
ଉଜ୍ଜୟିନୀ, ୨୮ ନଭେମ୍ବର (ହି.ସ.)। ମଧ୍ୟପ୍ରଦେଶର ଉଜ୍ଜୟିନୀସ୍ଥିତ ବିଶ୍ୱପ୍ରସିଦ୍ଧ ଶ୍ରୀ ମହାକାଳେଶ୍ୱର ମନ୍ଦିରରେ ଶନିବାର ଭୋର ୪ଟାରେ ଭସ୍ମ ଆଳତି ପାଇଁ ମନ୍ଦିରର ଦ୍ୱାର ଖୋଲାଯାଇଥିଲା। ଏହା ସହିତ ଗର୍ଭଗୃହରେ ଭଗବାନ ମହାକାଳଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ଅଭିଷେକ ଆରମ୍ଭ ହୋଇଥିଲା। ପ୍ରଥମେ ପୂଜକ ଓ ପୁରୋହିତମାନେ ଗର୍ଭଗୃହରେ ବିରାଜମାନ ଦେବାଦେବୀଙ୍କ ପୂଜା କରିଥିଲେ। ଏହାପରେ ଭଗବାନ ମହାକାଳଙ୍କ ଜଳାଭିଷେକ କରାଯିବା ସହ କ୍ଷୀର, ଦହି, ଘିଅ, ଚିନି ଓ ଫଳରସରେ ପ୍ରସ୍ତୁତ ପଞ୍ଚାମୃତରେ ଅଭିଷେକ କରାଯାଇଥିଲା।
ପୂଜା ସମୟରେ ପ୍ରଥମ ଘଣ୍ଟାଳ ବଜାଇ ଭଗବାନଙ୍କୁ ହରିଓମ୍ ଜଳ ଅର୍ପଣ କରାଯାଇଥିଲା। ଏହାପରେ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଭଗବାନ ମହାକାଳଙ୍କ ମନୋରମ ଶୃଙ୍ଗାର କରାଯାଇଥିଲା। ତାଙ୍କୁ ରୌପ୍ୟ ଓଁ, ବିଲ୍ୱପତ୍ର ମୁକୁଟ, ଡମ୍ବରୁ, ଶେଷନାଗଙ୍କ ରୌପ୍ୟ ମୁକୁଟ, ରୌପ୍ୟ ମୁଣ୍ଡମାଳା ଓ ରୁଦ୍ରାକ୍ଷ ମାଳା ଅର୍ପଣ କରାଯାଇଥିଲା। ଭଗବାନଙ୍କ ମସ୍ତକରେ ତ୍ରିପୁଣ୍ଡ ଓ ତ୍ରିଶୂଳ ସଜ୍ଜିତ କରାଯାଇଥିଲା। ସୁଗନ୍ଧିତ ପୁଷ୍ପମାଳାରେ ମଧ୍ୟ ବାବାଙ୍କୁ ସୁସଜ୍ଜିତ କରାଯାଇଥିଲା।
ଭଗବାନ ଗଣେଶ, ମାତା ପାର୍ବତୀ ଓ କାର୍ତ୍ତିକେୟଙ୍କ ପୂଜାର୍ଚ୍ଚନା ପରେ ମହାକାଳଙ୍କୁ ଫଳ ଓ ମିଷ୍ଟାନ୍ନ ଭୋଗ ଲଗାଯାଇଥିଲା। କର୍ପୂର ଆଳତି ଓ ନୈବେଦ୍ୟ ଅର୍ପଣ ପରେ ଜ୍ୟୋତିର୍ଲିଙ୍ଗଙ୍କୁ ବସ୍ତ୍ରରେ ଆଚ୍ଛାଦିତ କରାଯାଇ ମହାନିର୍ବାଣୀ ଆଖଡ଼ା ପକ୍ଷରୁ ଭସ୍ମ ଅର୍ପଣ କରାଯାଇଥିଲା। ଭସ୍ମ ଆଳତି ପରେ ଭଗବାନ ମହାକାଳଙ୍କ ଦିବ୍ୟ ସ୍ୱରୂପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା।
ମାନ୍ୟତା ରହିଛି ଯେ, ଭସ୍ମ ଅର୍ପଣ ପରେ ଭଗବାନ ମହାକାଳ ନିରାକାରରୁ ସାକାର ସ୍ୱରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସକାଳର ଭସ୍ମ ଆଳତିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇ ବାବା ମହାକାଳଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ଶ୍ରଦ୍ଧାଳୁମାନେ ନନ୍ଦୀ ମହାରାଜଙ୍କ ଦର୍ଶନ କରିବା ସହ ତାଙ୍କ କାନରେ ନିଜର ମନୋକାମନା ମଧ୍ୟ ଜଣାଇଥିଲେ। ଏହି ସମୟରେ ମନ୍ଦିର ପରିସର ବାବା ମହାକାଳଙ୍କ ଜୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା