର ବ୍ୟବସ୍ଥା ପ୍ରସ୍ତାବିତ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଲାଗୁ କରିବା ସରକାରଙ୍କ ଲକ୍ଷ୍ୟ ରହିଛି।
ମହିଳା ସଂରକ୍ଷଣ ସମ୍ବନ୍ଧୀୟ ଏହି ପ୍ରସ୍ତାବଗୁଡ଼ିକୁ ସଂସଦରେ ଆଗକୁ ବଢ଼ାଇବା ପାଇଁ ନଭେମ୍ବର ୩୦ ତାରିଖରୁ ଲୋକସଭା ଏବଂ ଡିସେମ୍ବର ୨ ତାରିଖରୁ ରାଜ୍ୟସଭାର ବୈଠକ ପୁନର୍ବାର ଡକାଯାଇଛି। ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନରେ ଉକ୍ତ ବିଧେୟକଗୁଡ଼ିକୁ ଉପସ୍ଥାପନ କରି ପାରିତ କରାଇବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ସମ୍ବିଧାନ ସଂଶୋଧନ ବିଧେୟକ ପାରିତ କରିବା ପାଇଁ ଉଭୟ ସଦନରେ ବିଶେଷ ସଂଖ୍ୟାଗରିଷ୍ଠତା ଆବଶ୍ୟକ। ଏହା ପୂର୍ବରୁ ଏପ୍ରିଲ ମାସରେ ମହିଳା ସଂରକ୍ଷଣ ଓ ପରିସୀମନ ସମ୍ବନ୍ଧୀୟ ବିଧେୟକଗୁଡ଼ିକୁ ଲୋକସଭାରେ ଆବଶ୍ୟକ ସମର୍ଥନ ମିଳିପାରି ନଥିଲା। ଏବେ ସରକାର ନୂତନ ବ୍ୟବସ୍ଥା ସହ ଏହି ବିଧେୟକଗୁଡ଼ିକୁ ପୁଣିଥରେ ଆଗକୁ ବଢ଼ାଇବାକୁ ପ୍ରସ୍ତୁତି କରୁଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା