
ଲାହୋର (ପଞ୍ଜାବ), ପାକିସ୍ତାନ, ୦୬ ନଭେମ୍ବର (ହି.ସ.)। ପାକପଟ୍ଟନ ନିକଟରେ ଏକ ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩୩ ଜଣ ଆହତ ହୋଇଛନ୍ତି। ରେସ୍କ୍ୟୁ ୧୧୨୨ ପକ୍ଷରୁ କୁହାଯାଇଛି ଯେ, ଗୁରୁବାର ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୧୧ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ୮ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟ ୨୫ ଜଣଙ୍କୁ ପାକପଟ୍ଟନ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା (ଡିଏଚ୍କ୍ୟୁ)ରେ ଭର୍ତ୍ତି କରାଯାଇଛି।
ପାକପଟ୍ଟନ ଏକ ଐତିହାସିକ ସହର। ଏହା ପଞ୍ଜାବ ପ୍ରଦେଶର ମଧ୍ୟ-ଦକ୍ଷିଣ ଭାଗରେ ସତଲୁଜ ନଦୀର ଡାହାଣ ପାର୍ଶ୍ୱରେ ଅବସ୍ଥିତ। ଏହା ପାକପଟ୍ଟନ ଜିଲ୍ଲାର ମୁଖ୍ୟାଳୟ ମଧ୍ୟ। ପ୍ରଦେଶର ରାଜଧାନୀ ଲାହୋରଠାରୁ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରାୟ ୧୭୯ରୁ ୧୮୪ କିଲୋମିଟର ଏବଂ ମୁଲତାନଠାରୁ ପ୍ରାୟ ୨୦୫ କିଲୋମିଟର ଦୂରରେ ଅବସ୍ଥିତ। ଏହା ଭାରତର ଅନ୍ତର୍ଜାତୀୟ ସୀମାଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ରହିଛି।
‘ଡନ୍’ ଖବରକାଗଜର ରିପୋର୍ଟ ଅନୁଯାୟୀ, ଜିଲ୍ଲା ପ୍ରଶାସନର ଏକ ପ୍ରେସ୍ ବିଜ୍ଞପ୍ତିକୁ ଉଦ୍ଧୃତ କରି କୁହାଯାଇଛି ଯେ, ଦେପାଲପୁର ରୋଡ୍ରେ ଏହି ଦୁର୍ଘଟଣା ଘଟିଥିଲା। ମୁଲତାନରୁ କସୁର ଯାଉଥିବା ଏକ ଯାତ୍ରୀବାହୀ ବସ୍ ସହିତ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ର ଧକ୍କା ହୋଇଥିଲା। ଖବର ପାଇ ଜିଲ୍ଲା ଉପାୟୁକ୍ତ ଆସିଫ୍ ରଜା ଏବଂ ଜିଲ୍ଲା ପୁଲିସ ଅଧୀକ୍ଷକ ଜାଭେଦ୍ ଇକବାଲ୍ ଚାଧର ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ରେସ୍କ୍ୟୁ ୧୧୨୨ ଏବଂ ଜିଲ୍ଲା ପ୍ରଶାସନର ଟିମ୍ ସହ ମିଶି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ।
ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ତିନି ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅଭିଯାନରେ କ୍ରେନ୍ ଏବଂ ଅନ୍ୟ ଭାରୀ ଯନ୍ତ୍ରପାତି ବ୍ୟବହାର କରି ଭଗ୍ନାବଶେଷ ତଳେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା