
‘ଅନୁବାଦିନୀ ଏଆଇ’ ମାଧ୍ୟମରେ ବହୁଭାଷୀ ପ୍ରସାରଣ ସୁବିଧା ଯୋଗାଇଲା ଶିକ୍ଷା ମନ୍ତ୍ରଣାଳୟ
- ତେଲୁଗୁ, ମରାଠୀ ଓ କନ୍ନଡ଼ ସମେତ ଅନେକ ଭାରତୀୟ ଭାଷାରେ ଉପଲବ୍ଧ ହେବ ଲାଇଭ୍ ସବ୍ଟାଇଟଲ୍
ଚେନ୍ନାଇ, ୨୮ ନଭେମ୍ବର (ହି.ସ.)। ଜ୍ଞାନ, ସଂସ୍କୃତି ଓ ପରମ୍ପରାର ସଙ୍ଗମସ୍ଥଳୀ କାଶୀ-ତାମିଲ ସଙ୍ଗମମ୍ର ପଞ୍ଚମ ସଂସ୍କରଣରେ ଏଥର କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି। ବାରାଣସୀରେ ଆୟୋଜିତ ଏହି ୧୫ ଦିନିଆ ସାଂସ୍କୃତିକ ଉତ୍ସବକୁ ଏବେ ଦେଶର ଲୋକେ ନିଜ ମାତୃଭାଷା ଓ ଆଞ୍ଚଳିକ ଭାଷାରେ ଉପଭୋଗ କରିପାରିବେ। ଏଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ବିକଶିତ ‘ଅନୁବାଦିନୀ ଏଆଇ’ ପ୍ଲାଟଫର୍ମ ମାଧ୍ୟମରେ ବହୁଭାଷୀ ପ୍ରସାରଣ ସୁବିଧା ଉପଲବ୍ଧ କରାଯାଇଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ସଂକଳ୍ପ ଅନୁଯାୟୀ ଏହି ଆୟୋଜନକୁ ଭାଷାଗତ ପ୍ରତିବନ୍ଧକରୁ ମୁକ୍ତ କରିବାକୁ ପ୍ରୟାସ କରାଯାଇଛି। ଏହା ଅଧୀନରେ ତାମିଲ, ତେଲୁଗୁ, ମରାଠୀ ଓ କନ୍ନଡ଼ ସମେତ ବିଭିନ୍ନ ଭାଷାରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ ସମୟରେ ଅନୁବାଦିତ ସବ୍ଟାଇଟଲ୍ ଉପଲବ୍ଧ ହେବ। ଏହାଦ୍ୱାରା ଭିନ୍ନ ଭିନ୍ନ ଭାଷା କହୁଥିବା ଲୋକମାନେ ମଧ୍ୟ ଏହି ସାଂସ୍କୃତିକ ଉତ୍ସବ ସହ ସିଧାସଳଖ ଯୋଡ଼ି ହୋଇପାରିବେ।
ମନ୍ତ୍ରଣାଳୟ ଅନୁଯାୟୀ, ‘ଅନୁବାଦିନୀ ଏଆଇ’ ଏକ ବହୁଭାଷୀ ଅନୁବାଦ ଓ ଭାଷାଭିତ୍ତିକ ପ୍ଲାଟଫର୍ମ। ଏହା ୨୨ଟି ଭାରତୀୟ ଏବଂ ୮୯ରୁ ଅଧିକ ବିଶ୍ୱସ୍ତରୀୟ ଭାଷାରେ ଅନୁବାଦ ଓ ବିଷୟବସ୍ତୁ ପ୍ରସ୍ତୁତ କରିବାରେ ସକ୍ଷମ। ଏହି ପ୍ରଯୁକ୍ତି ମାଧ୍ୟମରେ ଉଦ୍ଘାଟନୀ ସମାରୋହରେ ଅତିଥିମାନଙ୍କ ଭାଷଣକୁ ଦର୍ଶକମାନେ ନିଜ ପସନ୍ଦର ଭାଷାରେ ମୋବାଇଲ୍ ଫୋନ୍ କିମ୍ବା କମ୍ପ୍ୟୁଟରରେ ଲାଇଭ୍ ଟେକ୍ସଟ୍ ଆକାରରେ ଦେଖିପାରିବେ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ଦର୍ଶକମାନଙ୍କୁ କ୍ୟୁଆର୍ କୋଡ୍ ସ୍କାନ୍ କରିବାକୁ ପଡ଼ିବ କିମ୍ବା ମୋବାଇଲ୍ ଓ କମ୍ପ୍ୟୁଟରରେ ଅନୁବାଦିନୀର ୱେବସାଇଟ୍ ଖୋଲିବାକୁ ହେବ। ଏହାପରେ ନିଜ ପସନ୍ଦର ଭାଷା ଚୟନ କଲେ ବକ୍ତାମାନଙ୍କ ଭାଷଣର ଅନୁବାଦ ସ୍କ୍ରିନ୍ରେ ଦେଖାଯିବ। ଏହି ବ୍ୟବସ୍ଥା ଦ୍ୱାରା ତାମିଲ କିମ୍ବା ଇଂରାଜୀ ଭାଷା ଜାଣିନଥିବା ଲୋକମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ରମକୁ ବୁଝିବା ସହଜ ହେବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା