ୟେମେନର ୪ଟି ପ୍ରଦେଶରେ ବିମାନ ଆକ୍ରମଣ, ବିସ୍ଫୋରଣରେ ଆହତ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ
ସାନା, ୨୮ ନଭେମ୍ବର (ହି.ସ.)। ୟେମେନରେ ସରକାରୀ ସେନା ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ପୁଣି ଥରେ ତୀବ୍ର ହୋଇଛି। ଶୁକ୍ରବାର ଦେଶର ଚାରିଟି ପ୍ରଦେଶରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଥିବା ଖବର ମିଳିଛି। ୟେମେନର ସରକାରୀ ସେନା ଦକ୍ଷିଣ-ପଶ୍ଚିମ ପ୍ରଦେଶ ତାଇଜ୍ ଏବଂ ଉତ୍ତର ପ୍ରଦେଶ ଅଲ୍-ଜୌଫ୍ରେ
सांकेतिक


ସାନା, ୨୮ ନଭେମ୍ବର (ହି.ସ.)। ୟେମେନରେ ସରକାରୀ ସେନା ଓ ହୁତି ବିଦ୍ରୋହୀଙ୍କ ମଧ୍ୟରେ ସଂଘର୍ଷ ପୁଣି ଥରେ ତୀବ୍ର ହୋଇଛି। ଶୁକ୍ରବାର ଦେଶର ଚାରିଟି ପ୍ରଦେଶରେ ସାମରିକ ଉତ୍ତେଜନା ବୃଦ୍ଧି ପାଇଥିବା ଖବର ମିଳିଛି। ୟେମେନର ସରକାରୀ ସେନା ଦକ୍ଷିଣ-ପଶ୍ଚିମ ପ୍ରଦେଶ ତାଇଜ୍ ଏବଂ ଉତ୍ତର ପ୍ରଦେଶ ଅଲ୍-ଜୌଫ୍ରେ ହୁତି ବିଦ୍ରୋହୀଙ୍କ ଆଡ୍ଡା ଓ ସାମରିକ ଯାନବାହନକୁ ଟାର୍ଗେଟ କରିଛି। ଅନ୍ୟପକ୍ଷରେ, ହୁତି ଗୋଷ୍ଠୀ ସାଉଦି ଆରବ ତାଇଜ୍, ଅଲ୍-ହୁଦୈଦାହ ଓ ସାଦାରେ ବିମାନ ଆକ୍ରମଣ କରିଥିବା ଅଭିଯୋଗ କରିଛି।

ଏହି ସମୟରେ ଦକ୍ଷିଣ ପ୍ରଦେଶ ଲାହଜ୍ରେ ରାସ୍ତାକଡ଼ରେ ହୋଇଥିବା ବୋମା ବିସ୍ଫୋରଣରେ ଆହତ ଜଣେ ସୁରକ୍ଷା ଅଧିକାରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। କ୍ରମାଗତ ଭାବେ ବଢ଼ୁଥିବା ସାମରିକ କାର୍ଯ୍ୟକଳାପ ଯୋଗୁଁ ଅଞ୍ଚଳରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି।

ୟେମେନ ସେନା ଶୁକ୍ରବାର ଏକ ବିବୃତି ଜାରି କରି କହିଛି ଯେ, ଏହାର ଯୁଦ୍ଧ ବିମାନ ଦକ୍ଷିଣ ତାଇଜ୍ର ଅଲ୍-ଅକ୍ରୌଦ୍ ମୋର୍ଚ୍ଚା ଅନ୍ତର୍ଗତ ମାଉଣ୍ଟ ଧାହିହ୍ରେ ଥିବା ହୁତି ବିଦ୍ରୋହୀଙ୍କ ଆଡ୍ଡା ଉପରେ ଆକ୍ରମଣ କରିଛି। ତେବେ ଏହି ଆକ୍ରମଣରେ କେତେ କ୍ଷୟକ୍ଷତି ହୋଇଛି କିମ୍ବା କେତେ ଜଣ ମୃତାହତ ହୋଇଛନ୍ତି, ସେନା ପକ୍ଷରୁ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

ଅଲ୍-ଅକ୍ରୌଦ୍ ମୋର୍ଚ୍ଚା ସାମରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତାଇଜ୍ ସହରର ଦକ୍ଷିଣ ପ୍ରବେଶ ପଥ ଏବଂ ମାଉଣ୍ଟ ସାବିର ନିକଟରେ ଅବସ୍ଥିତ। ମାଉଣ୍ଟ ସାବିରରୁ ସହରର ଏକ ବଡ଼ ଅଂଶ ଉପରେ ନଜର ରଖାଯାଇପାରେ।

ଅନ୍ୟପକ୍ଷରେ, ଉତ୍ତର ପ୍ରଦେଶ ଅଲ୍-ଜୌଫ୍ରେ ସରକାରୀ ସେନା ଡ୍ରୋନ୍ ଜରିଆରେ ହୁତି ବିଦ୍ରୋହୀଙ୍କ ସାମରିକ ଯାନବାହନ ଉପରେ ଆକ୍ରମଣ କରିଛି। ସେନାର ସରକାରୀ ୱେବସାଇଟ୍ 'ସେପ୍ଟେମ୍ବର ନେଟ୍' ପକ୍ଷରୁ ଏହି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି। ତେବେ ଆକ୍ରମଣର ପରିଣାମ ସମ୍ପର୍କରେ ଆନୁଷ୍ଠାନିକ ଭାବେ କୌଣସି ପୁଷ୍ଟି କରାଯାଇନାହିଁ।

ଅଲ୍-ଜୌଫ୍ର ଭୌଗୋଳିକ ସ୍ଥିତି ମଧ୍ୟ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଏହାର ସୀମା ସାଉଦି ଆରବ ସହ ଲାଗିଥିବା ବେଳେ ହୁତି ନିୟନ୍ତ୍ରଣାଧୀନ ସାଦା, ଅମରାନ ଓ ସାନା ପ୍ରଦେଶ ନିକଟରେ ଅବସ୍ଥିତ। ଏହାବ୍ୟତୀତ ତୈଳ ସମ୍ପଦରେ ସମୃଦ୍ଧ ହଧରାମୌତ୍ ଓ ମାରିବ୍ ଅଞ୍ଚଳ ମଧ୍ୟ ଏହାର ନିକଟରେ ରହିଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande