
ମଦୁରାଇ (ତାମିଲନାଡୁ), ୨୮ ନଭେମ୍ବର (ହି.ସ.)। ତାମିଲନାଡୁର ମଦୁରାଇସ୍ଥିତ ତିରୁପ୍ପରଙ୍କୁନ୍ଦ୍ରମ ପାହାଡ଼ ଉପରେ ଦୀପ ଜଳାଇବାକୁ ନେଇ ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି। ସୁପ୍ରିମକୋର୍ଟଙ୍କ କଡ଼ା ଅନ୍ତରୀଣ ନିର୍ଦ୍ଦେଶ ପରେ ଶନିବାର ପାହାଡ଼ ଶିଖରରେ ଥିବା ବିବାଦୀୟ ଦୀପସ୍ତମ୍ଭରେ କାର୍ତ୍ତିଗାଇ ଦୀପମ୍ ଜଳାଯିବାକୁ ଯାଉଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସମଗ୍ର ପାହାଡ଼ ଅଞ୍ଚଳରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ମୁତୟନ କରାଯାଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।
କାର୍ତ୍ତିଗାଇ ଦୀପମ୍ ଉତ୍ସବ ଅବସରରେ ତିରୁପ୍ପରଙ୍କୁନ୍ଦ୍ରମ ପାହାଡ଼ ଶିଖରରେ ଥିବା ଦୀପସ୍ତମ୍ଭରେ ଦୀପ ଜଳାଇବାକୁ ସୁପ୍ରିମକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠ ମଧ୍ୟ ଏହି ନିର୍ଦ୍ଦେଶ ପାଳନ କରିବାକୁ କହିଥିଲେ।
ତେବେ ନଭେମ୍ବର ୨୪ ତାରିଖରେ ପରମ୍ପରା ଅନୁଯାୟୀ ଉଚିପିଲ୍ଲାୟାର ମନ୍ଦିର ନିକଟରେ ଥିବା ସ୍ତମ୍ଭରେ ହିଁ ଦୀପ ଜଳାଯାଇଥିଲା। ପାହାଡ଼ ଶିଖରରେ ଥିବା ବିବାଦୀୟ ଦୀପସ୍ତମ୍ଭରେ ଦୀପ ଜଳାଯାଇ ନଥିଲା। ଏହାପରେ ମଦୁରାଇ ଜିଲ୍ଲାପାଳ ନିଶାନ୍ତ କୃଷ୍ଣ ସୁପ୍ରିମକୋର୍ଟରେ ୧୭ ପୃଷ୍ଠାର ରିପୋର୍ଟ ଦାଖଲ କରି ନିଜ ପକ୍ଷରୁ କ୍ଷମା ପ୍ରାର୍ଥନା କରିଥିଲେ।
ଏହି ମାମଲାରେ ନଭେମ୍ବର ୨୭ ତାରିଖରେ ସୁପ୍ରିମକୋର୍ଟରେ ପୁନର୍ବାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ଜିଲ୍ଲାପାଳଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ ଦୀପ ଜଳାଇବା ତାଙ୍କ କାମ ନୁହେଁ। ଏହାକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ନଭେମ୍ବର ୨୮ ତାରିଖରେ ପାହାଡ଼ ଶିଖରରେ ଥିବା ଦୀପସ୍ତମ୍ଭରେ ଅନିବାର୍ଯ୍ୟ ଭାବେ ଦୀପ ଜଳାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।
ଏଥିସହ ପାହାଡ଼ ଶିଖରରେ ଦୀପ ଜଳାଇବାକୁ ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ କୋର୍ଟ ଅନୁମତି ଦେଇଥିଲେ। ଏହା ସହିତ ପାହାଡ଼ର ସୁରକ୍ଷା ଦାୟିତ୍ୱ ତୁରନ୍ତ ସିଆରପିଏଫ୍ ହାତକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ମାମଲାରେ ସୁପ୍ରିମକୋର୍ଟ ତାମିଲନାଡୁର ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ (ଡିଜିପି), ମଦୁରାଇ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ସମେତ ମୋଟ ୧୩ ଜଣଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କରିଛନ୍ତି। ଏଥିସହ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ଜବାବୀ ସତ୍ୟପାଠ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ମନ୍ଦିରର ଟ୍ରଷ୍ଟି ବୋର୍ଡକୁ ଭଙ୍ଗ କରି ମନ୍ଦିର ପ୍ରଶାସନ ଦାୟିତ୍ୱ ଅବସରପ୍ରାପ୍ତ ବିଚାରପତି ଏସ୍. ବୈଦ୍ୟନାଥନ ଓ ପାର୍ଥିବନଙ୍କୁ ହସ୍ତାନ୍ତର କରିବାକୁ ଆଦେଶ ଦିଆଯାଇଛି।
କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ପାହାଡ଼ ଉପରେ ଥିବା ସିକନ୍ଦର ଦର୍ଗାହର ସୁରକ୍ଷାରେ କୌଣସି ପ୍ରକାର ବାଧା ସୃଷ୍ଟି ହେବା ଉଚିତ ନୁହେଁ। ମନ୍ଦିର ଓ ଦର୍ଗାହ ଅଞ୍ଚଳକୁ ପୃଥକ ରଖିବା ପାଇଁ ବାଡ଼ ନିର୍ମାଣକୁ ମଧ୍ୟ ଅନୁମତି ଦିଆଯାଇଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତିରୁପ୍ପରଙ୍କୁନ୍ଦ୍ରମ ପାହାଡ଼ରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସିଆରପିଏଫ୍ର ୧୫ତମ ବାଟାଲିୟନର ୧୩୦ ଜଣ ଯବାନ କମାଣ୍ଡାଣ୍ଟ ସୁନୀଲ କୁମାରଙ୍କ ନେତୃତ୍ୱରେ ଶୁକ୍ରବାର ରାତିରେ କୋଏମ୍ବାଟୁରରୁ ମଦୁରାଇରେ ପହଞ୍ଚିଥିଲେ। ସେମାନଙ୍କୁ ତନକ୍କନକୁଲମ୍ ରୋଡ୍ସ୍ଥିତ ଏକ ବିବାହ ମଣ୍ଡପରେ ରଖାଯାଇଛି।
ଏହାପରେ ଅତିରିକ୍ତ ୪୦ ଜଣ ଯବାନ ମଧ୍ୟ ତିରୁପ୍ପରଙ୍କୁନ୍ଦ୍ରମରେ ପହଞ୍ଚିଛନ୍ତି। ଏହିପରି ମୋଟ ୧୭୦ ଜଣ ଯବାନଙ୍କୁ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଅଧିକାରୀ ଓ ମହିଳା ଅଧିକାରୀଙ୍କ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଏହାବ୍ୟତୀତ ଚେନ୍ନାଇ ଓ ବେଙ୍ଗାଲୁରୁ ସମେତ ଅନ୍ୟାନ୍ୟ ସ୍ଥାନରୁ ଅଧିକ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ଡକାଯାଉଛି।
ମନ୍ଦିରର ପାହାଡ଼ିଆ ଅଞ୍ଚଳ, ବିବାଦୀୟ ଦୀପସ୍ତମ୍ଭ ଓ ସିକନ୍ଦର ଦର୍ଗାହ ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରାଯାଇଛି। ସମଗ୍ର ଅଞ୍ଚଳରେ କେନ୍ଦ୍ରୀୟ ବଳଙ୍କ ଉପସ୍ଥିତି ଯୋଗୁଁ ଚଳଚଞ୍ଚଳତା ବଢ଼ିଯାଇଛି। ଏହି ଘଟଣା ଉପରେ ସମଗ୍ର ଅଞ୍ଚଳବାସୀଙ୍କ ନଜର ରହିଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା